ମୟୂରଭଞ୍ଜ ବିଜେପିରେ ଗୋଷ୍ଠୀ କନ୍ଦଳ

ବାରିପଦା: ସାଧାରଣ ନିର୍ବାଚନକୁ ଆଉ ବର୍ଷଟିଏରୁ କମ୍‌ ସମୟ ଅଛି। ଏହା ପୂର୍ବରୁ ବିଜେପିରେ ଥିବା ଗୋଷ୍ଠୀ କନ୍ଦଳର ଚିତ୍ର ପଦାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲେଖାଶ୍ରୀ ସାମନ୍ତସିଂସାହରଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଚାଲିଥିବାବେଳେ ଏହି ଅଭିଯାନରେ ଜିଲ୍ଲାର  ବିଜେପି ନେତ୍ରୀ ଛବି ମାହାଲିଙ୍କୁ ସାମିଲ କରାଯାଇନଥିବାରୁ ସେ ନିଜ ସମର୍ଥକଙ୍କ ସହ ସଭାସ୍ଥଳକୁ ଯାଇ ଏହା ବିରୋଧରେ ବିଷୋଦଗାର କରିଛନ୍ତି।   ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିବା ଏଭଳି ଏକ ଭିଡିଓ ବିଜେପିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ଏହି ଭିଡିଓରେ ବିଜେପି ନେତ୍ରୀ ଛବି ମାହାଲି ଦଳର କିଛି ବିଜେପି ନେତା ଏବଂ ନୀତି ବିରୋଧରେ ଯେଉଁଭଳି ଭାବେ କ୍ରୋଧ ପ୍ରକାଶ କରିବା ସହ ଗର୍ଜନତର୍ଜନ କରିଛନ୍ତି ତାହା ପ୍ରତି ବିଜେପି ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।   କ୍ଷୁବ୍ଧ ଛବି ଜିଲ୍ଲାର କିଛି ନେତା ଓ ଲେଖାଶ୍ରୀଙ୍କୁ ଆକ୍ଷେପ କରି ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ଗୁରୁବାର ରାସଗୋବିନ୍ଦପୁର ଏବଂ ମୋରଡ଼ାରେ ବିଜେପି ପକ୍ଷରୁ କରାଯାଇଥିବା ମହିଳା ସୁରକ୍ଷା ଯାତ୍ରାରେ ପୁଣି ଥରେ ବିଜେପିର ଦୁଇ ପାରଂପରିକ ପ୍ରତିଦ୍ଵନ୍ଦ୍ୱୀ ବାବୁ ମହାପାତ୍ର-ରାଜୁ ଦାସ ଗୋଷ୍ଠୀ ମୁହାଁମୁହିିଁ ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଯାକ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଛବି ମାହାଲିଙ୍କୁ କୌଣସି ପ୍ରକାରେ ମଞ୍ଚ ଉପରକୁ ଆସିବାକୁ ଦିଆଯାଇ ନଥିଲା।   ମଞ୍ଚକୁ ଆସି ନ ପାରିବାରୁ ଛବିଙ୍କ ମନରେ ଯେଉଁ ଆଘାତ ଲାଗିଥିଲା , ତାହାର ପ୍ରତିକ୍ରିୟା ସ୍ୱରୂପ ସେ ସଭା ସ୍ଥଳରେ ନିଜ ଦଳର ନେତାମାନଙ୍କ ବିରୋଧରେ ଗର୍ଜନ କରିଥିଲେ। ଛବି ମାହାଲି ଗତବର୍ଷ ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଆମ୍‌ ଆଦ୍‌ମୀ ପାର୍ଟି ଛାଡ଼ି ବିଜେପିରେ ମିଶିଥିଲେ।

ସମ୍ବନ୍ଧିତ ଖବର