୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଦିନକ ପରେ ଅର୍ଥାତ ୧୩ ତାରିଖ ବୁଧବାରଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ଏକ ମାସରୁ ଊର୍ଧ୍ବ ସମୟ ଧରି ଅର୍ଥାତ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଅଧିବେଶନ କାଳରେ ବିଭିନ୍ନ ଦୃଷ୍ଟିରୁ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ସମୁଦାୟ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ, ୨ପ୍ଲାଟୁନ୍ ଷ୍ଟ୍ରାଇକିଂ ଫୋର୍ସ, ୨ୟୁନିଟ୍ ଏସ୍‌ଟିୟୁ, ୭ ସେକ୍ସନ୍ କ୍ୟୁଏଟି, ୧୦୦ ପାଖାପାଖି ଅଫିସର, ୪ ଜଣ ଆଡିସ୍‌ନାଲ୍ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ।

ବିଧାନସଭା ଛାତ ଉପରୁ ମଧ୍ୟ ପୁଲିସ ବିଭିନ୍ନ ଦିଗ ଉପର ନଜର ରଖିବ। ପ୍ରବେଶ ପଥରେ ଦୁଇଟି ଚେକ୍‌ ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ ପୋଷ୍ଟରେ କାର୍ କିମ୍ବା ବାଇକ୍ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର୍‌ ଓ ବାଇକ୍‌ର କାଗଜପତ୍ର ଯାଞ୍ଚ କରାଯିବ। ସମୁଦାୟ ତିନିଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍ ରହିବ। ଗୋଟିଏ ବିଧାନସଭା ଗେଟ୍ ନିକଟରେ, ଦ୍ବିତୀୟଟି ‌ଲୋୟର ପିଏମ୍‌ଜି ଟ୍ରାଫିକ ଛକ ଏବଂ ତୃତୀୟଟି ଧାରଣାସ୍ଥଳ ନିକଟରେ ରହିବ। ସେଠାରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ପରିସ୍ଥିତି ଉପରେ ନଜର ରଖିବେ।

ଏନେଇ ଆସନ୍ତାକାଲି ପୁଲିସ ଡିଜି ବିଜୟ ଶର୍ମା, କମିସନର୍ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ସନ୍ଧାନୀ କୁକୁର ମାଧ୍ୟମରେ ବିଧାନସଭା ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ସେହିପରି ବିଧାନସଭା ଅଧିବେଶନ ବେଳେ ଶତାଧିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ, ଧାରଣା ଓ ଅନଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ବିଶେଷକରି କେତେକ ସଂଗଠନ ବିଧାନସଭା ଅଧିବେଶନ ବେଳେ ଆଇନକୁ ହାତକୁ ନେବାର ଗୁଇନ୍ଦା ସୂଚନା ମିଳିଛି। ତେଣୁ ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସବୁଠି ସିସି କ୍ୟାମେରା ଖଞ୍ଜାଯାଇଛି। ଲୋୟର ପିଏମଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯିବ। ବିଧାନସଭା ଆରମ୍ଭ ହେବା କ୍ଷଣି ମାଷ୍ଟରକ୍ୟାଣ୍ଟିନ୍-ପିଏମ୍‌ଜି ରାସ୍ତାକୁ ସିଲ୍ କରି ଦିଆଯିବ।

ସମ୍ବନ୍ଧିତ ଖବର