ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

କଟକ : ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଶ୍ରୀ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ବିଚାରପତି ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୨୦୧୭, ଡିସେମ୍ବର ୧ରେ ବିଚାରପତି ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବିଶ୍ୱାଳଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ତାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ୨ମାସ ମଧ୍ୟରେ ଶେଷ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିବିଆଇ ତଦନ୍ତ କରି ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଏହାପରେ ଶ୍ରୀ ବିଶ୍ୱାଳ ପୁଣି ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ ଦାୟର କରିଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ କରିିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ସେ ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଏସିସୋର ମାମଲାରେ ୨୦୧୭, ସେପ୍ଟେମ୍ବର ୧୯ରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା।

ସମ୍ବନ୍ଧିତ ଖବର