କୋରାପୁଟରେ ଲକ ଡାଉନ ନିୟମକୁ ଫୁ : କେତେ ବୁଝେଇଲେ ଆଉ ଚେତିବେ?
ପରିବା ବଜାର, ରାସନ ଦୋକାନର ଭିଡ଼, ବଜାରରେ ଆଳୁର ଅଭାବ
କୋରାପୁଟ : ଲାଗିଛି ଲକ ଡାଉନ। ବିନା କାରଣରେ ଘରୁ କେହି ନ ବାହାରିବା ପାଇଁ ସରକାର, ପ୍ରଶାସନ ବାରମ୍ବାର ବାରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ରାଣ ପକାଉଥିଲାବେଳେ ପ୍ରଧାନମନ୍ତ୍ରୀ ହାତଯୋଡି ନେହୁରା ହେଉଛନ୍ତି। କିନ୍ତୁ ଲୋକେ ମାନିବାକୁ ନାରାଜ। ବିନା କାରଣରେ ବାହାରେ ବୁଲୁଛନ୍ତି। ଯାତ୍ରା ଲାଗିବା ପରି ବଜାରକୁ ଧାଉଁଛନ୍ତି। ଫଳରେ କୋରାପୁଟରେ ସାମାଜିକ ଦୂରତ୍ବ ନିୟମ ଚୁଲିକୁ ଯାଉଛି। ଆଜି କୋରାପୁଟ ଜିଲ୍ଲାର ସଦର ମହକୁମାର ସମେତ ଜୟପୁର ଓ କିଛି ଛୋଟ ସହରରେ ଲୋକମାନେ ଲକ ଡାଉନ ନିୟମକୁ ଖୋଲାଖୋଲି ପାଦରେ ଦଳି ଦେଇଛନ୍ତି। ବିଭିନ୍ନ ବାହାନାରେ ବଜାରରେ ଗହଳି କରିଛନ୍ତି। ପରିବା ବଜାର ଓ ରାସନ ଦୋକାନରେ ଅଯଥା ଭିଡ କରିଛନ୍ତି। ପୁଣି ଆଜି ଜିଲ୍ଲାରେ ହଠାତ ଆଳୁର ଅଭାବ ଦେଖା ଦେଇଛି। ଏପଟେ ଅମାନିଆଙ୍କୁ ବାଟକୁ ଆଣିବା ପାଇଁ ପୁଲିସ ଲାଠି ଦେଖାଇବା ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି l ଏହି ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି l କୋରାପୁଟ ଜିଲ୍ଳାରେ ଏହାର ପ୍ରଭାବ କିନ୍ତୁ ସେମିତି ପଡିନି। ସହର ବଜାରକୁ ଦେଖିଲେ ନିୟମକୁ କଡାକଡି ପାଳନ କରାଯାଉ ନ ଥିବା ମନେ ହେଉଛି। ପରିବା ବଜାର ଓ ରାସନ ଦୋକାନ ଗୁଡିକରେ ଆଦୌ ସାମାଜିକ ଦୂରତ୍ୱ ରହୁ ନାହିଁ l ଆଜି ଲକ ଡାଉନର ପ୍ରଥମ ଦିନରେ ସହରରୁ ଗାଁ ପର୍ଯ୍ୟନ୍ତ ସବୁଠି ଅଯଥା ଗହଳି ଦେଖିବାକୁ ମିଳିଛି। ବିନା କାମରେ ଲୋକେ ବଜାରକୁ ବୁଲିବାକୁ ଆସିଛନ୍ତି। କିଏ ଚା’ ପିଇବାକୁ ତ କେହି ସିଗାରେଟ ପାଇଁ ବାଇକ ନେଇ ବଜାରରେ ଘୁରୁଛନ୍ତି। ବିଭିନ୍ନ ବାହାନ କରି ସହର ସାରା ଚକକର କାଟୁଛନ୍ତି। ଏଥିପାଇଁ ଆଜି ସକାଳୁ କୋରାପୁଟ ସହରରେ ଭିଡ ଦେଖିବାକୁ ମିଳିଥିଲା। କିଛି ଲୋକ କାମରେ ଆସିଥିଲାବେଳେ ଅଧିକାଂଶ ବିନା କାରଣରେ ବୁଲୁଥିଲେ। କେଉଁଠି ବି ସାମାଜିକ ଦୂରତ୍ବ ନ ଥିଲାବେଳେ ଲୋକେ ପାଖାପାଖି ବୁଲୁଥିଲେ। ରାସ୍ତାରେ ୪ ଚକିଆ ଯାନ ନ ଥିଲେ ମଧ୍ୟ ଦୁଇ ଚକିଆ ଗଡୁଥିଲା। କାଁ, ଭାଁ ୪ ଚକିଆ ଯାନ ଦେଖିବାକୁ ମିଳିଥିଲା। ବସ ଓ ରେଳ ଚଳାଚଳ ବନ୍ଦ ଥିବାରୁ ଗହଳି ପତଳା ଥିଲା। କିନ୍ତୁ ଲକଡାଉନ ଭଳି ସ୍ଥିତି ଆଦୌ ନ ଥିଲା। ସକାଳୁ ଲାଗୁଥିଲା, ସହରରେ ସବୁ କିଛି ସ୍ବାଭାବିକ ଚାଲିଛି। କେବଳ କୋରାପୁଟ ସହର ନୁହେଁ, ଜୟପୁର ଓ ଅନ୍ୟ ଛୋଟ ସହରରେ ବି ସମାନ ଚିତ୍ର। ଗ୍ରାମାଞ୍ଚଳରେ ବି ଏହି ଲକ ଡାଉନ ଆଇନକୁ କଡାକଡି ମାନି ନ ଥିଲେ ଲୋକେ।
ଆଜି ସକାଳୁ ଉଭୟ ପରିବା ଓ ରାସନ ଦୋକାନରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି। ପରିବା, ରାସନ ଟିକେ ପାଇବାକୁ ଲୋକଙ୍କ ମଧ୍ୟରେ ଠେଲା ପେଲା ହେଉଛି l ଦର ନିୟନ୍ତ୍ରଣ କରିବାରେ ଯୋଗାଣ ବିଭାଗ ସଂପୂର୍ଣ ଫେଲ ମାରିଛି। ଫଳରେ ପ୍ରଥମ ଦିନରେ ବଜାରରୁ ଆଳୁର ଅଭାବ ଦେଖା ଯାଇଛି। କିଛି ଦୋକାନୀ ଆଳୁ ଗଛିତ ରଖି ଦେଇଥିଲାବେଳେ ଆଉ କିଛି ଲୋକ ଘରକୁ ଅଧିକ ପରିମାଣର ବୋହି ନେଇଛନ୍ତି। ଚାହିଦା ମୁତାବକ ଆଳୁ ପହଞ୍ଚି ପାରି ନ ଥିବାରୁ ଏହାର ଦର ବଢି ଯିବା ସହ ଅଧିକାଂଶ ଦୋକାନରେ ଆଳୁ ମିଳୁନି। ଅପରପକ୍ଷରେ ଆଳୁର ଦର ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗ ଟିମ ହୋଲସେଲ ଓ ଖୁଚୁରା ବଜାରରେ ଚଢାଉ କରିଛି। ବାରମ୍ବାର ବେପାରୀଙ୍କୁ ତାଗିଦ କରାଯାଉଛି। ଏହା ସତ୍ୱେ ହୋଲସେଲ ଓ ଖୁଚୁରା ବେପାରି ଅତ୍ୟାବଶକ ସାମଗ୍ରୀ ଚଢା ଦରରେ ବିକ୍ରି କରୁଛନ୍ତି। ଆଳୁ କିଲୋ ଖୁଚୁରା ବଜାରରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ଦିନକରେ ଆଳୁର ଦର ପାଖାପାଖି ୧୦ ଟଙ୍କା ବଢି ଯାଇଛି। ପିଆଜ, ଅଟା, ଚାଉଳ, ଡାଲି, ତେଲରେ ମଧ୍ୟ ସେଇ ସମାନ ସ୍ଥିତି l
ଆଜି ସକାଳୁ ଲକଡାଉନ ସତ୍ତ୍ବେ ବିଭିନ୍ନ ସ୍ଥାନରେ ଗହଳି ହେବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତେବେ ପ୍ରଥମ ଦିନରେ ପୁଲିସର ଲାଠି ପ୍ରାୟ ନୀରବ ରହିଛି। କେତକ ସ୍ଥାନରେ ଭିଡ ଏଡ଼ାଇବାକୁ ପୁଲିସ ସଚେତନ କରିଛି। ଲାଠି ଦେଖାଇବାକୁ ମଧ୍ୟ ବାଧ୍ୟ ହେଉଛି। କେତେକ ସ୍ଥାନରେ ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେବି ଲୋକେ ମୋଟର ସାଇକେଲରେ ସହରର ପରିସ୍ଥିତି ଦେଖିବା ପାଇଁ ବାହାରି ଆସିଛନ୍ତି । ସମସ୍ତ ବାରଣକୁ ବେଖାତିର କରୁଥିବା ଏପରି ବାଇକ ଆରୋହୀଙ୍କୁ ଅଟକାଇ ସେମାନଙ୍କ ମୋଟର ସାଇକେଲକୁ ପୁଲିସ ଜବତ କରିଛି। ନିଜେ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ ରାସ୍ତାରେ ଠିଆ ହୋଇ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି । ଅଯଥା ତର୍କ କରୁଥିବା କିଛି ବାଇକ ଆରୋହୀଙ୍କ ମୋଟର ସାଇକେଲକୁ ଏପ୍ରିଲ ୧୫ ତାରିଖ ପରେ ଥାନାରୁ ଆସି ନେବା ପାଇଁ ଶ୍ରୀ ଦୀପ ନିର୍ଦେଶ ଦେଇଛନ୍ତି । ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଦେଖି ସକାଳୁ ବେପରୁଆ ଭାବେ ଚାଲୁଥିବା ବାଇକ ଆରୋହିଙ୍କ ସଂଖ୍ୟା ଅପରାହ୍ନ ବେଳକୁ କିଛି ମାତ୍ରାରେ କମିଯାଇଥିବା ଦେଖାଯାଇଛି।