ଓଜେଇଇ ପରୀକ୍ଷା ଫଳ ପ୍ରକାଶ
୩୯,୫୭୬ ଜଣଙ୍କୁ ରୢାଙ୍କ ପ୍ରଦାନ, ୧୪ ଜଣ ଆଦୌ ପ୍ରଶ୍ନର ଉତ୍ତର ଦେଇନାହାନ୍ତି, ଜୁଲାଇ ଦ୍ବିତୀୟ ସପ୍ତାହରେ ସ୍ବତନ୍ତ୍ର ଓଜେଇଇ
ଭୁବନେଶ୍ବର, : ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ଆଜି ପ୍ରକାଶ ପାଇଛି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଓଜେଇଇ ପ୍ରବେଶିକା ପରୀକ୍ଷା ଲାଗି ମୋଟ ୪୭ ହଜାର ୨୫୬ ଜଣ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୯ ହଜାର ୫୯୦ ଜଣ ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୭୬ ଜଣଙ୍କୁ ରୢାଙ୍କ ମିଳିଛି। ୧୪ ଜଣ ପରୀକ୍ଷା ଦେଇଥିଲେ ମଧ୍ୟ ଆଦୌ ପ୍ରଶ୍ନର ଉତ୍ତର ଲେଖି ନଥିଲେ। ଓଜେଇଇ ସୂଚନା ପୁସ୍ତିକା-୨୦୧୯ର କ୍ଲଜ୍ ନମ୍ବର ୬.୧ ଅନୁଯାୟୀ ସେମାନଙ୍କୁ ରୢାଙ୍କ ପ୍ରଦାନ କରାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସ୍ନାତକ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ସମୁଦାୟ ୨୯ ହଜାର ୯୦୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫ ହଜାର ୬୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୨୫ ହଜାର ୬୬୬ ଜଣଙ୍କୁ ରୢାଙ୍କ ମିଳିଛି। ବି ଫାର୍ମାରେ ୮୬୬୮, ଲାଟେରାଲ୍ ଏଣ୍ଟ୍ରି ଫାର୍ମାରେ ୪୭୩, ଲାଟେରାଲ ଏଣ୍ଟ୍ରି ଟେକ୍(ଡିପ୍ଲୋମା) ୧୫୪୦୦, ଲାଟେରାଲ ଏଣ୍ଟ୍ରି-ଟେକ୍(ବିଏସ୍ସି)ରେ ୨୨୮, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ୮୯୭ ଜଣ ପରୀକ୍ଷାର୍ଥୀଙ୍କୁ ରୢାଙ୍କ ପ୍ରଦାନ କରାଯାଇଛି।
ଦ୍ବିତୀୟ ପର୍ଯ୍ୟାୟରେ ସ୍ନାତକୋତ୍ତର ପାଠ୍ୟକ୍ରମର ବିଭିନ୍ନ ବିଷୟରେ ନାମଲେଖା ଲାଗି ଅନୁଷ୍ଠିତ କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି)ରେ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୯୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୯୧୦ ଜଣଙ୍କୁ ରୢାଙ୍କ ମିଳିଛି। ଏମ୍ବିଏରେ ୭ ହଜାର ୪୪୫, ଏମ୍ସିଏରେ ୨୨୯୧, ଲାଟେରାଲ ଏଣ୍ଟ୍ରି ଏମ୍ସିଏରେ ୧୩୮୫, ଏମ୍.ଟେକ୍ରେ ୧୯୧୯, ଏମ୍ ଆର୍କିଟେକ୍ରେ ୧୬, ଏମ୍. ପ୍ଲାନ୍ରେ ୪୪, ଏମ୍ ଫାର୍ମାରେ ୮୧୦ ଜଣଙ୍କୁ ରୢାଙ୍କ ମିଳିଛି।
ବି.ଫାର୍ମା ପାଠ୍ୟକ୍ରମରେ ସୁବର୍ଣ୍ଣପୁରର ସମୀର କୁମାର ପାଢ଼ୀ ଟପର୍ ହୋଇଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକ୍ରେ ଜଗତ୍ସିଂହପୁର ଜିଲ୍ଲାର ଶାଶ୍ବତୀ ମହାନ୍ତି, ଲାଟେରାଲ ଏଣ୍ଟ୍ରି ଟୁ ଫାର୍ମାରେ ପଶ୍ଚିମବଙ୍ଗର ଅମିତ୍ କୋଟାଲ୍, ଲାଟେରାଲ ଏଣ୍ଟ୍ରି ଟୁ ବିଏସ୍ସିରେ କେନ୍ଦୁଝର ଜିଲ୍ଲା ପିପିଲିଆର ଭବାନୀ ଶଙ୍କର ବେହେରା ଶୀର୍ଷରେ ରହିଛନ୍ତି। ସେହିପରି ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳର ସୁବାସ ଚନ୍ଦ୍ର ମହାପାତ୍ର, ଏମ୍ବିଏରେ ଗଞ୍ଜାମ ଜିଲ୍ଲାର ପ୍ରଦୀପ କୁମାର କାମ୍ପା, ଏମ୍ସିଏରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ସ୍ମିତାରାଣୀ ଚୌଧୁରୀ, ଏମ୍ ଟେକ୍ରେ ଭୁବନେଶ୍ବରର ପ୍ରଦୀପ କୁମାର ବାରିକ୍, ଏମ୍ ଫାର୍ମାରେ ପଶ୍ଚିମବଙ୍ଗର ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ, ଲାଟେରାଲ ଏଣ୍ଟ୍ରି ଟୁ ଏମ୍ସିଏରେ ଭୁବନେଶ୍ବରର ସୁମନ୍ତ ପାତ୍ର ଟପର୍ ହୋଇଛନ୍ତି।
ଓଜେଇଇରେ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଶେଷ ହେବା ପରେ ମଧ୍ୟ ସିଟ୍ ଖାଲି ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଥର ବି ଖାଲି ପଡ଼ିବାକୁ ଥିବା ସିଟ୍ଗୁଡ଼ିକ ପୂରଣ ଲାଗି ସ୍ବତନ୍ତ୍ର ଓଜେଇଇ କରାଯିବ। ଜୁଲାଇ ତୃତୀୟ ସପ୍ତାହରେ ସ୍ବତନ୍ତ୍ର ଓଜେଇଇ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି।
ମଧ୍ୟାହ୍ନରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ସମ୍ମିଳନୀ କକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଜେଇଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବା ସହ ଟପର୍ଙ୍କ ନାମ ଘୋଷଣା କରିଥିଲେ। ଏହି ଉନ୍ମୋଚନ ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିସନର ସଞ୍ଜୟ କୁମାର ସିଂ, ଡିଟିଇଟି ନିର୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର, ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ଶାସନ ସଚିବ ଅଜୟ କୁମାର ନାୟକ, ଓଜେଇଇ ସଚିବ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।