ଏଣିକି ଓଜେଇଇ ବଦଳରେ ନିଟ୍‌

ହୋମିଓପାଥିକ୍‌ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା

ଭୁବନେଶ୍ୱର: ହୋମିଓପାଥିକ୍‌ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଉ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ ନାହିଁ। ଏହି ଦୁଇ ପାଠ୍ୟକ୍ରମରେ ନାମଲେଖାଇବାକୁ ଚାହୁଁଥିବା ଓଡ଼ିଶାର ଛାତ୍ରଛାତ୍ରୀ ଏଣିକି ନ୍ୟାସନାଲ ଏଲିଜିବୁଲ୍‌ କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)ରେ ଭାଗନେବେ। ନିଟ୍‌ ର‍୍ୟାଙ୍କ୍‌ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

‘www.cbseneet.nic.in’ରେ ଆବେଦନ
ମାର୍ଚ୍ଚ ୯ ପର୍ଯ୍ୟନ୍ତ ଆବେଦନର ଶେଷ ଦିବସ

ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଗତ ଜାନୁଆରି ୨୩ ଓ ୨୬ ତାରିଖରେ ଏନେଇ ଅବଗତ କରାଯାଇଛି। ଆୟୁଷ ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍‌ ର‍୍ୟାଙ୍କ୍‌ ବାଧ୍ୟତାମୂଳକ ହୋଇଛି। ଓଜେଇଇ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ କୁହାଯାଇଛି ଯେ ହୋମିଓପାଥିକ୍‌ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ନାମଲେଖା ଲାଗି ପୂର୍ବରୁ ଓଜେଇଇ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିକୁ ବାତିଲ୍‌ କରାଯାଉଛି। ଯେଉଁମାନେ ଉକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ଲାଗି ଆଶାୟୀ ଅଛନ୍ତିି ସେମାନେ ‘www.cbseneet.nic.in’ ମାଧ୍ୟମରେ ନିଟ୍‌-୨୦୧୮ ଲାଗି ଆବେଦନ କରିପାରିବେ। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ଯେଉଁମାନେ ଓଜେଇଇ ମାଧ୍ୟମରେ ଆବେଦନ କରିସାରିଛନ୍ତି ସେମାନଙ୍କୁ ଆପ୍ଲିକେସନ ଫି’ ଫେରସ୍ତ କରାଯିବ। ତେବେେ ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରି ଦିଆଯାଇଛି। ନିଟ୍‌ ପ୍ରବେଶିକା ପରୀକ୍ଷା ମେ’ ୬ରେ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୮ ତାରିଖଠାରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର