ଶ୍ରୀମନ୍ଦିରକୁ କମ୍ପନ ବିପଦ : ଅନୁଧ୍ୟାନ କରିବ ମାଡ୍ରାସ ଆଇଆଇଟି

ପୁରୀ : ବଡ଼ ଦେଉଳ ପ୍ରତି ରହିଛି କମ୍ପନ ବିପଦ। ମନ୍ୟୁଷକୃତ ହେଉ ବା ପ୍ରାକୃତିକ, ବିଶେଷଜ୍ଞମାନେ ଏପରି କମ୍ପନ ବିପଦ ଆଶଙ୍କା କରିଛନ୍ତି। ସେଥି ପାଇଁ ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ ପ୍ରୟୋଗ କରାଯିବ ଢାଞ୍ଚାଗତ ସ୍ବାସ୍ଥ୍ୟ ଅନୁଧ୍ୟାନ ବୈଷୟିକ କୌଶଳ (ଏସ୍‌ଏଚ୍‌ଏମ୍‌)। ପ୍ରଥମ ପର୍ଯ୍ୟାୟରେ ଜଗମୋହନ, ନାଟମଣ୍ଡପ ଏବଂ ମୂଳ ମନ୍ଦିରରେ ଏ ନେଇ ଅତ୍ୟାଧୁନିକ ସେନ୍‌ସର ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରିବ ମାଡ୍ରାସ ଆଇଟିଆଇ। ଏଥି ପାଇଁ ସବୁ ପ୍ରସ୍ତୁତି ସରିଛି ଏବଂ ଖୁବ ଶୀଘ୍ର ବିଶେଷଜ୍ଞ ଦଳ ଶ୍ରୀମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଅର୍ନ୍ତଜାତିକ ଭୂ୍ତତ୍ତ୍ବବିତ ପ୍ରଫେସର ଡ.ମନମୋହନ ମହାନ୍ତିଙ୍କ କହିବା ଅନୁଯାୟୀ, ବଙ୍ଗୋପସାଗର ତଳେ ଥିବା ପ୍ଲେଟ୍ ଚଳନୀୟ। ନିୟମିତ ଭାବେ ଏହାର ସଙ୍କୋଚନ ଓ ପ୍ରସାରଣ ହେଉଛି। ଏହା ଦ୍ବାରା ପୁରୀ ଓ କୋଣାର୍କ ଅଞ୍ଚଳର ଢାଞ୍ଚାରେ ଆସୁଛି ପରିବର୍ତ୍ତନ। କିଛି ଢାଞ୍ଚା ଢଳିବା ସ୍ଥିତିରେ ରହିଛି। ଯାହା ଖାଲି ଆଖିରେ ଜଣାପଡ଼ିବ ନାହିଁ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଅନେକ ସମୟରେ ସମୁଦ୍ରରେ ଭୂକମ୍ପ ହେଉଛି। ସେଥି ପାଇଁ ଶ୍ରୀମନ୍ଦିର ଭଳି ପୁରାତନ ଐତିହ୍ୟ ଉପରେ ଏହାର ପ୍ରଭାବ ପଡ଼ୁଛି। ଜଗମୋହନ ମରାମତି ବେଳେ ଏଏସ୍‌ଆଇ ବୈଷୟିକ କମିଟି ସଦସ୍ୟ ଡ.ଏନ.ସି ପାଲ ମୂଳଦୁଆ ବେଶୀ ତଳକୁ ଯାଇନାହିଁ ବୋଲି କହିଥିଲେ। ପାରମ୍ପରିକ ସ୍ଥପତିଙ୍କ କହିବାନୁସାରେ, ଶ୍ରୀମନ୍ଦିର ଯେତିକି ଉପରକୁ ଅଛି, ସେତିକି ପୋତା ହୋଇଛି। ଭୂକମ୍ପ ଦ୍ବାରା ଢାଞ୍ଚା ଉପରେ ଏହାର ପ୍ରଭାବ ନିଶ୍ଚିତ ରହୁଛି। ଏହାଛଡା ମନ୍ୟୁଷକୃତ ପ୍ରଭାବ ବି ବଢୁଛି। ଶ୍ରୀମନ୍ଦିର ଚାରିପଟେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। ଗାଡ଼ିମଟର ଚାଲୁଛି। ଛାତି ଥରାଇ ଦେଲା ଭଳି ବାଦ୍ୟଯନ୍ତ୍ର ବି ବାଜୁଛି। ଏହାର କମ୍ପନ ସିଧାସଳଖ ଶ୍ରୀମନ୍ଦିର ଉପରେ ପଡୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର