କୋଣାର୍କ ସଂରକ୍ଷଣ ଓ ମରାମତି ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ

କଟକ : ବିଶ୍ବଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ପ୍ରସଂଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କୋଣାର୍କ ମନ୍ଦିର ସଂରକ୍ଷଣ ଓ ମରାମତି ପାଇଁ ରହିଥିବା ଯୋଜନା ସଂପର୍କରେ ଫେବ୍ରୁଆରି ୧୮ ତାରିଖରେ ଏଏସଆଇ ମହାନିର୍ଦ୍ଦେଶକ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ସମୟ ନିର୍ଘଣ୍ଟ ଅନୁସାରେ ମରାମତିି କାର୍ଯ୍ୟ ଆଗେଇ ନାହିଁ। ଏପରି ପରିସ୍ଥିତିରେ ପରବର୍ତ୍ତୀ ଶୁଣାଣି ସମୟରେ କୋଣାର୍କ ମରାମତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’୬ରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀ ଆଇନଜୀବୀ ଦିଲ୍ଳୀପ କୁମାର ମହାପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର