ରାଉରକେଲା : ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମ୍ଭବପର ନ ହେବାରୁ ଏବଂ ଦିଲ୍ଲୀ ଛାଡ଼ିବାକୁ ସେଠାକାର ପୁଲିସ୍ ଧମକ ଦେବାରୁ ମୁକ୍ତିକାନ୍ତ ବିଶ୍ୱାଳ (୨୯) ଆଜି ଅନଶନରୁ ଓହରିବାକୁ ବାଧ୍ୟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୩ ଦିନ କାଳ ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ସାକ୍ଷାତ ପାଇଁ କୌଣସି ପ୍ରତିଶ୍ରୁତି ନ ପାଇବା ପରେ ମୁକ୍ତିକାନ୍ତ ଅନଶନ ଆରମ୍ଭ କରିଥିଲେ। ସେ ଜୁଲାଇ ପହିଲା (ରବିବାର)ରେ ଯନ୍ତରମନ୍ତରରେ ଅନଶନ ଆରମ୍ଭ କରିଥିଲେ। ସନ୍ଧ୍ୟା ସାଢ଼େ ୭ଟାରେ ସଂସଦ ମାର୍ଗ ପୁଲିସ୍ ତାଙ୍କୁ ଜବରଦସ୍ତ ଉଠାଇ ନେଇ ରାମ ମନୋହର ଲୋହିଆ ହସ୍ପିଟାଲରେ ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଯନ୍ତରମନ୍ତରରେ ଅନଶନ ନକରିବାକୁ ତାଗିଦ୍ କରି ପୁଲିସ୍ ତାଙ୍କୁ ରାତିରେ ରାମଲୀଲା ମୈଦାନରେ ଛାଡ଼ି ଦେଇଥିଲା। ସେଠାରେ ଦୁଇ ଦିନ କାଳ ଖରା-ବର୍ଷାରେ ମୁକ୍ତିକାନ୍ତ ଅନଶନ ଜାରି ରଖିଥିବା ବେଳେ କାଲି ରାତି ୮ଟାରେ ତିଲକନଗର ମାର୍ଗ ପୁଲିସ୍ ତାଙ୍କୁ ଜବାହରଲାଲ୍ ନେହରୁ ମାର୍ଗସ୍ଥିତ ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ନେଇଯାଇଥିଲା। ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟରେ ଗୁରୁତର ଅବନତି ଘଟିଥିବାରୁ ତାଙ୍କୁ ଆଇସିୟରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୨ଟା ବେଳେ ପୁଲିସ୍ ମୁକ୍ତିକାନ୍ତଙ୍କୁ ଆଇସିୟୁରୁ ଆଣି ହସ୍ପିଟାଲ ବାହାରେ ଛାଡ଼ିଦେଇଥିଲା। ପୁଲିସ୍ ଦଳ ଯିବା ପୂର୍ବରୁ ମୁକ୍ତିକାନ୍ତଙ୍କୁ ଧମକ ଦେଇ କହିଥିଲେ, ତୁରନ୍ତ ଦିଲ୍ଲୀ ନଛାଡ଼ିଲେ ପରିଣାମ ଭୟାବହ ହେବ।
କୌଣସି ମତେ ରାତି କାଟିବା ପରେ ଆଜି ସକାଳେ ମୁକ୍ତିକାନ୍ତ ଜବାହରଲାଲ ନେହରୁ ମାର୍ଗସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ଅପରାହ୍ନ ଦେଢ଼ଟାରେ ବାବା ବଳିଆ ଓ ସୁପ୍ରିମକୋର୍ଟର ଆଇନଜୀବୀ ବିବେକ ମହାନ୍ତି ପ୍ରମୁଖ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମୁକ୍ତିକାନ୍ତଙ୍କୁ ଅନଶନ ଭଙ୍ଗ କରିବାକୁ ପରାମର୍ଶ ଦେଇଥିଲେ। ଅନଶନରୁ ଓହରିବା ବେଳେ ସେ କହିଥିଲେ, ଜନ୍ମମାଟି ରାଉରକେଲାର ସ୍ୱାର୍ଥ ପାଇଁ ତାଙ୍କ ଆନ୍ଦୋଳନ ଜାରି ରହିବ। ଅନ୍ୟପକ୍ଷରେ, ଦୀର୍ଘ ୭୧ ଦିନର ଦୀର୍ଘ ପଦଯାତ୍ରା ଓ ଆମରଣ ଅନଶନ ପରେ ବି ମୁକ୍ତିକାନ୍ତଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ ନଦେବା ଓ ଶେଷରେ ପୁଲିସ ଦ୍ୱାରା ଧମକ ଦେବା ରାଉରକେଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ପ୍ରକାଶଥାଉକି, ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ୍ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କୁ ସ୍ମରଣ କରାଇବା ଲକ୍ଷ୍ୟରେ ଗତ ଏପ୍ରିଲ୍ ୧୬ରେ ମୁକ୍ତିକାନ୍ତ ଏଠାରୁ ପଦଯାତ୍ରା ଆରମ୍ଭ କରି ୭୧ ଦିନରେ ଦିଲ୍ଲୀ ପହଞ୍ଚିଥିଲେ।