ସ୍ୟାଟ୍‌ରେ କନ୍‌ଷ୍ଟେବଳ ନିଯୁକ୍ତି ଅଦାଲତ ଅବମାନନା ମାମଲା : ଡିଜିପିଙ୍କ ମହଲତ ଆବେଦନ ଖାରଜ

କଟକ : କନଷ୍ଟେବଳ ନିଯୁକ୍ତି ପ୍ରସଂଗକୁ ନେଇ ରୁଜୁ ମାମଲାରେ ପୁଲିସ ଡିଜିଙ୍କ ପକ୍ଷରୁ ଅଧିକ ମହଲତ ଲୋଡି ଦାୟର ଆବେଦନକୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଖାରଜ କରିଛନ୍ତି। ସମାନ ଧରଣର କେତେକ ମାମଲା ଏବେ ବିଚାରାଧୀନ ଥିବା ବେଳେ ଏଥି ପାଇଁ ଅଧିକ ସମୟ ଦିଆଯାଉ ବୋଲି ଦର୍ଶାଇ ଡିଜିଙ୍କ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିବା ସହିତ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ କରାଯିବ ବୋଲି ସ୍ୟାଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପୂର୍ବ ନିର୍ଦ୍ଦେଶ ପାଳନ କରାଯିବ, ନଚେତ ବ୍ୟକ୍ତିଗତ ଭାବେ ହାଜର ହୋଇ ଡିଜି ଅଦାଲତ ଅବମାନନା ଚାର୍ଜ ଗ୍ରହଣ କରିବେ ବୋଲି ସ୍ୟାଟ୍‌ ଆଦେଶ ଦେଇଛନ୍ତି।

ମାମଲାର ବିବରଣୀ ପ୍ରକାଶ ଯେ ୨୦୦୮-୦୯ ମସିହାରେ ପୁଲିସ ବିଭାଗରେ କନଷ୍ଟେବଳ ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଆବେଦନକାରିଣୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ଦିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ମହିଳାଙ୍କ ପାଇଁ ସଂରକ୍ଷିତ ସ୍ଥାନରେ ୪ଜଣ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଯୋଗୁ ଆବେଦନକାରିଣୀ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ଦର୍ଶାଇ ସ୍ୟାଟ୍‌ରେ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି ଆବେଦନକାରିଣୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସ୍ୟାଟ୍‌ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସରକାରଙ୍କ ଆବେଦନ ଖାରଜ କରିବା ସହିତ ସ୍ୟାଟ୍‌ଙ୍କ ରାୟ ୩ ମାସ ମଧ୍ୟରେ ପାଳନ କରିବା ପାଇଁ ଆଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ୟାଟଙ୍କ ନିର୍ଦ୍ଦେଶ ପାଳନ କରାଯାଇ ନଥିଲା। ଆବେଦନକାରିଣୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅଦାଲତ ଅବମାନନା ମାମଲାର ଶୁଣାଣି କରି ସ୍ୟାଟ୍‌ ମାର୍ଚ୍ଚ ୨୯ରେ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ସତ୍ୟଜିତ ବେହେରା ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର