ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା : ପାର୍ଶ୍ୱ ଦେବାଦେବୀ ମନ୍ଦିରର ସ୍ଥିତି ଯାଞ୍ଚ୍‌ ନିର୍ଦ୍ଦେଶ

ମେ’ ୧ରୁ ଜୟବିଜୟ ଦ୍ୱାର ମରାମତି

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ସମସ୍ତ ପାର୍ଶ୍ୱ ଦେବାଦେବୀ ମନ୍ଦିରର ସ୍ଥିତି ସଂପର୍କରେ ଯାଞ୍ଚ କରି ସବିଶେଷ ତଥ୍ୟ ଉପସ୍ଥାପନ ପାଇଁ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁକ୍ତିମଣ୍ଡପ ସହିତ ପରିସରରେ ଥିବା ଅନ୍ୟ ମନ୍ଦିରଗୁଡିକର ସ୍ଥିତି କ’ଣ, କିଭଳି ମରାମତି ଆବଶ୍ୟକ ସେ ସଂପର୍କରେ ଏଏସ୍‌ଆଇ ଯାଞ୍ଚ କରି ରିପୋର୍ଟ ଦାଖଲ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜଗମୋହନ ସାଧାରଣ ଭକ୍ତଙ୍କ ପାଇଁ ଗତ ୧୬ ତାରିଖରୁ ଖୋଲିଥିବାବେଳେ ଏବେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଚାଲିଛି। ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଦୁର୍ବଳ ହୋଇ ପଡିଥିବା ଜୟ ବିଜୟ ଦ୍ୱାର ମରାମତି ପାଇଁ ଯୋଜନା ପ୍ରସ୍ତୁତ ହୋଇ ସାରିଥିବାବେଳେ ପୂର୍ବରୁ ଏଏସ୍‌ଆଇ ନିର୍ଦ୍ଦେଶକ (କନ୍‌ଜରଭେସନ୍‌) ମରାମତି ସ୍ଥଳ ପରିଦର୍ଶନ କରି ଆବଶ୍ୟକ ନିୟମାବଳୀ ଜାରି କରିସାରିଛନ୍ତି। ବୈଷୟିକ କମିଟି ପରାମର୍ଶ ମଧ୍ୟ ପ୍ରଦାନ କରିସାରିଛି। ଏଥିପାଇଁ ହୋଇଥିବା ବ୍ୟୟ ଅଟକଳ ଓ ଅନ୍ୟାନ୍ୟ ପ୍ରସ୍ତାବ ଅନୁମୋଦନ ସରିଥିବା ବେଳେ ମେ’ ୧ ତାରିଖରୁ ଜୟ ବିଜୟ ଦ୍ୱାର ମରାମତି ପାଇଁ ଏଏସ୍‌ଆଇ ଯୋଜନା ରଖିଛି। ଏହି ମରାମତି କାର୍ଯ୍ୟ ସଂପାଦନ ପାଇଁ ଏକ ମାସ ସମୟ ଲାଗିବ।

ଅନ୍ୟପକ୍ଷରେ, ଆସନ୍ତା ୨୬ରେ କୋର୍‌ କମିଟି ବୈଠକ ବସିବ। ଏହି ବୈଠକରେ ପ୍ରସ୍ତାବିତ ଜୟବିଜୟ ଦ୍ୱାର ମରାମତି କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇ ସମୟ ନିର୍ଘଣ୍ଟ ସ୍ଥିର କରାଯିବ। ବୈଠକରେ ଉପସ୍ଥିତ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ଜୟବିଜୟ ଦ୍ୱାର ମରାମତି କାମ ପାଇଁ ନିରୂପଣ କରାଯାଇଥିବା ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରାଯିବା ଆବଶ୍ୟକ। ଜୟବିଜୟ ଦ୍ୱାର ମରାମତି ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଏସ୍‌ଆଇକୁ ନିରୂପଣ କରାଯାଇଥିବା ସ୍ଥାନ ପ୍ରଦାନ କରାଯିବ। ଏଥିସହିତ ସମୟ ନିର୍ଘଣ୍ଟ ଅନୁସାରେ ଏହି ମରାମତି କାର୍ଯ୍ୟ ସଂପାଦନ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୫ରେ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଜୟବିଜୟ ଦ୍ୱାର ମରାମତିର ସ୍ଥିତି ସଂପର୍କରେ ଏଏସ୍‌ଆଇ ଖଣ୍ଡପୀଠଙ୍କୁ ଅବଗତ କରିବ। ଏଥି ସହିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଦେବାଦେବୀଙ୍କ ମନ୍ଦିରଗୁଡିକର ସ୍ଥିତି ଯାଞ୍ଚ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ, ବିଦ୍ୟାଧର ମଙ୍ଗରାଜ, ସୁଆର ମହାସୁଆର ନିଯୋଗ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ଆଇନଜୀବୀ ପ୍ରଣୟ କୁମାର ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର ଓ ଏଏସ୍‌ଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ଜଗମୋହନ ମରାମତି କାର୍ଯ୍ୟ ଏକ ମାସ ପୂର୍ବେ ସରିଥିବା ବେଳେ ଏହାକୁ ରଥଯାତ୍ରା ପରେ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ଚାହୁଥିଲା। ଏପ୍ରିଲ ୧୦ରେ ମାମଲାର ଶୁଣାଣି କରି ଏପ୍ରିଲ ୧୬ ତାରିଖ ସୁଦ୍ଧା ସମସ୍ତ ରୀତି ନୀତି ପାଳନ ସହିତ ଜଗମୋହନ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର