ପ୍ରାଣନାଥ ଥିଲେ ଗରିବଙ୍କ ସ୍ୱର: ରାଜ୍ୟପାଳ

ରାଜ୍ୟ ପ୍ରାଣନାଥ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ଉତ୍ସବ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଜଣେ ଯୋଦ୍ଧା ଥିଲେ ଏବଂ ସେ ଲକ୍ଷ ଲକ୍ଷ ଗରିବ ଓ ଖଟିଖିଆଙ୍କ ପାଇଁ ଲଢୁଥିଲେ। ସେ ପ୍ରକୃତରେ ଗରିବଙ୍କ ସ୍ୱର ଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ ‘ରାଜ୍ୟ ପ୍ରାଣନାଥ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ସମାରୋହ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଥମେ ଓଡ଼ିଶା ମାଟି ଓ ଜଗନ୍ନାଥଙ୍କୁ ପ୍ରଣାମ କରିଥିଲେ। ଓଡ଼ିଶା ସଂସ୍କୃତି, କଳା, ସାହିତ୍ୟ ଓ ଆଧ୍ୟାତ୍ମିକ ମାଟି ବୋଲି ରାଜ୍ୟପାଳ କହିଥିଲେ।

‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭ‌ାବେ ଯୋଗଦେଇ ପ୍ରାଣନାଥଙ୍କୁ ଜଣେ ଯୋଗଜନ୍ମା ପୁରୁଷ ଭାବେ ବର୍ଣ୍ଣନା କରିଥିଲେ। ଓଡ଼ିଶା ଗରିବ ହୋଇପାରେ, ମାତ୍ର ପ୍ରାଣନାଥଙ୍କ ଭଳି ଯୋଗ୍ୟ ସନ୍ତାନଙ୍କୁ ଜନ୍ମ ଦେଇଥିବାରୁ ଓଡ଼ିଶା ଧନୀ। ଓଡ଼ିଶା ଜଗନ୍ନାଥଙ୍କ ମାଟି। ଏଣୁ ଏଠାରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ବିଚାର କରାଯାଇଥାଏ। ବହିରାଗତ ଅତିଥିଙ୍କୁ ଏ ମାଟିରେ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଏଠାରେ ଧର୍ମ ନାମରେ ବିଭେଦ ଦେଖାଯା‌ଏ ନାହିଁ କି ଧର୍ମକୁ ନେଇ ରାଜନୀତି ହୋଇ ନଥାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତ ଅତିଥି ଭାବେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ପ୍ରାଣନାଥ ପଟ୍ଟନାୟକ ପୂର୍ବତନ ବିଧାୟକ ଭାବେ ଯେତିକି ପରିଚିତ ନୁ‌ହଁନ୍ତି ବରଂ ଜଣେ ବିପ୍ଳବୀ ନେତା ଓ ସାମ୍ୟବାଦର ମହାନାୟକ ଭାବେ ଓଡ଼ିଶାର ଜନମାନସରେ ପରିଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଲୋକସେବକ ମଣ୍ଡଳର ଜାତୀୟ ସଭାପତି ଦୀପକ ମାଲବ୍ୟ ଯୋଗଦେଇ ପ୍ରାଣନାଥଙ୍କୁ ଲୋକନାୟକ ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶକୁ ଯୁବପିଢ଼ି ଅନୁସରଣ କରିବାକୁ ଆହ୍ବାନ ଜଣାଇଥିଲେ। ଲୋକସେବକ ମଣ୍ଡଳର ଜାତୀୟ ସଂପାଦକ ନିରଞ୍ଜନ ରଥ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପ୍ରାଣନାଥ ଲଢ଼େଇ କରିବା ପାଇଁ ଜନ୍ମ ନେଇଥିଲେ ବୋଲି କହିଥିଲେ।

ରାଜ୍ୟ ପ୍ରାଣନାଥ ସ୍ମୃତି ସମିତିର ସଭାପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଦିଲ୍ଲୀପ ହାଲି ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ରାଜ୍ୟର ପାଞ୍ଚ ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ବଙ୍କୁ ‘ପ୍ରାଣନାଥ ସମ୍ମାନ’ ପ୍ରଦାନ କରାଯାଇଥିଲା। ଚିକିତ୍ସକ ତଥା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଭିନେତ୍ରୀ ବନଜା ମହାନ୍ତି, ସମାଜସେବୀ ତଥା ଶ୍ରମିକ ‌େନତା ସୁବାସ ସିଂହ, ଚିତ୍ରଶିଳ୍ପୀ ମାନସ ରଂଜନ ଜେନା ଏବଂ ନାଟ୍ୟ ନିର୍ଦ୍ଦେଶକ ଗୋପାଳ ଦେଙ୍କୁ ଚଳିତବର୍ଷ ପାଇଁ ‘ପ୍ରାଣନାଥ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା। ସୁଚେତା ପ୍ରିୟଦଶିର୍ନୀ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର