ପଶ୍ଚିମବଙ୍ଗକୁ ବେଧଡ଼କ ବାଲି ଚାଲାଣ

ଲିଜ୍‌ଧାରୀ, ସରକାରୀ ପଦାଧିକାରୀ ଓ ବାଲିମାଫିଆଙ୍କ ମଧୁଚନ୍ଦ୍ରିକା, ଓଡ଼ିଶାରେ ବାଲିର ଦର ଆକାଶଛୁଆଁ

ଜଳେଶ୍ବର : ପଶ୍ଚିମବଙ୍ଗ ବାଲି ମାଫିଆଙ୍କୁ ଏନ୍‌ଜିଟି ଛାଟ ପରେ ମଧ୍ୟ ‌ବେଆଇନ ବାଲି ପରିବହନରେ ରୋକ ଲଗାଯାଇପାରୁନି। ବାଲି ମାଫିଆମାନେ ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରି ପ୍ରତିଦିନ ପଶ୍ଚିମବଙ୍ଗକୁ ଚୋରାରେ ବାଲି ଚାଲାଣ କରୁଛନ୍ତି। ଏହି ବାଲି ଚୋରି ରୋକିବାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ବାଲି ମାଫିଆ ସ୍ଥାନୀୟ କିଛି ଗ୍ରାମବାସୀ, ଲିଜ୍‌ଧାରୀ ଓ ସରକାରୀ କର୍ମଚାରୀ ମଧ୍ୟରେ ଅସାଧୁ ମେଣ୍ଟ କରି କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି।

ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଆଦେଶ ପରେ ପଶ୍ଚିମବଙ୍ଗ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଫଳରେ ସୁବର୍ଣ୍ଣରେଖାରୁ ପଶ୍ଚିମବଙ୍ଗ ବାଲିମାଫିଆଙ୍କ ଦ୍ବାରା ସ୍ବାମ୍ପ୍‌ ପମ୍ପ୍‌ ସାହାଯ୍ୟରେ ବାଲି ଉତ୍ତୋଳନ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏଥିପାଇଁ ପଶ୍ଚିମବଙ୍ଗରେ ବାଲିର ଦର ଚଢ଼ା ହୋଇଯାଇଛି। ତେଣୁ ବଙ୍ଗ ବାଲି ମାଫିଆମାନେ ପୁଣି ଓଡ଼ିଶାର କେତେକ ଗ୍ରାମବାସୀ, ଲିଜ୍‌ଧାରୀ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମେଳି କରି ବାଲିକୁ ପଶ୍ଚିମବଙ୍ଗ ବୋହି ନେଇଯାଉଥିବାର ଦେଖାଯାଉଛି। ଜଳେଶ୍ବର ତହସିଲ ଅଧୀନ ଓଲମରା ଆରଆଇ ସର୍କଲ ଅଧୀନରେ ଥିବା ରାଜନଗର ଓ ବିଳାସପୁର ବାଲି ସୈରାତରୁ ପ୍ରତିଦିନ ଶହ ଶହ ଟ୍ରକ ଓ ଡମ୍ପରରେ ବାଲି ପରିବହନ କରାଯାଉଛି। ଏହି ବାଲି ପଶ୍ଚିମବଙ୍ଗର ଖଡ଼ିକା, ନୟାଗ୍ରାମ, ଗୋପୀବଲ୍ଲଭପୁର ଓ ବାଲିଗଡ଼ିଆ ଆଦି ସ୍ଥାନକୁ ନିଆଯାଉଛି। ଏହି କାରବାର ପଛରେ ପଶ୍ଚିମବଙ୍ଗର ବାଲି ମାଫିଆ ଥିବାବେଳେ ଓଡ଼ିଶାର କେତେକ ଗାଡ଼ି ମାଲିକଙ୍କ ସହଯୋଗରେ ବାଲି ଉତ୍ତୋଳନ କରାଯାଉଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବାଲି ଚାଲାଣ ପାଇଁ ଜଳେଶ୍ବର ତହସିଲର ଟ୍ରାଞ୍ଜିଟ୍‌ ପାସ୍‌କୁ ଚଞ୍ଚକତା ପୂର୍ବକ ବ୍ୟବହାର ହେଉଛି।

ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀଗର୍ଭସ୍ଥ ଜଳେଶ୍ବର ତହସିଲର ବିଭିନ୍ନ ବାଲି ଖାଦାନରୁ ଚୋରାରେ ବାଲି ଉତ୍ତୋଳନ କରିବା ପରେ ବିଭିନ୍ନ ସ୍ଥାନରେ ଜମା କରି ରଖାଯିବା ସହ ଚଢ଼ାଦରରେ ବିକ୍ରି ହେଉଛି। ଓଡ଼ିଶା ବାଲି ପଶ୍ଚିମବଙ୍ଗ ଚାଲାଣ ହେଉଥିବାରୁ ଓଡ଼ିଶାରେ ବାଲିର ଦର ବଢ଼ିଯିବା ସହ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଜଳେଶ୍ବର ତହସିଲଦାର ଓ ବାଲେଶ୍ବର ଜିଲ୍ଲା ପ୍ରଶାସନ ନିକଟରେ ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି କେତେବେଳେ କେମିତି ଚଢ଼ଉ କରାଯାଇ ନଗଣ୍ୟ ଜୋରିମାନା ଆଦାୟ କରାଯାଉଛି। ତେଣୁ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର