ବିଜୁ ଏକ୍ସପ୍ରେସ ଓ୍ଵ’ ପ୍ରଧାନପାଲି ଗେଟ୍‌ରେ ଟୋଲ ଆଦାୟକୁ ବିରୋଧ : ୬ ଘଣ୍ଟା ରାସ୍ତା ଅବରୋଧ, ୫୨ ଗିରଫ

ଆଲୋଚନା ବିଫଳ

ରେଂଗାଲି/ସମ୍ବଲପୁର : ସମ୍ବଲପୁର-ରାଉରକେଲା ୧୦ ନଂ ରାଜ୍ୟପଥ ଚାରିଥାକିଆ ହୋଇ ‘ବିଜୁ ଏକ୍ସପ୍ରେସ୍‌ େଓ୍ଵ’ରେ ପରିଣତ ହେବା ପରେ ଏହା ଉପରୁ ଟୋଲ ଆଦାୟକୁ ନେଇ ବିବାଦ ତେଜିବାରେ ଲାଗିଛି। ଟୋଲକୁ ବିରୋଧ କରି ଶନିବାର ସୁନ୍ଦରଗଡ଼ ବନ୍ଦ ହୋଇଥିବା ବେଳେ ରବିବାର ସମ୍ବଲପୁର ଜିଲ୍ଲା ପ୍ରଧାନପାଲି ନିକଟରେ ରାସ୍ତା ଅବରୋଧ ହୋଇଥିଲା। ପ୍ରଧାନପାଲି ଟୋଲ ପ୍ଲାଜାରେ ସମ୍ବଲପୁର ନମ୍ବର (ଓଆର୍‌ ୧୫ ଓ ଓଡି ୧୫) ଥିବା ଗାଡ଼ି ଗୁଡ଼ିକୁ ମାଗଣାରେ ଛାଡ଼ିବା ଦାବିରେ ସ୍ଥାନୀୟ ଲୋକେ ଜୋରଦାର ଆନ୍ଦୋଳନ କରିଥିଲେ।

ଟୋଲ ଆଦାୟକୁ କେନ୍ଦ୍ର କରି ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ହୋଇଥିବା ତ୍ରିପାକ୍ଷିକ ବୈଠକରେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସମ୍ବଲପୁର ନମ୍ବର ଥିବା ଗାଡ଼ିରୁ ଟୋଲ ନିଆଯିବ ନାହିଁ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲାବେଳେ ତାକୁ ଅମାନ୍ୟ କରି ଏଲ୍‌ ଆଣ୍ଡି ଟି କମ୍ପାନି ରବିବାର ସକାଳୁ ଟୋଲ ଆଦାୟ କରିଥିଲା। ଫଳରେ ସକାଳ ୬ଟାରୁ ପ୍ରଧାନପାଲି ଟୋଲ ପ୍ଲାଜା ନିକଟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ମାଲବାହୀ ଟ୍ରକ୍‌, ପିକଅପ୍‌ ସବୁ ରାସ୍ତାରେ ଅଟକି ରହିଥିଲା। ବସ୍‌ ଓ ଘରୋଇ ଗାଡ଼ି ଗୁଡ଼ିକର ଚଳାଚଳ ସ୍ୱାଭାବିକ ରହିଥିଲା। ସକାଳୁ ସମ୍ବଲପୁର ଟ୍ରକ୍‌ ମାଲିକ ସଂଘ, ମିନି ଟ୍ରକ ମାଲିକ ସଂଘ, ରୋଡ ଆଣ୍ଡ ବିଲ୍‌ଡିଂ ସଂଘ, ଚେମ୍ବର ଅଫ୍‌ କମର୍ସ, ସମ୍ବଲପୁର ବିକାଶ ମଂଚ, ସମ୍ବଲପୁର ଓକିଲ ସଂଘ, ସମ୍ବଲପୁର ଟ୍ୟାକ୍ସି ସଂଘ, ରେଂଗାଲି ଟ୍ରକ୍‌ ମାଲିକ ସଂଘ, ରେଂଗାଲି ନାଗରିକ କମିଟିର ଶତାଧିକ ସଦସ୍ୟ ପ୍ରଧାନପାଲି ଟୋଲ ପ୍ଲାଜା ନିକଟରେ ଆନ୍ଦୋଳନ କରିଥିଲେ। ୪ ପ୍ଲାଟୁନ ଫୋର୍ସ ମୁତୟନ କରା ଯାଇଥିଲା।

ପରେ ସମ୍ବଲପୁର ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା, ଏସଡିପିଓ ମିହିର ପଣ୍ଡା, ଏଡିଏମ ତ୍ରିଲୋଚନ ମାଝି, ଏସ୍‌ଏମ୍‌ସି କମିସନର ବିମଳେନ୍ଦୁ ରାୟ, ସଦର ତହସିଲଦାର ସରୋଜ ବିଶ୍ୱାଳ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଂଜୟ ସାହୁ, ସହକାରୀ ଯନ୍ତ୍ରୀ ନାରାୟଣ ପଟେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହିଥିଲେ। ଏହା ପରେ ପୁଲିସ ୫୨ ଜଣଙ୍କୁ ଗିରଫ କରି ନେବା ପରେ ଦିନ ପ୍ରାୟ ଗୋଟାଏ ବେଳେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର