ରାଜ୍ୟ କଂଗ୍ରେସର ହେବ ନବକଳେବର : ପିସିସି ସଭାପତିଙ୍କ ନେତୃତ୍ବରେ ମାନସ ମନ୍ଥନ, ବିଶୃଙ୍ଖଳାକାରୀଙ୍କୁ ଆଉ ବରଦାସ୍ତ କରାଯିବନି

କମିଟିରେ ଯୁବବର୍ଗଙ୍କୁ ଗୁରୁତ୍ବ ଦିଆଯିବ, ଗାନ୍ଧୀଜୟନ୍ତୀରୁ ସାରା ରାଜ୍ୟରେ ପଦଯାତ୍ରା

ଭୁବନେଶ୍ବର : ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ହେବ। ଗତ ନିର୍ବାଚନରେ ଦଳ ପାଇଁ ଯେଉଁମାନେ ଭଲ କାମ କରିଛନ୍ତି, ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବା ସହିତ ସାଂଗଠନିକ ଦାୟିତ୍ବ ଦିଆଯିବ। ଦଳ ବିରୋଧରେ ମତ ଓ ମନ୍ତବ୍ୟ ଦେଉଥିବା ନେତାମାନଙ୍କୁ ଆଉ ବରଦାସ୍ତ କରାଯିବନି। ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପୁନର୍ବିନ୍ୟାସ ନେଇ କଂଗ୍ରେସ ଭବନରେ ବୈଠକ ପରେ ଏପରି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗାନ୍ଧୀ ଜୟନ୍ତୀରୁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟ ସ୍ତରରେ ପଦଯାତ୍ରା କରି ଗାନ୍ଧୀଙ୍କ ଆଦର୍ଶ ଓ କଂଗ୍ରେସର ନୀତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଦଳରେ ନିଷ୍ପତ୍ତି ହୋଇଛି। ଏଥିସହିତ ଆଜିଠାରୁ ପିସିସିର ସମସ୍ତ କମିଟିକୁ ବାତିଲ୍ କରିଦିଆଯାଇଛି।

କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତାଙ୍କ ସହିତ ଦିନତମାମ ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଥିଲେ, ପୁରୁଣା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦିଆଯିବ। ଏଥିପାଇଁ ତଳୁ ଉପର ଯାଏଁ ଦଳର ସମସ୍ତ କମିଟିର ପୁନର୍ଗଠନ କରାଯିବ। ଏଣିକି ଜୋନାଲ କମିଟି ପରିବର୍ତ୍ତେ ପୂର୍ବଭଳି ବ୍ଲକ ସ୍ତରୀୟ କମିଟି କାର୍ଯ୍ୟ କରିବ। ଗଲା ନିର୍ବାଚନରେ ଦଳ ପାଇଁ ଯେଉଁ କର୍ମୀମାନେ ନିଷ୍ଠାର ସହ କାମ କରିଛନ୍ତି ସେହିମାନଙ୍କୁ ସାଂଗଠନିକ ଦାୟିତ୍ବ ଦେବାକୁ ଏଆଇସିସି ସ୍ତରରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏଆଇସିସିର ସାଧାରଣ ସମ୍ପାଦକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ସବୁ ଜିଲ୍ଲା ବୁଲିବେ। ଏଣିକି ଦଳ ଓ ନେତାଙ୍କ ବିରୋଧରେ ଯିଏ କେହି ବି ମତ ଓ ମନ୍ତବ୍ୟ ଦେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିବା ସେ କହିଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସ୍ତରରେ ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକାସାଙ୍ଗରେ ପଦଯାତ୍ରା ଆରମ୍ଭ କରାଯିବ। ଗାନ୍ଧୀଙ୍କ ନୀତି ଆଦର୍ଶ ସହ ଦେଶ ବିକାଶରେ କଂଗ୍ରେସର ଅବଦାନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ସେହିଭଳି ଅକ୍ଟୋବର ୩ରୁ ୯ ତାରିଖ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲାରେ ବକ୍ତୃତାମାଳା, ସେମିନାର ଓ ଫଟୋ ପ୍ରଦର୍ଶନୀ କରାଯିବ। ସମାନ୍ତରାଳ ଭାବେ ଅକ୍ଟୋବର ୨ରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ। ଉଭୟ ଡିଜିଟାଲ ଓ ପାରମ୍ପରିକ ପୁସ୍ତିକା ମାଧ୍ୟମରେ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ। ଏକଥା ବି ସ୍ଥିର ହୋଇଛି ଯେ ଦଳରେ ନୂତନ ଭାବେ ପ୍ରେରକ ନିଯୁକ୍ତି ଦିଆଯିବ। ପ୍ରଶିକ୍ଷଣ ଦିଆଯିବା ପରେ ସେମାନଙ୍କୁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ଦାୟିତ୍ବ ଦିଆଯିବ। ପ୍ରଶିକ୍ଷଣ ପାଇଁ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କୁ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ସମଗ୍ର ରାଜ୍ୟକୁ ୭ଟି ଜୋନରେ ବିଭକ୍ତ କରାଯାଇ ତିନିଦିନିଆ ଆବାସିକ ପ୍ରଶିକ୍ଷଣ ଦିଆଯିବ। ସେହିଭଳି ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ନେଇ ସବୁ ଜିଲ୍ଲାରେ ଆଲୋଚନାଚକ୍ର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୧୫ରୁ ୨୫ ତାରିଖ ଯାଏ ଏହା ଚାଲିବ।

ତେବେ କଂଗ୍ରେସର ପୁନର୍ଗଠନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଜୋନାଲ କମିଟି ଓ କାର୍ଯ୍ୟକାରୀ ସଭାପତିଙ୍କର ଆବଶ୍ୟକତା ନାହିଁ। କଂଗ୍ରେସକୁ ଆଗକୁ ନେବାକୁ ହେଲେ ରାଜ୍ୟ ସଭାପତିଙ୍କ ନେତୃତ୍ବକୁ ସମସ୍ତେ ଗ୍ରହଣ କରିବା ଦରକାର। ଗତ ନିର୍ବାଚନରେ ମାଳ ମାଳ ଏଆଇସିସି ସମ୍ପାଦକ, କାର୍ଯ୍ୟକାରୀ ସଭାପତି ଆସିଥିଲେ ବି ଲୋକଙ୍କ ଉପରେ କିଛି ବି ପ୍ରଭାବନ ପଡ଼ିଲାନି। ତୃଣମୂଳ ସ୍ତରରେ ଦଳ ପାଇଁ କେହି ନାହାନ୍ତି। ନିର୍ବାଚନରେ ଟିକେଟ ପାଇଁ ଗୋଷ୍ଠୀକନ୍ଦଳ ଯୋଗୁଁ ଦଳର ବହୁତ ବଦନାମ ହୋଇଛି। ତେଣୁ କଂଗ୍ରେସର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଶ୍ରୀ ବାହିନୀପତି କହିଥିଲେ। ବୈଠକରେ ଅନ୍ୟମାନଙ୍କ ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସବୁ ବିଧାୟକ ଓ ସାଂସଦ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ଶରତ ପଟ୍ଟନାୟକ, ଶରତ ରାଉତ ଓ ୨୦୧୯ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ସବୁ ବିଧାୟକ ଓ ସାସଂଦ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର