ରାଜଧାନୀରେ ସିବଲ୍‌ : ବିଜେପିକୁ ଟକ୍କର ଦେବ କଂଗ୍ରେସ!

ଭୁବନେଶ୍ୱର : କର୍ଣ୍ଣାଟକରେ କ୍ଷମତା ହାତେଇବା ପାଇଁ ବିଜେପିର ସମସ୍ତ ରଣକୌଶଳ ବିଫଳ ହୋଇଛି। ଆଜି କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ଏହା ବିଜେପି ବିଶେଷ କରି ମୋଦିଙ୍କର ଜନସାଧାରଣରେ ରହିଥିବା ଭାବମୂର୍ତ୍ତି ଉପରେ ଶକ୍ତ ପ୍ରହାର କରିଛି। ଏଭଳି ସୁଯୋଗକୁ ହାତଛଡ଼ା ନ କରି ପ୍ରତିପକ୍ଷକୁ ପାନେ ଦେବା ଲାଗି କଂଗ୍ରେସ ଏବେ ଜାଗ୍‌ତିଆର। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି କଟକରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେହିପରି ଆସନ୍ତାକାଲି କଂଗ୍ରେସ ଦେଶବ୍ୟାପୀ ବିଶ୍ୱାସଘାତ ଦିବସ ପାଳନ କରିବାକୁ ଡାକରା ଦେଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରକୁ ଆସୁଛନ୍ତି ଦଳର ବରିଷ୍ଠ ନେତା କପିଲ୍‌ ସିବଲ୍‌। ସେ ପଟେ ମୋଦି, ଏ ପଟେ ସିବଲ୍‌। ଫଳରେ ଆସନ୍ତାକାଲି ବିଜେପି ଓ କଂଗ୍ରେସ ମଧ୍ୟରୁ କିଏ କିପରି ଟକ୍କର ଦେଉଛି, କାହାର ବାଜିମାତ୍‌ ହେଉଛି, ତା’ ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଏଭଳି ଘଟଣାକ୍ରମରେ ରାଜ୍ୟର ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି।

ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସୂଚନାନୁସାରେ ଆସନ୍ତାକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କପିଲ୍‌ ସିବଲ୍‌ ଭୁବନେଶ୍ୱରରେ ଆସି ପହଞ୍ଚିବେ। ସେ ବିଶ୍ୱାସଘାତ ଦିବସ ଉପଲକ୍ଷେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ବେଳକୁ ସିବଲ୍‌ କଂଗ୍ରେସ ଭବନରେ ଆୟୋଜିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। କର୍ଣ୍ଣାଟକରେ ଦଳର ବଡ଼ ବିଜୟ ସୁପ୍ତପ୍ରାୟ କଂଗ୍ରେସ ମଧ୍ୟରେ ଉତ୍ସାହ ଉନ୍ମାଦନା ସଞ୍ଚାର କରିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ କଟକ ଗସ୍ତ କରୁଥିବା ବେଳେ ବିଶ୍ୱାସଘାତ ଦିବସ ପାଳନ କଂଗ୍ରେସକୁ ଆଣିଦେଇଛି ମହାର୍ଘ ସୁଯୋଗ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଘେରିବାକୁ କାର୍ଯ୍ୟକ୍ରମ ସ୍ଥିର କରିଛି ପିସିସି। ଆଜି ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ନେଇ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭର ଆୟୋଜନ କରାଯାଇଛି। ଏହି ପ୍ରସଙ୍ଗରେ ବିଜେପି ତଥା ପ୍ରଧାନମନ୍ତ୍ରୀଙ୍କୁ ଘେରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ବିଜେପି ଶାସିତ ଛତିଶଗଡ଼ ରାଜ୍ୟ ସହିତ ମହାନଦୀ ଜଳ ବିବାଦ ଓଡ଼ିଶା ପାଇଁ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ। ଏ ନେଇ ବିଜେଡି ଆନ୍ଦୋଳନ ଜରିଆରେ ଲୋକମାନଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛି। ଏ କ୍ଷେତ୍ରରେ କଂଗ୍ରେସ ଆଗୁଆ ରହିବାକୁ ଯାଇ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛି। ଗତ ୨୩ ତାରିଖରେ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗରେ ମୁଖ୍ୟତଃ ବିଜେପିକୁ ଟାର୍ଗେଟ କରିଥିଲେ। ଛତିଶଗଡ଼ ସରକାରଙ୍କୁ କହି ମହାନଦୀ ଉପରେ ଥିବା ସବୁ ବନ୍ଧ, ବ୍ୟାରେଜ୍‌ ବନ୍ଦ କରି ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ଵାନ ଦେଇଥିଲେ ପିସିସି ସଭାପତି। ଏହି ପରିପ୍ରେକ୍ଷୀରେ ମୋଦି ଓ ସିବଲ୍‌ଙ୍କ ଗସ୍ତ ଉଭୟ କଂଗ୍ରେସ ଓ ବିଜେପି କର୍ମୀମାନଙ୍କ ମନୋବଳ କେତେ ବୃଦ୍ଧି କରିପାରୁଛି, ତାହା ଦେଖିବାର କଥା।

ସମ୍ବନ୍ଧିତ ଖବର