ମହାନଦୀ ରାଜନୀତି ତେଜୁଛି : ମୋଦିଙ୍କ ମନ୍ତବ୍ୟକୁ ନେଇ ଆରୋପ-ପ୍ରତ୍ୟାରୋପ ଜାରି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜ୍ୟ ସରକାରଙ୍କୁ ଦୋଷ ଠେଲିଥିଲେ। ତତ୍‌କ୍ଷଣାତ୍‌ ବିଜେଡି ମୋଦିଙ୍କ ମନ୍ତବ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲା ବେଳେ କଂଗ୍ରେସ ପକ୍ଷରୁ ମୋଦିଙ୍କ ମନ୍ତବ୍ୟକୁ ମିଥ୍ୟା ବୋଲି କୁହାଯାଇଥିଲା। ଆଜି ବି ମୋଦିଙ୍କ ମନ୍ତବ୍ୟକୁ ନେଇ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଫଳରେ ମହାନଦୀ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଦେଇଛି।

ବିଜେଡି ଆଜି ପୁଣି ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ହତାଶଜନକ। ଓଡ଼ିଶାର ଲୋକଙ୍କ ପ୍ରତି ତାଙ୍କର କୌଣସି ଅଙ୍ଗୀକାର ନାହିଁ। ତାଙ୍କ ଭାଷଣରେ ଦ୍ୱନ୍ଦ୍ୱ ରହିଛି। ଏହା ସମସ୍ତଙ୍କୁ ଜଣା ଯେ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ପାଇଁ ଦାବି କରିଥିଲେ ଓ କେନ୍ଦ୍ର ଏହାକୁ ବିରୋଧ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ଅନିଚ୍ଛା ସତ୍ତ୍ୱେ ଟ୍ରିବ୍ୟୁନାଲ୍‌ ଗଠନ କରିଛନ୍ତି। ଆଜି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ୍‌କୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କଲେନି। ଆଗକୁ ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ଟ୍ରିବ୍ୟୁନାଲ୍‌କୁ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଗତକାଲି ପରି ଆଜି ବି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ କଠୋର ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଲେନି। ବରଂ ଛତିଶଗଡ଼କୁ ସମର୍ଥନ କଲେ। ଏହା ସତ୍ୟ ଯେ ବର୍ଷା ଦିନେ ସମୁଦ୍ରକୁ ଅଧିକ ପାଣି ଚାଲିଯାଏ। ବର୍ଷର ଅନ୍ୟ ସମୟରେ ମହାନଦୀରେ ଜଳସଙ୍କଟର ସମସ୍ୟା କିପରି ସମାଧାନ ହେବ ? ମୋଦି ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବିଜେପି ନେତା ଭାବେ ମନ୍ତବ୍ୟ ଦେଇଛନ୍ତି ବୋଲି ପିସିସି ସଭାପତି କହିଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, ଟ୍ରିବ୍ୟୁନାଲ୍‌ ଗଠନ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା। ଦ୍ୱିତୀୟ ଶୁଣାଣିରେ ସୁପ୍ରିମକୋର୍ଟ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଓକିଲ ଟ୍ରିବ୍ୟୁନାଲ୍‌କୁ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ଆଇନ୍‌ ଅନୁଯାୟୀ ଯିବାକୁ ଚାହିଁଲେ। ଫଳରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଟ୍ରିବ୍ୟୁନାଲ୍‌ ଗଠନ କଲେ।

ଅପର ପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, କେନ୍ଦ୍ର ଚେଷ୍ଟା କରୁଛି ଆଗାମୀ ଦିନରେ କିପରି ଜଳ ବିବାଦର ସମାଧାନ ହୋଇପାରିବ। ସଂଘୀୟ ବ୍ୟବସ୍ଥାରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ କେନ୍ଦ୍ର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ। ମହାନଦୀର ୫୦ ପ୍ରତିଶତ ପାଣି ସମୁଦ୍ରକୁ ଚାଲିଯାଉଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ଭୁଲ୍‌ ରହିଲା କେଉଁଠି ? ଏହି ଜଳସମ୍ପଦକୁ ନଷ୍ଟ ନ କରିବା ପାଇଁ ପଦକ୍ଷେପ ନେବାକୁ ୧୮ ବର୍ଷ ଭିତରେ ଓଡ଼ିଶା ସରକାରଙ୍କୁ କିଏ ଅଟକାଇଥିଲା ? କାହିଁକି ରାଜ୍ୟ ସରକାର କିଛି ଯୋଜନା କଲେନି ? ଜଳସମ୍ପଦ ବିଭାଗକୁ ଯେତିକି ଆର୍ଥିକ ଅନୁଦାନ ଦିଆଯାଉଥିଲା, ତାହା ଖର୍ଚ୍ଚ ହୋଇପାରୁ ନ ଥିଲା। ଯେତିକି ଖର୍ଚ୍ଚ ହେଉଥିଲା ସେତିକି ହରିଲୁଟ୍‌ ହେଉଥିଲା। ଏବେ କେବଳ ରାଜନୀତି କରିବାକୁ ମହାନଦୀକୁ ପ୍ରସଙ୍ଗ କରୁଛି ବିଜେଡି। ଓଡ଼ିଶାବାସୀ ଏହାକୁ ଠିକ୍‌ ତର୍ଜମା କରିବେ।

ସମ୍ବନ୍ଧିତ ଖବର