ସବୁଜ ସଂଗ୍ରାମ ପାଇଁ ‘ପ୍ରେରଣା’ର ମହାସଂକଳ୍ପ : ୨୦୩୫ ସୁଦ୍ଧା ଓଡ଼ିଶା ହେବ ବିଶ୍ୱର ସବୁଜ ରାଜଧାନୀ, ବର୍ଷକ ଭିତରେ ୧ କୋଟି ବୃକ୍ଷରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ପୁରୀ : ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ ଆର୍ମି ପକ୍ଷରୁ ଆୟୋଜିତ ‘ସବୁଜ ସଂଗ୍ରାମ’ ଅଭିଯାନ ଆଜି ଶ୍ରୀମନ୍ଦିର ସିଂହଦ୍ବାରଠାରେ ଉଦ୍‌ଘାଟିତ ହୋଇଯାଇଛି। ସିଂହଦ୍ବାର ସମ୍ମୁଖରେ ଏକ ହଜାରରୁ ଅଧିକ ସବୁଜ ସେନା ଏକାଠି ହୋଇ ବିଶ୍ବକୁ ସବୁଜ, ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ କରି ଗଢ଼ି ତୋଳିବା ପାଇଁ ମହାସଂକଳ୍ପ ନେଇଛନ୍ତି। ସାରା ବିଶ୍ବକୁ ଏହି ସବୁଜ ସଂଗ୍ରାମର ବାର୍ତ୍ତା ଦେଇ ୨୦୩୫ ସୁଦ୍ଧା ଓଡ଼ିଶାକୁ ସବୁଜ ରାଜଧାନୀ କରିବାର ଦୃଢ଼ ସଂକଳ୍ପ ନେଇଛନ୍ତି। ଏହି ଉପଲକ୍ଷେ ପୁରୀ ସହ‌ରରେ ଏକ ବିରାଟ ସବୁଜ ରାଲିର ଆୟୋଜନ କରାଯାଇଥିଲା। ୨୦୨୦ ମସିହା ଅକ୍ଟୋବର ମାସ ୨୦ ତାରିଖ ସୁଦ୍ଧା ଅର୍ଥାତ୍ ବର୍ଷକ ମଧ୍ୟରେ ସବୁଜବାହିନୀର ସଂଖ୍ୟା ଏକ ଲକ୍ଷରେ ପହଞ୍ଚାଇବା ସହ ଏକ କୋଟି ବୃକ୍ଷରୋପଣ ପାଇଁ ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରିନ ଆର୍ମି ପକ୍ଷରୁ ଘୋଷଣା କରାଯାଇଛି।

????????????????????????????????????

ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରିନ ଆର୍ମିର କମାଣ୍ଡାଣ୍ଡ୍ ଇନ୍ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସବୁଜବାହିନୀ ଆଜି ସକାଳେ ସିଂହଦ୍ବାର ସମ୍ମୁଖରେ ଏକାଠି ହେବା ପରେ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବେଦପାଠ, ଶଙ୍ଖଧ୍ବନି, ଯୋଡ଼ି ମହୁରି ଭିତରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଚୁନରା ସେବକ ଶରତ ମହାନ୍ତି ଶ୍ରୀମନ୍ଦିରରୁ ଦୀପ ଓ ବାନା ଧରି ଆସିବା ପରେ ସିଂହଦ୍ବାରଠାରେ ପ୍ରେରଣାର କମାଣ୍ଡାଣ୍ଟ ବଦ୍ରି ମିଶ୍ର ଉପସ୍ଥିତ ଜନପ୍ରତିନିଧି ଓ ସବୁଜ ସେନାକୁ ଶପଥପାଠ କରାଇଥିଲେ। ପରେ ପରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ମେଢ଼, ନାଗା, ସଂକୀର୍ତ୍ତନ, ପାଇକ ଖେଳ ସହ ସବୁଜ ରାଲି ବଡ଼ଦାଣ୍ଡ ଦେଇ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଡ. ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ଷଡ଼ଙ୍ଗୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ସୁରେଶ ରାଉତରାୟ, ଡ. ପ୍ରକାଶ ଶ୍ରୀଚନ୍ଦନ, ଜଗନ୍ନାଥ ବସ୍ତିଆ, ସଂଗୀତା ଦାସ, ଋତୁପର୍ଣ୍ଣା ମହାନ୍ତି, ସାହିତ୍ୟିକ ଶଶାଙ୍କ ଚୁଡ଼ାମଣି, ରବୀନ୍ଦ୍ରନାଥ ବେହେରା, ଅମିୟ ପଟ୍ଟନାୟକ, ବିଶ୍ବମୋହନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସବୁଜ ସଂଗ୍ରାମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା, ଆହାନା, ପଦ୍ମଜା, ଅଖିଳ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ମିସନ ଓଡ଼ିଶାର ସଂପାଦକ ମଧୁସୂଦନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା, ପଥପ୍ରାନ୍ତ ନାଟକର ନିର୍ଦେଶକ ପ୍ରଶାନ୍ତ ପଟ୍ଟନାୟକ, ପ୍ରିୟଦର୍ଶନ ପଟ୍ଟନାୟକ, ଭାସ୍କର ପୂଜାରୀ, ଶିବନାରାୟଣ ସେନାପତି, ପ୍ରଫୁଲ୍ଲ ତ୍ରିପାଠୀ, ଅକ୍ଷୟ ଜୟସିଂହ, ହରିହର ସାମଲଙ୍କ ସମେତ ବିଭିନ୍ନ ଅନୁଷ୍ଠାନଙ୍କୁ ସମ୍ମାନିତ କରାଯାଇଥିଲା। ବିଶ୍ବନାଥ ମିଶ୍ର ଓ ଶ୍ୟାମପ୍ରକାଶ ସେନାପତିଙ୍କ ସଂଯୋଜନାରେ ପଥପ୍ରାନ୍ତ ନାଟକ, ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବର୍ଗଦ୍ବାରଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମି ସଫେଇ କରାଯାଇଥିଲା। ଆସନ୍ତା ୨୩ ତାରିଖରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନେତୃତ୍ବରେ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର