ଧାନ ପାଇଁ କେତେ ମନ? : ପ୍ରାୟୋଜିତ ଅଭାବୀ ବିକ୍ରି
ଉଦ୍ଘାଟିତ ମଣ୍ଡିରେ ବି ତାଲା, ସମ୍ଭାବ୍ୟ ବର୍ଷା ପାଇଁ ମିଲର ଖୁସ୍
ଯାଜପୁର/ଟାଉନ : ଯାଜପୁର ଜିଲ୍ଲାରେ ପ୍ରାୟୋଜିତ ଭାବେ ଧାନର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି କରାଯାଉଛି। ପ୍ରଶାସନ ଜାଣି ଜାଣି ମଣ୍ଡି ଖୋଲିବାରେ ବିଳମ୍ବ କରୁଛି ବୋଲି ଗୁରୁତର ଅଭିଯୋଗ ହେଉଛି। ଡିସେମ୍ବର ପହିଲାରୁ ମଣ୍ଡି େଖାଲିବାକୁ ସରକାର ଦିନ ଧାର୍ଯ୍ୟ କରିଥିବା ବେଳେ ବିଭିନ୍ନ ଆଳରେ ପ୍ରଶାସନ ମଣ୍ଡି ଖୋଲିବାକୁ କୁନ୍ଥକୁନ୍ଥ ହେଉଛି। ଏହି ସୁଯୋଗରେ ରାଜ୍ୟ ବାହାରର ବେପାରୀ ଓ ଦଲାଲ ଚାଷୀଙ୍କୁ ଫୁସୁଲାଇ ଶାଗମାଛ ଦରରେ ଧାନ କିଣି ଚାଲାଣ କରୁଛନ୍ତି। ଏଥିରୁ ସିଂହଭାଗ ଅର୍ଥ ଦଲାଲଙ୍କ ପକେଟକୁ ଯାଉଛି। ଏଭଳି ସ୍ଥିତିରେ ହଜାର ହଜାର ଚାଷୀ ଶୋଷଣର ଶିକାର ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ହୋଇ ବସିଯାଇଛି। ଏପଟେ ସମ୍ଭାବ୍ୟ ବର୍ଷା ପାଇଁ ମିଲର ଖୁସ। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କ କଷ୍ଟଲବ୍ଧ ଉତ୍ପାଦିତ ଧାନକୁ ଲୁଟି ନେବାକୁ ଷଡ଼ଯନ୍ତ୍ରରେ ସାମିଲ କେତେକ ମିଲର, ଦଲାଲ, ସମବାୟ ସମିତି ଓ ବ୍ୟବସାୟୀ ବେଶ ଖୁସି ମନାଉଛନ୍ତି। ଏପଟେ ବର୍ଷା ଭୟରେ ଚାଷୀମାନେ ତରବରରେ ସେମାନଙ୍କ ଧାନକୁ ଯେନେତେନ ପ୍ରକାରେ ବିକ୍ରି କରିଦେବାକୁ ଲାଗିପଡ଼ିଛନ୍ତି। ସରକାରଙ୍କର ଘୋଷିତ ଧାନ ମଣ୍ଡି ଖୋଲି ନଥିବା ବେଳେ ମୁନାଫା ଖୋର ବ୍ୟବସାୟୀ ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି କରି ପ୍ରତି କ୍ବିଣ୍ଟାଲରେ ୬୦୦ ରୁ ୭୦୦ଟଙ୍କା କମ୍ରେ ଚାଷୀମାନଙ୍କ ଠାରୁ ଧାନ ଲୁଟିବାରେ ଲାଗିପଡ଼ିଛନ୍ତି। ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିେର ଚାଷୀଙ୍କ ସ୍ବାର୍ଥ ସାଧନ ପାଇଁ ଧାନ କିଣାବିକା କାର୍ଯ୍ୟ ଉପରେ ତତ୍ପରତା ପ୍ରକାଶ କରିବା ପରିବର୍ତ୍ତେ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନାରେ ପଦକ୍ଷେପ ସୀମିତ ରଖିଛି।
ଜିଲ୍ଲାର ୧୨୦ ମଣ୍ଡି ରୁ ନାମକୁ ମାତ୍ର ଗୋଟିଏ ମଣ୍ଡି ଉଦ୍ଘାଟନ କରିଥିଲେ। ତାହା ପୁଣି ବନ୍ଦ। ଚାଷୀଙ୍କୁ ଅଣଦେଖା କରି ନିକଟରେ ୩ଟି ରାଜ୍ୟରେ ସରକାର ଚିତ୍ପଟାଙ୍ଗ ମାରିିଛନ୍ତି। ଯାଜପୁର ଭଳି ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀ ପେଟକୁ ଲାତମାରି ମୁନାଫାଖୋର ଗୋଷ୍ଠୀ ଶହ ଶହ କୋଟି ଟଙ୍କା କମାଉଛନ୍ତି।
ସୂଚନା ଅନୁଯାୟୀ, ୨୦୧୮-୧୯ ବର୍ଷରେ ୩୧ହଜାର ୧୩ ଜଣ ଚାଷୀଙ୍କ ଠାରୁ ୫ଲକ୍ଷ ୫୪ହଜାର ୧୧୭ କ୍ବିଣ୍ଟାଲ ଧାନ କିଣିବାର ଲକ୍ଷ୍ୟ ରଖିଛି। ଅଥଚ ନାମକୁ ମାତ୍ର ଗତ ୧ ତାରିଖ ଦିନ ତଳିହା ମଣ୍ତି ପ୍ରଶାସନ ଖୋଲି ଚୁପ୍ ହୋଇଯାଇଛି। ଏହି ମଣ୍ଡିରୁ ଏଯାବତ ୧୬୫.୭୦ କ୍ବିଣ୍ଟାଲ ଧାନ କିଣା ଯାଇଛି। ଧାନ କିଣାବିକାରେ ଜିଲ୍ଲା ପ୍ରଶାସନ ତଦାରଖ କରୁଥିବା ବେଳେ ଯୋଗାଣ ବିଭାଗ, ଆରଏମସି, ସମବାୟ ସମିତି ପ୍ରଭୃତିର ଅଧିକାରୀମାନେ ସାମିଲ ହୋଇଥିବାବେଳେ ଚାଷୀଙ୍କ ଧାନ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କିପରି ଠିକ ଉପାୟରେ ବିକ୍ରି ହେବ ସେଥିପ୍ରତି କାହାରି ଆନ୍ତରିକତା ନଥିବା ଭଳି ଲକ୍ଷ୍ୟ କରାଯାଇଛି।
ସମବାୟ ସମିତିର ବିବାଦ ହେଉ କି କେତେକ ମିଲର ମାନଙ୍କର ଷଡ଼ଯନ୍ତ୍ର ହେଉ, ଚାଷୀମାନେ ଶୋଷିତ ହେଉଛନ୍ତି। ବାହାର ରାଜ୍ୟରେ ଶହ ଶହ କ୍ବିଣ୍ଟାଲ ଧାନ ଚାଲାଣ ହେଉଥିବା ବେଳେ ଚାଷୀଙ୍କ କିଷାନ କାଡ଼ ଦଲାଲମାନେ ବନ୍ଧା ନେବାରେ ଲାଗିପଡ଼ିଛନ୍ତି। ଚାଷୀଙ୍କ ପ୍ରାପ୍ୟକୁ ଲୁଟି ନେବାକୁ ଧାନ କିଣାବିକାରେ ସାମିଲ ଗୋଷ୍ଠୀ ବେଶ ଚତୁରତା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବାରେ ଲାଗିପଡ଼ିଛନ୍ତି। ଆଶଙ୍କା କରାଯାଉଥିବା ସମ୍ଭାବ୍ୟ ଅଦିନିଆ ବର୍ଷା ସେମାନଙ୍କୁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି।