ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ହୋମିଓପ୍ୟାଥିକ କଲେଜରେ ପ୍ରଫେସର୍ ଓ ରିଡର୍ ପଦବି ନିଯୁକ୍ତି ପାଇଁ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ବିଜ୍ଞପ୍ତିରେ ଘରୋଇ ହୋମିଓପ୍ୟାଥି କଲେଜରୁ ଅବସର ନେଇଥିବା ବ୍ୟକ୍ତିଙ୍କୁ ସରକାରୀ କଲେଜରେ ଭର୍ତି କରିବା ପାଇଁ କାରସାଦି ହୋଇଛି। ଘରୋଇ କଲେଜର କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଶିକ୍ଷକମହଲରେ ଅସନ୍ତୋଷ ଦେଖା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତ ମାସ ୨୩ ତାରିଖରେ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ହୋମିଓପ୍ୟାଥି କଲେଜରେ ଖାଲି ପଡ଼ିଥିବା ପ୍ରଫେସର ଓ ରିଡର ପଦବିର ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମାଟେରିଆ ମେଡିକାରେ ୫, ରିପେରଟୋରିରେ ୨, ଅର୍ଗାନନ ଅଫ ମେଡିସିନ୍ରେ ୧, ହୋମିଓପ୍ୟାଥିକ ଫାର୍ମାସିରେ ୨ ଓ ପ୍ରାକ୍ଟିସ୍ ଅଫ ମେଡିସିନ୍ରେ ୨ଜଣ ଲେଖାଏଁ ମିଶାଇ ସମୁଦାୟ ୧୨ଟି ପଦବି ରହିଛି। ଏଥିପାଇଁ ସେହି ବିଭାଗରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଜରୁରୀ। ଏହାସହ ସରକାରୀ ହୋମିