‘ପିଇବା ପାଣି ନାହିଁ ତ’ ଭୋଟ ନାହିଁ’

ଟିକିରି: ‘ପିଇବା ପାଣି ନାହିଁ ତ ଭୋଟ ନାହିଁ’। ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମୁଣ୍ଡାଗାଁ ଓ ଅଣଯୋର ଗ୍ରାମବାସୀ ଏଭଳି ନି‌ଷ୍ପତ୍ତି ନେଇଛନ୍ତି।

କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁ ଗ୍ରାମରେ ପ୍ରଶାସନ ପକ୍ଷରୁ ନଳକୂପ ଖନନ କରାଯିବା ସହ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କିନ୍ତୁ ଗତ କିଛି ଦିନ ହେଲା ପ୍ରକଳ୍ପ ଯୋଗେ ଲୋକେ ପାଣି ପାଉନାହାନ୍ତି। ଅନ୍ୟପଟେ ଗ୍ରାମର କିଛି ନଳକୂପ ଅଚଳ ହୋଇ ରହିଛି। କିନ୍ତୁ ଠିକାଦାର ଜଣକ ରାସ୍ତା କାମ ଅଧାରେ ଛାଡ଼ି ପଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୁଣ୍ଡାଗାଁରେ ଶୀଘ୍ର ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯିବା ସହ ରାସ୍ତା କମା ସଂପୂର୍ଣ୍ଣ କରିବାକୁ ଦାବି କରାଯାଇଛି। ଯଦି ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରାନଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଥିବା ଗ୍ରାମବାସୀ କହିଛନ୍ତି। ଶୀଘ୍ର ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ମୁଣ୍ଡାଗାଁ ଗ୍ରାମର ୱାର୍ଡ ମେମ୍ବର ସାଇ ମାଝୀ, ସାଇତ ମାଝୀ, ବାସନ୍ତୀ ନାୟକ, କଳାବତୀ ନାଏକ ପ୍ରମୁଖ ଦାବି କରିଛନ୍ତି।

ଅନ୍ୟପଟେ ନକଟିଗୁଡା ପଞ୍ଚାୟତର ଅଣଯୋର ଗ୍ରାମରେ ମଧ୍ୟ ପାନୀୟ ଜଳ ସଂକଟ ଦେଖାଦେଇଛି। ଏହି ଗାଁରେ ୭୦ଟି ଆଦିବାସୀ ପରିବାର ରହୁଛନ୍ତି। ଗତ ଦିନରେ ପ୍ରଶାସନ ଏହି ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା ମଧ୍ୟ କରିଛି। ଗ୍ରାମବାସୀଙ୍କ ନିମନ୍ତେ ୫ଟି ନଳକୂପ ଓ ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ ରହିଛି। କିନ୍ତୁ ଖରାଦିନେ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂପରୁ ପାଣି ବାହାରୁନି। ପାନୀୟ ଜଳ ସୁବିଧା ପାଇଁ ଗତ ଦିନରେ ସ୍ଥାନୀୟ ବିଧାୟକ, ସାଂସଦ ଓ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା କହିଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ତେଣୁ ଶୀଘ୍ର ପାଇପ୍ ଯୋଗେ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ଉଭୟ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାନଯାଏ ତେବେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ତୁରନ୍ତ ଏଦିଗରେ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର