ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ, ୧୦୧ ମାମଲା ଫୈସଲା, ୩ କୋଟି ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌, ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୧୦୧ଟି ମାମଲାର ଆପୋଷ ବୁଝାମଣାରେ ଫୈସଲା କରାଯାଇଛି। ମୋଟ ୭୬୧ଟି ମାମଲାର ଶୁଣାଣି ହୋଇଥିଲା। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର ଓ ଡକ୍ଟର ଜଷ୍ଟିସ୍‌ ଡି.ପି.ଚୌଧୁରୀ ମାମଲାଗୁଡିକର ଫୈସଲା କରିଥିଲେ। ଏଥି ମଧ୍ୟରେ ବ୍ୟାଙ୍କ ମାମଲା, ଭୂମି ଅଧିଗ୍ରହଣ ମାମଲା, କ୍ରମିନାଲ କମ୍ପାଉଣ୍ଡେବଲ୍‌ ମାମଲା, ଚାକିରି ସଂପର୍କିତ ମାମଲା, ଏନ୍‌.ଆଇ.ଆକ୍ଟର ଧାରା ୧୩୮ ସଂପର୍କିତ ମାମଲା, ବିଦ୍ୟୁତ ଓ ବୀମା କ୍ଷତିପୂରଣ ମାମଲା ରହିଛି। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧ୍ୟରୁ ନ୍ୟୁଇଣ୍ଡିଆ ଅସ୍ୟୁରାନ୍ସ, ନ୍ୟାସ୍‌ନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି ଏବଂ ଘରୋଇ ବୀମା କମ୍ପାନି ମଧ୍ୟରୁ ଶ୍ରୀରାମ ଜେନେରାଲ ଇନସ୍ୟୁରାନ୍ସ, ରିଲାୟନ୍ସ ଜେନେରାଲ୍‌ ଇନସ୍ୟୁରାନ୍ସ ସମେତ ଅନ୍ୟ କେତେକ ସଂସ୍ଥା ଅଂଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୩ କୋଟି ୫ ଲକ୍ଷ ୩୬ ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର