ଆଜି ନିଟ୍‌ : ୪୦ କେନ୍ଦ୍ରରେ ୪୦ହଜାରରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମ୍‌ବିବିଏସ୍‌, ବିଡିଏସ୍‌, ଆୟୁର୍ବେଦିକ, ହୋମିଓପାଥିକ ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରବିବାର ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଗତ ଦୁଇବର୍ଷ ହେଲା ନିଟ୍‌ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଲିକ୍‌ ନେଇ ବିବାଦ ଉପୁଜିଥିବାରୁ ସିବିଏସ୍‌ଇ ପକ୍ଷରୁ ଏଥର କଡ଼ା ପଦକ୍ଷେପ ନିଆଯାଇଛି।

ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ପୂର୍ବାହ୍ନ ୯ଟା ୩୦ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବନି। ଏହାସହ ଫୁଲ୍‌ ସାର୍ଟ ନ ପିନ୍ଧିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ଚେନ୍‌, କାନଫୁଲ, ମୁଦି, ଘଣ୍ଟା, ଜୋତା, ହାଇ ହିଲ୍‌ ପିନ୍ଧିକି ନ ଆସିବାକୁ କୁହାଯାଇଛି। ଛାତ୍ରଛାତ୍ରୀ କେବଳ ଆଡମିଟ୍‌ କାର୍ଡ ଏବଂ ପାସପୋର୍ଟ ଫଟୋ ଆଣି ଆସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ପେନ୍‌ ଯୋଗାଇ ଦିଆଯିବ। ପରୀକ୍ଷାର ଶେଷ ଅଧଘଣ୍ଟା ଅର୍ଥାତ୍‌ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କୌଣସି ପରୀକ୍ଷାର୍ଥୀଙ୍କୁ ଶୌଚାଳୟକୁ ଛଡ଼ାଯିବନି। ଚଳିତବର୍ଷ ୧୮୦ଟି ପ୍ରଶ୍ନ ପଡ଼ିବାକୁ ଥିବାବେଳେ ଛାତ୍ରଛାତ୍ରୀ ଓଏମ୍‌ଆର୍‌ ସିଟ୍‌ରେ ପରୀକ୍ଷା ଦେବେ।

ଚଳିତବର୍ଷ ଦେଶର ପ୍ରାୟ ୬୦,୦୦୦ ମେଡିକାଲ୍‌ ସିଟ୍‌ ପାଇଁ ପ୍ରାୟ ୧୩.୩୬ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରେ ପ୍ରାୟ ୪୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୭ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ ଓ ବ୍ରହ୍ମପୁରରେ ୪୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଛାତ୍ରଛାତ୍ରୀଙ୍କୁ ଦୁଇଟି ସିଫ୍ଟରେ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ। ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ।

ସମ୍ବନ୍ଧିତ ଖବର