୮ରୁ ଯୁକ୍ତ୨ ଖାତାଦେଖା : ଏଥର ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ

ନିର୍ବାଚନ ବେଳେ ୪ ଦିନ ଖାତାଦେଖା ବନ୍ଦ, ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ମନା, ନିୟୋଜିତ ହେବେ ୧୬ ହଜାର ଅଧ୍ୟାପକ

ଭୁବନେଶ୍ବର : ଏପ୍ରିଲ ୮ରୁ ଯୁକ୍ତ୨ ଖାତାଦେଖା। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ଏକାଥରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍‌ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଗତବର୍ଷ ଅପେକ୍ଷା ଏଥର ୪ ଦିନ ବିଳମ୍ବରେ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇଟି ପର୍ଯ୍ୟାୟ‌ରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

ଏଥର ଖାତା ମୂଲ୍ୟାୟନ ସମୟରେ ସାଧାରଣ ନିର୍ବାଚନ ପଡ଼ୁଥିବାରୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ପରିଷଦ ମୂଲ୍ୟାୟନରେ କିଛିଟା ପରିବର୍ତନ ଆଣିଛି। ଯେଉଁ ଜିଲ୍ଲା ତଥା ଅଞ୍ଚଳରେ ଯେଉଁଦିନ ନିର୍ବାଚନ ହେବ ସେଠାରେ ୪ ଦିନ ପାଇଁ ଖାତା ମୂଲ୍ୟାୟନ ବନ୍ଦ ରହିବ। ଅଧ୍ୟାପକମାନେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ। ଉଭୟ ନିର୍ବାଚନ ଓ ଖାତା ଦେଖା ଯେମିତି ସୁରୁଖୁରୁରେ ଚାଲିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଚଳିତବର୍ଷ ୫୮ ମାନୁଆଲ୍‌ ମୂଲ୍ୟାୟନ କେନ୍ଦ୍ର ଓ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି।

ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ଏକ ଲକ୍ଷ ୩୦ ହଜାର ପରୀକ୍ଷାର୍ଥୀଙ୍କର ସାଢେ଼ ୭ ଲକ୍ଷ ଉତ୍ତର ଖାତାର ଇ-ମୂଲ୍ୟାୟନ ହେବ। ଏଥିସହ କଳା ବିଭାଗର କମନ୍‌ ପେପର୍‌ ଯଥା ଅନ୍ୟାନ୍ୟ ଏମ୍‌ଆଇଏଲ୍‌, ଗଣିତ, ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଆଇଟି ଆଦି ବିଷୟର ଇ-ମୂଲ୍ୟାୟନ ହେବ। କଳା ବିଭାଗର ପ୍ରାୟ ୧୫ ଲକ୍ଷ ଉତ୍ତର ଖାତାର ମାନୁଆଲ ମୂଲ୍ୟାୟନ କରାଯିବ। ମାନୁଆଲ କେନ୍ଦ୍ର ଅଧୀନରେ ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ରହିଛି। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ। ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡ଼ିପାରିବେ ନାହିଁ। ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଯଦି ଆବଶ୍ୟକ ପଡେ଼ ଜୋନ୍‌ ସୁପରଭାଇଜର ଏକ ରୁମ୍‌ କରିବେ। ସେଠାରେ ମୂଲ୍ୟାୟନକାରୀ ମୋବାଇଲ୍‌ ରଖି ଖାତା ଦେଖିବାକୁ ଯିବେ। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜୋନ୍‌ର ଅଧିକାରୀମାନେ ସମୟ ନିର୍ଦ୍ଧାରଣ କରିବେ। ମୂଲ୍ୟାୟନ କେନ୍ଦ୍ରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ। ଶାନ୍ତିଶୃଙ୍ଖଳା ରକ୍ଷା, ଶବ୍ଦ ନ କରିବା, ଉପଯୁକ୍ତ ପରିବେଶ, ସ୍ବଚ୍ଛ ଶୌଚାଳୟ, ପାନୀୟ ଜଳ ସୁବିଧା କରିବାକୁ କୁହାଯାଇଛି। ଯଦି କଲେଜରେ କ୍ୟାଣ୍ଟିନ୍‌ ଥିବ ତେବେ ତାହାକୁ ମୂଲ୍ୟାୟନକାରୀଙ୍କ ଲାଗି ଉପଲବ୍ଧ କରିବାକୁ ନିର୍ଦେଶ ଦିଆଯାଇଛି। ସୁରକ୍ଷା ଲାଗି ପୁଲିସର ସହାୟତା ନେବାକୁ ମୂଲ୍ୟାୟନ କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର