ଗୋପରେ ନନ୍ଦୋତ୍ସବ, କଂସ ବ୍ୟତିବ୍ୟସ୍ତ

ଗୋପପୁର/ମଥୁରାନଗରୀ: ବିଶ୍ୱପ୍ରସିଦ୍ଧ ବିରାଟ ଧନୁଯାତ୍ରାର ତୃତୀୟ ଦିନ ଗୋପପୁରରେ ନିର୍ମିତ ନନ୍ଦରାଜାଙ୍କ ମହଲକୁ ଏସ୍‌ପି ଯୁଗଳ କିଶୋର ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି। ଏହାପରେ ଗୋପପୁରରେ ଆରମ୍ଭ ହୋଇଛି ନନ୍ଦୋତ୍ସବ। ଗୋପୀଗୋପାଳ ମଜ୍ଜି ଯାଇଛନ୍ତି କୃଷ୍ଣ ପ୍ରେମରେ। ଚାରିପଟେ ରାସନୃତ୍ୟ, ନଗର ସଂକୀର୍ତ୍ତନ। ନନ୍ଦରାଜା ଓ ରାଣୀ କୃଷ୍ଣଙ୍କୁ ଧରି ଗୋପୀଗୋପାଳଙ୍କ ସହ ନଗର ପରିକ୍ରମା କରିଥିଲେ। ଅନ୍ୟପକ୍ଷରେ ମଥୁରା କଂସ ମହାରାଜଙ୍କ ପ୍ରତାପରେ ଥରହର। ଖୋଦ ମହାରାଜ ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତୃତୀୟ ଦିବସରେ ନାଟ୍ୟାଭିନୟ କ୍ରମରେ ଶ୍ୟାମେଶ୍ୱର ମହାଦେବ ଦର୍ଶନ କରିବା ସହ ଦେବକୀଙ୍କ ଅଷ୍ଟମ ସନ୍ତାନ ଜନ୍ମର ସୂଚନା ପାଇ ମହାପ୍ରତାପୀ କଂସ ପ୍ରବେଶ କରିଛନ୍ତି ମଥୁରା କାରାଗାରରେ। ସେଠାରେ ଶିଳାରେ ଶିଶୁକୁ ପ୍ରହାର, ବିଜୁଳି କନ୍ୟାଙ୍କ ଦୈବବାଣୀ ଦୃଶ୍ୟ ଅଭିନୀତ ହୋଇଛି। ଏହାପୂର୍ବରୁ ମହରାଜ ନଗର ପରିକ୍ରମା କରି ଆଇନଖିଲାପୀଙ୍କୁ ଦଣ୍ଡ ବିଧାନ କରିଛନ୍ତି। ସଂଧ୍ୟାରେ ପ୍ରବେଶ କରିଥିଲେ ରଙ୍ଗମହଲରେ। ସେଠାରେ ନୃତ୍ୟଗୀତ ଆସରରେ ମସଗୁଲ ହେବା ପରେ ବାହରଥିଲେ ରାଜଦରବାରକୁ। ସେଠାରେ ରାଜ ଅତିଥିଭାବେ ସମ୍ବଲପୁର ରେଳମଣ୍ଡଳ ମହାପ୍ରବନ୍ଧକ ଜଗଦୀପ ଗୁପ୍ତା ଏବଂ ଦୌଡ଼ ରାଣୀ ଦୂତି ଚାନ୍ଦ ଯୋଗଦେଇଥିଲେ। ଏହାପୂର୍ବରୁ ରଂଗ ମହଲରେ ରାଜଅତିଥି ଭାବେ ଏସ୍‌ବିଆଇ ଭୁବନେଶ୍ୱର ଡିଜିଏମ୍‌ ଅନାଥ ବନ୍ଧୁ ମଣ୍ଡଳ ଏବଂ ସମ୍ବଲପୁର ଡିଜିଏମ୍‌ ପ୍ରକାଶଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଉଭୟଙ୍କୁ ଚାଷୀମାନଙ୍କୁ ଠିକ୍‌ ସମୟରେ ଋଣ ପ୍ରଦାନ କରିବାକୁ ମହାରାଜ କଂସ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର