ଆନ୍ତର୍ଜାତିକ ଆଲୁମିନିୟମ୍ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୧୯ ଉଦ୍‌ଘାଟିତ : ଉତ୍ପାଦନ ବଢ଼ାଅ, ଖର୍ଚ କମାଅ: କେନ୍ଦ୍ର ଖଣି ସଚିବ

୫ ବର୍ଷରେ ଆଲୁମିନିୟମ୍ ବ୍ୟବହାର ଦୁଇ ଗୁଣ ବଢ଼ିବ
ଓଡ଼ିଶା ଆଣିବ ଭିଜନ୍ ୨୦୩୦: ସଞ୍ଜୀବ ଚୋପ୍ରା
୨୦ ଦେଶର ୧୫୦ ବିଦେଶୀ ପ୍ରତିନିଧି ସାମିଲ
ପ୍ରଦର୍ଶନୀରେ ୧୨୦ଟି କଂପାନିର ପ୍ରଯୁକ୍ତି

ଭୁବନେଶ୍ୱର : ଆଗାମୀ ୫ ବର୍ଷ ଭିତରେ ଆଲୁମିନିୟମ ବ୍ୟବହାର ପରିମାଣ ଦୁଇ ଗୁଣା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଏବେ ଠାରୁ ଆଲୁମିନିୟମ ଉତ୍ପାଦନ ବଢ଼ାଇବାକୁ ହେବ ବୋଲି କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍ କହିଛନ୍ତି। ଆଜି ଠାରୁ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ଆନ୍ତର୍ଜାତିକ ଆଲୁମିନିୟମ୍ ପ୍ରଦର୍ଶନୀ ଓ ସମ୍ମିଳନୀକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି।

ସେ କହିଲେ, ଆଲୁମିନିୟମ୍‌ର ଚାହିଦା ବଢ଼ୁଥିବା ବେଳେ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ହ୍ରାସ ପାଉଛି ଓ ଉତ୍ପାଦନ ଖର୍ଚ ମଧ୍ୟ ବଢ଼ିଚାଲିଛି। ଏଭଳି ପରିସ୍ଥିତିରେ ଆଲୁମିନିୟମ କଂପାନିଗୁଡ଼ିକ ବିଶ୍ବ ସ୍ତରର ଅନ୍ୟ ସଂସ୍ଥାଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତା‌ କରିବାକୁ ହେଲେ ଉତ୍ପାଦନ ଖର୍ଚ ପରିମାଣ କମାଇବାକୁ ପଡ଼ିବ। ଉତ୍ପାଦନ ଖର୍ଚ କମାଇବା ଓ ଧାତୁ ଉତ୍ପାଦନ ବଢ଼ାଇବାକୁ ଭାରତୀୟ ଆଲୁମିନିୟମ୍ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ଆଲୁମିନିୟମ୍ ଉତ୍ପାଦନର ମୋଟ୍‌ ଖର୍ଚରେ ବିଦ୍ୟୁତର ଭାଗ ୪୦% ରହୁଛି। ଯଦି କଂପାନିଗୁଡ଼ିକ ବିଦ୍ୟୁତ ଖର୍ଚ କମାଇପାରିବେ ‌ତେବେ ଉତ୍ପାଦନ ଖର୍ଚ ଆପେ କମିଯିବ ବୋଲି ସେ କହିଛନ୍ତି। ‌ସ୍ମେଲଟର୍‌ରେ ଉନ୍ନତ ପ୍ରଯୁକ୍ତିର ବ୍ୟବହାର ଓ ପରିଚାଳନାରେ ଉନ୍ନତି ଆଣିଲେ ଖର୍ଚ କମିପାରିବ ବୋଲି ଖଣି ସଚିବ କହିଛନ୍ତି।

