ଜେନାପୁରରେ ଦମକଳ କେନ୍ଦ୍ର ଖୋଲିବା ପ୍ରସଂଗ: ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଧିନସ୍ଥ ଜେନାପୁର ଠାରେ ଦମକଳ କେନ୍ଦ୍ର ଖୋଲିବା ପ୍ରସଂଗରେ ଶୁଣାଣି କରି ପଦକ୍ଷେପ ଗ୍ରହଣ ଲାଗି ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର କରି ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ରାୟ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ସ୍ମିତା ଦାସ, କୁମୁଦ ମିଶ୍ର ଓ ଶକ୍ତି ମିଶ୍ର ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୌଗୋଳିକ ସ୍ଥିତି ଅନୁସାରେ ଜେନାପୁର ଅଞ୍ଚଳରେ ଏକ ଦମକଳ କେନ୍ଦ୍ର ଖୋଲିବା ପାଇଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବରିଷ୍ଠ ନାଗରିକ ମୁରଲୀଧର ପାତ୍ର, ବିନାୟକ ଦାସ, ସନ୍ତୋଷ ସାମନ୍ତ, ଅସୀମା ପଟ୍ଟନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦମକଳ କେନ୍ଦ୍ର ଖୋଲାଗଲେ ଉକ୍ତ ଅଞ୍ଚଳର ଧନଜୀବନକୁ ସୁରକ୍ଷା ହୋଇପାରିବ। ଏହି କେନ୍ଦ୍ର ଜେନାପୁର ଠାରେ ଖୋଲିଲେ ଆଖପାଖ ପଞ୍ଚାୟତବାସୀ ମଧ୍ୟ ଉପକୃତ ହୋଇପାରିବେ ବୋଲି ନିବେଦନପତ୍ରରେ ଦର୍ଶାଇଥିଲେ। ତେବେ ଏହି ଦାବି ଉପରେ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ଜେନାପୁରବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଗୃହ ବିଭାଗ ସଚିବ, ଅଗ୍ନିଶମ ଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର