ଆଉ ୫୦ଲକ୍ଷ ଔଷଧୀୟ ମଶାରୀ ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ଆଉ ୫୦ଲକ୍ଷ ଔଷଧୀୟ ମଶାରୀ ବଣ୍ଟାଯିବ। କେତେକ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମ୍ୟାଲେରିଆ ଦେଖା ଯାଉଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବାକୁ ଆହୁରି ଅଧିକ ଔଷଧୀୟ ମଶାରୀ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି। ଏହି ଔଷଧୀୟ ମଶାରୀ ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। ଏହାସହ କେଉଁ ପରିସ୍ଥିତିରେ ୨୦୧୭/୧୮ବର୍ଷରେ ରାଜ୍ୟରେ ୮୨ପ୍ରତିଶତ ମ୍ୟାଲେରିଆ କମିଲା ତାହାର ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି।

ଆଜି ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆର ସ୍ଥିତି ନେଇ ଆଲୋଚନା ହୋଇଥିଲା। ପୂର୍ବରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦେଢ଼ କୋଟି ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି। ତେବେ କେତେକ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମ୍ୟାଲେରିଆ ଦେଖା ଦେଉଥିବାରୁ ଆଉ ୫୦ଲକ୍ଷ ଔଷଧୀୟ ମଶାରୀର ଆବଶ୍ୟକତା ରହିଛି। ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଭଳି ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମ୍ୟାଲେରିଆ ଦେଖାଯାଉଛି। ତେବେ ରାଜ୍ୟ ସରକାରଙ୍କ ପାଖରେ ଏତେ ସଂଖ୍ୟକ ଔଷଧୀୟ ମଶାରୀ ନ ଥିବାରୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି। ପୁଣିଥରେ ଏଥିପାଇଁ ଚିଠି ଲେଖାଯିବ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ୨୦୧୭/୧୮ବର୍ଷରେ ରାଜ୍ୟରେ ୮୨ପ୍ରତିଶତ ପର୍ଯ୍ୟନ୍ତ ମ୍ୟାଲେରିଆ କମିଥିବା ରିପୋର୍ଟ ହୋଇଛି। ତେବେ ଏହି ରିପୋର୍ଟରେ ପ୍ରକୃତରେ ସତ୍ୟତା ରହିଛି କି ନାହିଁ ତାହା ପରୋକ୍ଷରେ ଯାଞ୍ଚ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଜରିଆରେ ଏହି ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ସମେତ ଅନ୍ୟ ଡାକ୍ତରଖାନାରୁ ଆସୁଥିବା ମ୍ୟାଲେରିଆ ରିପୋର୍ଟକୁ ଯାଞ୍ଚ କରାଯିବ। କେତେ ସଂଖ୍ୟକ ମ୍ୟାଲେରିଆ ଆକ୍ରାନ୍ତ ହୋଇଛନ୍ତି ଓ ଏଥିରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହାର ପରୀକ୍ଷା ହେବ। ଯାହାଫଳରେ ୮୨ପ୍ରତିଶତ ପର୍ଯ୍ୟନ୍ତ ମ୍ୟାଲେରିଆ କମିବା ରିପୋର୍ଟର ସତ୍ୟତା ସ୍ପଷ୍ଟ ହୋଇପାରିବ।

ସେହିପରି ଡେଙ୍ଗୁୁୁକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଯଦିଓ ରାଜ୍ୟରେ ଚଳିତବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷ ତୁଳନାରେ କମ୍‌ ରହିଛି ତଥାପି ଡେଙ୍ଗୁ ଜନିତ ମୃତ୍ୟୁକୁ କିଭଳି ରୋକାଯାଇ ପାରିବ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା। ମେଡିକାଲ କଲେଜଗୁଡ଼ିକରେ ଡେଙ୍ଗୁ ପାଇଁ ରହିଥିବା ଆଇସିୟୁ ବ୍ୟତିତ ଅନ୍ୟ ଖାଲି ପଡ଼ିଥିବା ଆଇସିୟୁଗୁଡ଼ିକରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଯାହାଫଳରେ ଡେଙ୍ଗୁଜନିତ ମୃତ୍ୟୁକୁ ରୋକାଯାଇ ପାରିବ।

ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ମେଡିକାଲ କଲେଜର ଅଧ୍ୟକ୍ଷ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର