୪୫୨ଟି ପାକ୍‌ସ ଧାନ ସଂଗ୍ରହରୁ ବାଦ୍‌ ପଡ଼ିବେ

ଖୋଲିନାହିଁ ୬୦୯ଟି ମଣ୍ଡି, ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆଗେଇ ଚାଲିଥିବା ବେଳେ ୪୫୨ଟି ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଧାନ ସଂଗ୍ରହ ଆରମ୍ଭ କରିନାହାନ୍ତି। ଗତ ୩୦ ତାରିଖ ସୁଦ୍ଧା ୬୦୯ଟି ମଣ୍ଡି ଖୋଲିନାହିଁ। ଏ ନେଇ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ନିବନ୍ଧକ ଚେତାବନୀ ଦେଇଛନ୍ତି।

ଆଜି ସମସ୍ତ ସମବାୟ ଉପ ନିବନ୍ଧକ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓମାନଙ୍କୁ ଚିଠି ଲେଖିଛନ୍ତି ସମବାୟ ନିବନ୍ଧକ। ସେ କହିଛନ୍ତି, ବର୍ତମାନ ସୁଦ୍ଧା ୪୫୨ଟି ପାକ୍‌ସ ଧାନ ସଂଗ୍ରହ ଆରମ୍ଭ କରିନାହାନ୍ତି। ସେହି ସମିତିଗୁଡ଼ିକ ଯୋଗୁଁ ୬୦୯ଟି ମଣ୍ଡି ଖୋଲିପାରି ନାହିଁ। ଏଥିପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଆରସିଏସ୍‌, ଏଆରସିଏସ୍‌ମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ରିପୋର୍ଟର ଜିଲ୍ଲାୱାରୀ ତଥ୍ୟ ଦୁଇଦିନ ଭିତରେ ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ସେ କହିଛନ୍ତି।

ସୂଚନାନୁସାରେ ନଭେମ୍ବର ମାସ ଶେଷ ସୁଦ୍ଧା ବଛା ଯାଇଥିବା ୨୫୮୨ଟି ପାକ୍‌ସ ପକ୍ଷରୁ ୩୨୮୬ଟି ମଣ୍ଡି ଖୋଲାଯିବା କଥା। କିନ୍ତୁ ଗତ ୨୯ ତାରିଖ ସୁଦ୍ଧା ୨୧୩୦ଟି ପାକ୍‌ସ ୨୬୭୭ଟି ମଣ୍ଡି ଖୋଲିଛନ୍ତି। ଗତ ୨୮ ତାରିଖରେ ଖାଦ୍ୟ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସବୁ ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀମ‌ାନଙ୍କୁ ମଣ୍ଡି ଖୋଲିବା ନେଇ ତାଗିଦ୍‌ କରିଥିଲେ। ଯେଉଁ ସ୍ଥାନରେ ବାରମ୍ବାର ନିର୍ଦେଶ ଦେବା ସତ୍ତ୍ବେ ପ୍ରାଥମିକ କୃଷି ସମବାୟ ସମିିତି(ପାକ୍‌ସ)ମାନେ ମଣ୍ଡି ଖୋଲିନାହାନ୍ତି ବା ଧାନ ସଂଗ୍ରହ ଆରମ୍ଭ କରିନାହାନ୍ତିି, ସେମାନେ ତୁରନ୍ତ ମଣ୍ଡି ଖୋଲିବା ସହିତ ଧାନ ସଂଗ୍ରହ ଆରମ୍ଭ କରିବାକୁ ସେ ନିର୍ଦେଶ ଦେଇଥିଲେ। ଏଥିରେ ଅବହେଳା ହେଲେ ସଂପୃକ୍ତ ପାକ୍‌ସକୁ ଧାନ ସଂଗ୍ରହ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯିବ ବୋଲି ସେ କଡ଼ା ଚେତାବନୀ ଦେଇଥିଲେ। ତଦନୁଯାୟୀ ସଂପୃକ୍ତ ପାକ୍‌ସଗୁଡ଼ିକୁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ଦେବା ସହିତ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧ‌େର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର