ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଘଟଣା : ବିଳମ୍ବିତ ରାତି ଯାଏ ଥାନା‌ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା, ହତ୍ୟା ମାମଲା ରୁଜୁ କଲା ପୁଲିସ୍‌

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନାରେ ହାଜତ ମୃତ୍ୟୁ ଘଟଣାକୁ ଗତକାଲି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ଅସ୍ବୀକାର କରିଥିବା ବେଳେ ଆଜି ପଟ୍ଟାମୁଣ୍ଡାଇ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗ୍ରାମର ସୁରେଶ ଚନ୍ଦ୍ର ବେହେରା(ମଙ୍ଗୁଳି)ଙ୍କର ଗତକାଲି ପଟ୍ଟାମୁଣ୍ଡାଇ ଥାନା‌ରେ ମୃତ୍ୟୁ ଘଟିଥିଲା। ହାଜତ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏହାକୁ ନେଇ ଗତକାଲି ରାତିତମାମ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ମୃତ ସୁରେଶଙ୍କ ବାପା, ମା’, ପତ୍ନୀ ଚିନ୍ମୟୀ ଓ ତାଙ୍କର ପୁଅ, ଝିଅଙ୍କ ସମେତ ଗ୍ରାମର ଶତାଧିକ ଲୋକ ଥାନା ଆଗରେ ଧାରଣାରେ ବସିଥିଲେ। ବିଳମ୍ବିତ ରାତିରେ ଲୋକେ ଥାନା ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ଏସ୍‌ପି ନୀତି ଶେଖର ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀ ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ତା’ ସତ୍ତ୍ବେ ଲୋକେ ଆନ୍ଦୋଳନରୁ ନ ହଟିବାରୁ ରାତି ସାଢେ ଗୋଟାଏ ବେଳେ ଜିଲ୍ଲାପାଳ ସମର୍ଥ ବର୍ମା ଥାନାରେ ପହଞ୍ଚି ସୁରେଶଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସହାୟତା ପ୍ରଦାନ ସହ ଥଇଥାନର ପ୍ରତିଶ୍ରୁତି ଦେବା ପରେ ରାତି ପ୍ରାୟ ସାଢେ ୨ଟାରେ ମୃତ ସୁରେଶଙ୍କ ପରିବାର ଲୋକେ ଘରକୁ ଫେରିଥିଲେ।

ଆଜି ସକାଳେ କଟକ ବଡ଼ ମେଡିକାଲରେ ସୁରେଶଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ଦାହ କରାଯାଇଛି। ଅପରପକ୍ଷରେ, ଗତକାଲି ଏସ୍‌ପି ନୀତି ଶେଖର ହାଜତ ମୃତ୍ୟୁ ଘଟଣାକୁ ଅସ୍ବୀକାର କରିଥିବାବେଳେ ଆଜି ପୁଲିସ୍‌ ଏହି ଘଟଣାରେ ଦଫା ୩୦୨ ଓ ୩୪ରେ ମାମଲା(୩୦୨/୧୯) ରୁଜୁ କରିଛି। ଥାନାରେ ଲାଗିଥିବା ସିସି କ୍ୟାମେରାରୁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ ଗତକାଲି କହିଥିଲେ। ଆଜି ସନ୍ଧ୍ୟାରେ ଏସ୍‌ପିଙ୍କ ସମେତ ଡିଏସ୍‌ପି କାର୍ତ୍ତିକ ମଲ୍ଳିକଙ୍କ ଓ ଅନ୍ୟ ଅଧିକାରୀମାନେ ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚି ଘଟଣାର ଛାନଭିନ୍‌ କରିବା ସହ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର