ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ : ୫ ଗୁରୁତର ହସ୍ପିଟାଲରେ ଭର୍ତ୍ତି, ପ୍ରଧାନଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ନିଲମ୍ବିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ଲାବଣ୍ୟଗଡ଼ ମାରଙ୍ଗି ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଏନରୋଗେଇସିଂ ଗ୍ରାମର ମିଶାଲ ରଇତଙ୍କ ଝିଅ ଟୁନି ରଇତର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଶାସନିକ ସ୍ତରରେ ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ଚୌଧୁରୀ ଓ ଶିକ୍ଷୟିତ୍ରୀ ଅନିତା ନାୟକଙ୍କୁ ଜିଲ୍ଲାପାଳ ଅନୁପମ କୁମାର ସାହା ନିଲମ୍ବନ କରିଛନ୍ତି।

ଗତ ରାତିରେ ଛାତ୍ରୀ ନିବାସରେ ସବୁଦିନ ଭଳି ପିଲାମାନେ ରାତ୍ରି ଭୋଜନ ସାରିଥିଲେ। ଏହାର କିଛି ଘଣ୍ଟା ପରେ ହଠାତ୍‌ ଛଅ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଟୁନିଙ୍କର ମୃତ୍ୟୁ ଘଟିଥିବା ବେଳେ ଅସୁସ୍ଥ ଛାତ୍ରୀଙ୍କୁ ଆଶା କର୍ମୀ ଶକୁନ୍ତଳା ଶବର ପ୍ରଥମେ ଗାରାବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ଆଜି ସକାଳ ସାଢେ ଦଶଟା ବେଳେ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଅଭିଯୋଗ ଅନୁସାରେ, ଘଟଣା ସମୟରେ କେହି ଶିକ୍ଷକ ଉପସ୍ଥିତ ନଥିଲେ। ଏପରିକି ଜଣକ ପ୍ରାଣବାୟୁ ଉଡ଼ି ଯାଇଥିଲେ ସୁଦ୍ଧା ଦାୟିତ୍ବରେ ଥିବା ଶିକ୍ଷକ ବା ସ୍କୁଲ କର୍ମଚାରୀ କେହି ଜାଣି ପାରି ନଥିଲେ।

ସ୍କୁଲ ପାଚିକା ସରସ୍ବତୀ ଶବର କହିଛନ୍ତି ଯେ ସେ ନିଜେ ଖାଦ୍ୟ ରାନ୍ଧି ସମସ୍ତଙ୍କୁ ଦେଇ ଥିଲେ ଏବଂ ଗୋଟିଏ ସ୍ଥାନରେ ଶୁଆଇ ଥିଲେ। ତେବେ, ୬ ଜଣ ଛାତ୍ରୀଙ୍କ ଦେହ କାହିଁକି ଖରାପ ହେଲା ସେ ଜାଣିପାରି ନାହାନ୍ତି।

ଚିକିତ୍ସା କରୁଥିବା ଡାକ୍ତର ରମେଶ ମିଶ୍ର କହିଛନ୍ତି ଯେ ଖାଦ୍ୟରେ ବିଷ ପ୍ରକ୍ରିୟା କାରଣରୁ ପିଲାଙ୍କୁ ଝାଡ଼ାବାନ୍ତି ହୋଇଥିଲା। ତେବେ, ବର୍ତ୍ତମାନ ଅନ୍ୟ ସୁସ୍ଥ ଓ ନିରାପଦ ଅଛନ୍ତି। ବିଭିନ୍ନ କାରଣରୁ ଖାଦ୍ୟରେ ବିଷକ୍ରିୟା ହୋଇଥାଏ । ଟୁନିର ମୃତ୍ୟୁ କେଉଁ କାରଣରୁ ହୋଇଛି, ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ସ୍ବଧାଦେବ ସିଂ ଚିକିତ୍ସାଳୟକୁ ଯାଇ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଅସୁସ୍ଥ ପିଲାଙ୍କୁ ଶିଶୁ ବିଭାଗ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସେମାନେ ନିରାପଦ ରହିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର