ମାନିଲେନି କଟକଣା: ଦୋକାନ ଖୋଲି ବିକିଲେ ମଦ

ବ୍ୟାସନଗର : ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ବିକିବାକୁ ଘୋଷଣା କରିଥିଲେ। ଅନ୍‌ଲାଇନ୍‌ରେ ଅର୍ଡର ନେଇ ଘରେ ମଦ ପହଞ୍ଚାଇବାକୁ ଯୋଜନା କରିଥିଲେ। ହେଲେ ବ୍ୟାସନଗରରେ ମଦ ଦୋକାନୀ ଏହାକୁ ମାନିଲେନି। ସିଧା ଦୋକାନ ଖୋଲି ମଦ ବିକିଲେ। ଏଥିପାଇଁ ଆଜି ‌ପୁଲିସ ଏବଂ ଅବକାରୀ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା।

ସରକାରଙ୍କ ନିଷ୍ପତ୍ତି ପ୍ରକାରେ ମଦ ଦୋକାନୀ ଗ୍ରାହକଙ୍କୁ ସେମାନଙ୍କ ଘରେ ମଦ ପହଞ୍ଚାଇବା କଥା। ତେବେ ଆଜି ବ୍ୟାସନଗରର କେତେକ ମଦ ଦୋକାନ ସକାଳୁ ଅଫ୍‌ ଲାଇନ୍‌ରେ ବିକ୍ରି କରିଥି‌ଲେ। ମଦ ଦୋକାନ ଖୋଲା ହୋଇଥିବା ଜାଣିବା ପରେ ଶହ ଶହ ସଂଖ୍ୟାର ଗ୍ରାହକ ମାଡ଼ିଆସିଥିଲେ । ମଦ ଦୋକାନ ଆଗରେ ପ୍ରବଳ ଭିଡ଼ ହୋଇଥିବା ଖବର ପାଇ ପୁଲିସ ପହଞ୍ଚିଥିଲା। ମଦ ପାଇଁ ଭିଡ଼ ଲାଗଇଥିବା ଗ୍ରାହକୁ ମାଡ଼ ମାରି ଘଉଡ଼ାଇବା ସହ ଦୋକାନ ବନ୍ଦ କରିବାକୁ କହିଥିଲେ। ଆଜି ସହରର ପାନଗଳିରେ ଥିବା ଏକ ବାର୍‌, ଚୋରାଦା ବାଇପାସ୍‌ରେ ଥିବା ଦୁଇଟି ମଦ ଦୋକାନ, ଦଳାଛକରେ ଥିବା ମଦ ଦୋକାନରେ ସକାଳୁ ମଦ ବିକ୍ରି ହୋଇଥିଲା। ପୁଲିସ ପାନଗଳିରେ ଥିବା ବାର୍‌ରେ ତାଲା ପକାଇ ଚାବି ନେଇଯାଇଥିଲା । ସେହିପରି ଅନ୍ୟ ମଦ ଦୋକାନ ସମ୍ମୁଖରେ ଥିବା ଗ୍ରାହକଙ୍କୁ ଘଉଡ଼ାଇଥିଲା। ସହରରେ ଆଜି ଅଫ୍‌ଲାଇନ୍‌ରେ ମଦ ବିକ୍ରିକୁ ଅବକାରୀ ବିଭାଗ ସ୍ବୀକାର କରିଛି । ଅବକାରୀ ବିଭାଗର ଅଧିକାରୀ ପ୍ରସନ୍ନ କୁମାର ମହାନ୍ତି କହିଛନ୍ତି ଯେ, କେତେକ ଦୋକାନୀ ସରକାରୀ ନିୟମକୁ ଉଲ୍ଲଂଘନ କରି ମଦ ବିକ୍ରି କରିଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଯାଜପୁର ରୋଡ଼ ପୁଲିସକୁ କୁହାଯାଇଛି। ମଦ ଦୋକାନ ଖୋଲିବା ପୂର୍ବରୁ ଦୋକାନରେ କେତେ ମଦ ମହଜୁଦ୍‌ ରହିଛି ଯାଞ୍ଚ ହୋଇନଥିବା ବେଳେ ଏହା ପୂର୍ବରୁ ବିକ୍ରି କରାଯିବା ଘଟଣା ଅନେକ ପ୍ରଶ୍ନ ଉଠାଉଛି।

ସମ୍ବନ୍ଧିତ ଖବର