ଆଲୁମିନିୟମ୍ ରିସାଇକଲ୍‌ରେ ମାତ୍ର ୧୫% ବିଦ୍ୟୁତ ଖର୍ଚ ହୋଇଥାଏ। କଂପାନିଗୁଡ଼ିକ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଆହ୍ବାନ ଦେଇଛନ୍ତି। ସ୍କ୍ରାପ୍ ସଂଗ୍ରହ କରିବାକୁ ମଧ୍ୟ କହିଛନ୍ତି। କାରଖାନାରେ ଉତ୍ପାଦନ ହେଉଥିବା ଆଲୁମିନିୟମ୍‌ର ଅଧିକାଂଶ ଭାଗ ଆନୁଷଂଗିକ ଶିଳ୍ପରେ ବ୍ୟବହାର କରିବା ପାଇଁ ଉଦ୍ୟମ କରିବାକୁ କଂପାନିଗୁଡ଼ିକୁ କହିଛନ୍ତି। ଯେହେତୁ ଏରେସ୍ପେସ୍‌ ଓ ରେଳ ଭଳି କ୍ଷେତ୍ରରେ ଉଚ୍ଚ ମାନର ଆଲୁମିନିୟମ୍ ବ୍ୟବହାର ଆରମ୍ଭ ହୋଇଗଲାଣି, ତେଣୁ କଂପାନିଗୁଡ଼ିକ ସେଭଳି ଉଚ୍ଚ ମାନର ଉତ୍ପାଦ ଉତ୍ପାଦନ କରିବାକୁ ପ୍ରୟାସ କରିବା ଉଚିତ ବୋଲି ଖଣି ସଚିବ କହିଛନ୍ତି। ଆଲୁମିନିୟମ୍ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ରେଡ୍‌ ମଡ୍‌ ବାହାରୁଛି, ସେଥିରେ ୨୫-୩୦% ଲୁହା ପଥର ରହିଛି। ନୂତନ ପ୍ରଯୁକ୍ତି ବ୍ୟବହାର କରି ସେହି ଲୁହା ପଥରକୁ ବାହାର କରିବା ପାଇଁ ସେ କଂପାନିଗୁଡ଼ିକୁ କହିଛନ୍ତି। ନାଲ୍‌କୋ ପକ୍ଷରୁ ଅନୁଗୁଳ ଠାରେ ଏକ ଆଲୁମିନିୟମ୍ ପାର୍କ ସ୍ଥାପନ କରାଯାଉଥିବା ବେଳେ ଘରୋଇ କଂପାନି ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ାରେ ଆଉ ଏକ ଆଲୁମିନିୟମ୍ ପାର୍କ ସ୍ଥାପନ କରାଯାଉଥିବା ଜାଣି ସେ ଆନନ୍ଦ ପ୍ରକଟ କରିଛନ୍ତି। ଭାରତରେ ୩.୪ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ ହେଉଥିବା ବେଳେ ୩.୬ ନିୟୁତ ଟନ୍ ବ୍ୟବହାର ହେଉଛି। ଆଗାମୀ ଦିନରେ ଏହି ଧାତୁର ବ୍ୟବହାର ଦ୍ବିଗୁଣିତ ହେବାକୁ ଯାଉଥିବାରୁ ଆଲୁମିନା ଉତ୍ପାଦନ ମଧ୍ୟ ବଢ଼ାଇବାକୁ ହେବ ବୋଲି ସେ କହିଛନ୍ତି। ସେ କହିଲେ, ଦେଶରେ ଥିବା ମୋଟ ୩.୮ ବିଲିଅନ୍‌ ଟନ୍ ବକ୍ସାଇଟ୍‌ ମଧ୍ୟରୁ ମାତ୍ର ୧୭% ଉତ୍ତୋଳନ କରାଯାଇଛି। ତେଣୁ ଉତ୍ତୋଳନ କ୍ଷେତ୍ରରେ ଏଠାରେ ବିପୁଳ ସୁଯୋଗ ରହିଛି। ନିମ୍ନ ମାନର ବକ୍ସାଇଟ୍ ଏବଂ ପାର୍ସିଆଲି ଲାଟେରାଇଟ୍ ଖୋଣ୍ଡାଲାଇଟ୍‌ (ପିଏଲ୍‌କେ)କୁ କିଭଳି ବ୍ୟବହାର କରାଯାଇପାରିବ, ସେଥିପ୍ରତି କଂପାନିଗୁଡ଼ିକୁ ଗୁରୁତ୍ବ ଦେବାକୁ ହେବ ବୋଲି ସେ କହିଛନ୍ତି।

ଭାରତୀୟ ଆଲୁମିନିୟମ୍ ସଂଘ ଓ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ବାରା ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ଓଡ଼ିଶା କେବଳ ଭାରତର ନୁହେଁ ସାରା ଦକ୍ଷିଣ ଏସିଆର ଆଲୁମିନିୟମ୍ ରାଜଧାନୀ ହୋଇପାରିବ। ସେ କହିଲେ, ରାଜ୍ୟ ଭିତରେ ବିଭିନ୍ନ ଧାତୁର ମୂଲ୍ୟ ଯୋଗ (ଭାଲ୍ୟୁ ଆଡିସନ୍) କରିବା ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ନାଲ୍‌କୋ ଭଳି ହିଣ୍ଡାଲ୍‌କୋ ଏକ ଆଲୁମିନିୟମ ପାର୍କ ସ୍ଥାପନ କଲେ ବହୁତ ଭଲ ହେବ ବୋଲି ସେ କହିଛନ୍ତି। ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ‘ଭିଜନ୍ ୨୦୩୦’ରେ ଆନୁଷଂଗିକ ଶିଳ୍ପ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଓ ଏହା ଖୁବ୍‌ଶୀଘ୍ର ଉନ୍ମୋଚିତ ହେବ ବୋଲି ସେ କହିଛନ୍ତି। ଭିଜନ୍‌ ୨୦୩୦ରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ହାସଲ କରିବା ପାଇଁ ସେ ଆଲୁମିନିୟମ୍ କଂପାନିଗୁଡ଼ିକର ସହଯୋଗ କାମନା କରିଛନ୍ତି।

ଏହି ଭାରତୀୟ ଆଲୁମିନିୟମ ସଂଘର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ସ୍ବାଗତ ଭାଷଣ ପ୍ରଦାନ କରି କହିଛନ୍ତି ଯେ ଏହି ସମ୍ମିଳନୀର ତିନିଟି ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରଥମଟି ହେଉଛି ଆନ୍ତର୍ଜାତିକ ସ୍ତରରେ ଆଲୁମିନିୟମ୍‌କୁ ଭବିଷ୍ୟତର ଧାତୁ ଭାବେ ଉପସ୍ଥାପନ କରିବା, ଜାତୀୟ ସ୍ତରରେ ଆଲୁମିନିୟମ ବ୍ୟବହାର ପରିମାଣ ବଢ଼ାଇବା ଏବଂ ଓଡ଼ିଶାକୁ ଭାରତର ଆଲୁମିନିୟମ୍ ରାଜଧାନୀରେ ପରିଣତ କରିବା।

ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ସମ୍ମିଳନୀରେ ୨୦ଟି ଦେଶର ୧୫୦ ବିଦେଶୀ ପ୍ରତିନିଧି ଓ ଉଭୟ ଦେଶବିଦେଶର ୮୫୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। କାନାଡାର ଆଲ୍‌କାନ୍, ଆମେରିକାର ଆଲ୍‌କୋଆ, ଚୀନ୍‌ର ଚେଲିଏକୋ ଓ ଚିନାଲ୍‌କୋ, ଏମିରେଟସ୍‌ର ଇଏମ୍‌ଏଏଲ୍, ଦୁବାଇର ଦୁବାଲ୍‌, ଲଣ୍ଡନ୍‌ର ରିଓ ଟିଣ୍ଟୋ ଓ ରୁଷିଆର ରୁଷାଲ୍ ଭଳି କଂପାନି ଏଥିରେ ଅଂଶଗ୍ରହଣ କରିଛନ୍ତି। ଆଜିଠାରୁ ଜନତା ମୈଦାନ ଠାରେ ଇନ୍‌କାଲ୍‌-୨୦୧୯ ପ୍ରଦର୍ଶନୀ ମଧ୍ୟ ଆରମ୍ଭ ହୋଇଛି। ତାହାକୁ ଅତିଥିମାନେ ଉଦ୍‌ଘାଟନ କରିଛନ୍ତି। ସେଥିରେ ୧୨୦ଟି ଶିଳ୍ପ ସଂସ୍ଥା ସେମାନଙ୍କ ପ୍ରଯୁକ୍ତିକୁ ପ୍ରଦର୍ଶନ କରିଛନ୍ତି।

ଏହି ଅବସରରେ ଭିଏତନାମର ରାଷ୍ଟ୍ରଦୂତ ଫାମ୍ ସାନ୍ ଚାଉ, ମିଆଁମାର୍‌ର ରାଷ୍ଟ୍ରଦୂତ ମୋଏ କ୍ୟା ଅଙ୍ଗ୍, ଥାଇଲ୍ୟାଣ୍ଡ୍‌ର ବାଣିଜ୍ୟ ରାଷ୍ଟଦୂତ ସ୍ବେୟା ଶାନ୍ତିପିତକ୍ସ, ଇଟାଲିର ବାଣିଜ୍ୟ ରାଷ୍ଟ୍ରଦୂତ ଡାମିଆନୋ ଫ୍ୟାନ୍‌କୋଭିଗ୍, ନରୱେର କାଉନ୍ସେଲର୍ ହେଲ୍‌ଜି ଟ୍ରାଇଟି, ମାଲେସିଆର ଫାଷ୍ଟ୍ ସେକ୍ରେଟାରି ମହମ୍ମଦ ଅଜଫର୍ ଅବଦୁଲ୍ଲା, ବେଦାନ୍ତର ସିଇଓ ଅଜୟ ଦୀକ୍ଷିତ ଏବଂ ଉତ୍କଳ ଆଲୁମିନାର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର