ବରଗଡ଼ରେ ମାତିଛନ୍ତି ହାଇୱେ ଲୁଟେରା, ହାଣିଲେ, ଲୁଟିନେଲେ

ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍‌

ବରଗଡ଼ : ବରଗଡ଼ ଜିଲ୍ଲାରେ ହାଇୱେ ଲୁଟେରା ମାତିଛନ୍ତି। କିନ୍ତୁ ପୁଲିସ୍‌ କିଛି ବିହିତ ପଦକ୍ଷେପ କିମ୍ବା ପାଟ୍ରୋଲିଂ ବ୍ୟବସ୍ଥା କରୁନଥିବାରୁ ଲୁଟେରାଙ୍କ ଉତ୍ପାତ ବଢ଼ି ଚାଲିଛି। ବରଗଡ଼ ବାଇପାସ୍‌ ବିକାଶ ସ୍କୁଲ ଛକରୁ ହଳଦୀପାଲି ଛକ ମଧ୍ୟରେ କ୍ରମାଗତ ଲୁଟ୍ ହେଉଛି। ଏନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ ପୁଲିସ୍‌ ପକ୍ଷରୁ ଠୋସ୍‌ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଫଳସ୍ବରୂପ ଶନିବାର ଭୋର୍‌ରେ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ମାରଣାନ୍ତକ ଆକ୍ରମଣ ହୋଇ ଲୁଟ୍‌ ହୋଇଛି। ଘୁଲିପାଲି ଛକ ପାଖରେ ଭୋର୍‌ ୪ଟା ୧୫ରେ ଲୁଟ୍‌ ଶିକାର ହୋଇଛନ୍ତି ପଦ୍ମପୁରର ଆ‌ୟୁର୍ବେଦିକ ଡାକ୍ତର ଅଜୟ ସାହୁ। ସେ ବାଇକ୍‌‌ (ଓଡି ୧୭ଜି ୪୦୪୪)ରେ ସମ୍ବଲପୁରରୁ ପଦ୍ମପୁର ଆସୁଥିଲେ। ଅଜୟଙ୍କ କହିବା ହେଲା, ଘୁଲିପାଲି ପାଖରେ ପିକ୍‌ଅପ୍‌ ଭ୍ୟାନ୍‌ରେ ୫/୬ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଭୁଜାଲିରେ ଆକ୍ରମଣ କରିଥିଲେ। ତାଙ୍କ ପାଖରୁ ୯ହଜାର ଟଙ୍କା, ମୋବାଇଲ୍‌ ଏବଂ ସୁନାଚେନ୍‌ ଲୁଟି ନେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଅଜୟଙ୍କୁ ଅଶୋକା ବିଲ୍‌ଡକନ୍‌ର ପାଟ୍ରୋଲିଂ ଗାଡ଼ି ଉଦ୍ଧାର କରିଥିଲା। ଏନେଇ ଅଜୟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାଇପାସ୍‌ ରାସ୍ତାରେ ସଂଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଲାଗୁଛି। ସେମାନେ ଟ୍ରକ୍‌ ଏବଂ ଅନ୍ୟ ଗାଡ଼ିକୁ ଆଖିବୁଜା ‌େଢଲା ମାରୁଛନ୍ତି। ଗାଡ଼ି ଅଟକିଲେ ଲୁଟ୍‌ପାଟ୍‌ କରୁଛନ୍ତି।

ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍‌

ଅମ୍ବାଭୋନା :  ଅମ୍ବାଭୋନା  ଥାନା ଅନ୍ତର୍ଗତ  ସମ୍ବରଦରହା ଜଙ୍ଗଲ ବୁଲାଣି ରାସ୍ତାରେ ଆଜି ଭୋର ୪ଟାରେ ଦୁର୍ବୃତ୍ତମାନେ ଟ୍ରକ୍‌ ଅଟକାଇ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍‌ପାଟ୍‌ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ରାଇଭର୍‌ ଗୁରୁତର ହୋଇପଡ଼ିଛନ୍ତି। ଟ୍ରକ୍‌ ଛତିଶଗଡ଼ରୁ ବରଗଡ଼ ଅଭିମୁଖେ ଯାଉଥିଲା। ସମ୍ବରଦର୍‌ହା ପାଖରେ ଟ୍ରକ୍‌ (ଏପି ୦୭ଜି ୭୪୩୯) ସମ୍ମୁଖରେ  ୫/୬ଜଣ ଦୁର୍ବୃତ୍ତ କାର୍‌ ରଖି ଅଟକାଇଥିଲେ। ଡ୍ରାଇଭର୍‌ କେଦାରନାଥ ସାହାଙ୍କୁ ଟଙ୍କା ମାଗିଥିଲେ। ‌ ସେ ଟଙ୍କା ନଦେବାରୁ  ଟ୍ରକ ଭିତରୁ ଟାଣି ଆଣି ରାସ୍ତା ଉପରେ ଲୁଟ୍‌ପାଟ୍‌ କରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। କେଦାରନାଥ ଚେତା ହରାଇବା ପରେ ଦୁର୍ବୃତ୍ତ ମାନେ ଫେରାର ମାରିଥିଲେ। ଆକ୍ରମଣରେ ତାଙ୍କ ଛାତି ଓ ବାମ ଜଙ୍ଗରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେ ମୁଜାଫରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର