ଏମ୍‌ନରେଗାରେ ବଡ଼ ଦୁର୍ନୀତି : ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା, ମିଳିମିଶି ଖାଇଗଲେ

ନୂଆଗାଁ : ନୂଆଗାଁ ବ୍ଲକ୍‌ରେ ମନରେଗା ଯୋଜନାରେ ଏକ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଠିକାଦାର ଏବଂ ଯନ୍ତ୍ରୀ ମିଳିମିଶି ସବୁ ଅର୍ଥକୁ ଆତ୍ମସାତ୍ କରିଛନ୍ତି। ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୮ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ସବୁ ଟଙ୍କା ଚଳୁ କରି ଦେଇଛନ୍ତି। ସୋରଡ଼ା ପଞ୍ଚାୟତ ଜଗନ୍ନାଥପ୍ରସାଦ ଗାଁର ପଡିଆବନ୍ଧ ପୋଖରୀ କାର୍ଯ୍ୟରେ ଏଭଳି ଅନିୟମିତତା ହୋଇଛି। କାମଧନ୍ଦା ନ ପାଇ ଶ୍ରମିକମାନେ ଏବେ ଦାଦନମୁହାଁ ହେଉଥିବା ଜଣାପଡ଼ିଛି।

ସୂଚନା ଥାଉକି, ବ୍ଲକ୍‌ର ଜଗନ୍ନାଥପ୍ରସାଦ ପଡ଼ିଆବନ୍ଧ ପୋଖରୀ ପୁନରୁଦ୍ଧାର ପାଇଁ ୨୦୧୭–୧୮ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୮ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଗତବର୍ଷ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରାନଯାଇ ଚଳିତ ବର୍ଷ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଛି। ଠିକାଦାର ଜେସିବି ଯୋଗେ କାମ କରିଥିବା ବେଳେ କାଁ ଭାଁ କିଛି ସ୍ଥାନରୁ ମାଟି ଉଠାଇ ଦେଇ ସବୁ ବିଲ୍ କରି ନେଇଛି। କେବଳ ସେତିକି ନୁହେଁ ଶ୍ରମିକମାନଙ୍କୁ ସତମିଛ କହି ସେମାନଙ୍କ ଜବ୍‌କାର୍ଡକୁ ହାତେଇ ନେଇଛନ୍ତି। ପୋଖରୀ କାମରେ ଜବ୍‌କାର୍ଡକୁ ଲଗାଇ ଶ୍ରମିକମାନଙ୍କ ଜାଲ୍ ଦସ୍ତଖତ ମାରି ବ୍ୟାଙ୍କ ଆକାଉଣ୍ତରୁ ଟଙ୍କା ଉଠାଯାଇଛି। ଏହି ଦୁର୍ନୀତିରେ କେବଳ ଠିକାଦାର ନୁହେଁ ଯନ୍ତ୍ରୀ ମିଶି ଏକ ବଡ଼ ଧରଣର ଘୋଟାଲା କରିଛନ୍ତି। ଏବେ ପୋଖରୀରେ ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ପୋଖରୀରେ ଟୋପାଏ ପାଣି ନଥିବା ଦେଖିବାକୁ ମିଳିଛି। ଏଭଳି ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଉଥିଲେ ମଧ୍ୟ ଟଙ୍କା ସବୁ ଆତ୍ମସାତ୍ ହେଉଛି।

ଏହି କେଳେଙ୍କାରୀରେ ବ୍ଲକ୍ କର୍ମଚାରୀଙ୍କ ସଂପୂର୍ଣ୍ଣ ହାତ ଥିବା କୁହାଯାଉଛି। କର୍ମଚାରୀମାନେ ଅଧିକ ଅର୍ଥ ଲାଳସାରେ ଚୁପ୍ ରହୁଛନ୍ତି। ବ୍ଲକ୍‌ରୁ ମଷ୍ଟରରୋଲ୍‌ ବାହାରିବା ପରେ ଶ୍ରମିକମାନଙ୍କ ଜାଲ୍ ଦସ୍ତଖତ ମାରିବାଠାରୁ ଆରମ୍ଭ କରି ପ୍ରକଳ୍ପ କାର୍ଯ୍ୟ ସରିବା ପରେ ମଷ୍ଟରରୋଲ୍‌ ବାହାର କରି ଚଞ୍ଚକତା କରାଯାଉଛି। ସରକାରୀ ନିୟମ ଅନୁସାରେ ପ୍ରକଳ୍ପ କାର୍ଯ୍ୟ କରିବା ପୂର୍ବରୁ ସେସବୁ ବିବରଣୀର ଫଳକ ମାରିବା କଥା। କିନ୍ତୁ ସରକାରୀ ନିୟମକୁ ଅବମାନନା କରି ଯାହିତାହି ଭାବେ ମରାଯାଇଛି। ଫଳକରେ କେତେ କୁଶଳୀ କେତେ ଅଣକୁଶଳୀ ଶ୍ରମିକ କାର୍ଯ୍ୟ କରିଛନ୍ତି, ସେସବୁ ଉଲ୍ଲେଖ କରାଯାଇନାହିଁ। ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି। ଏମିତି ଗୋଟିଏ ପ୍ରକଳ୍ପ ନୁହେଁ, ବ୍ଲକ୍‌ର ଅଧିକାଂଶ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ନଜରକୁ ଆସିଛି। ଏହି ଘଟଣାରେ ନୂଆଗାଁ ବିଡିଓ ସିରିୟାଲ୍ ପଟେଲ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର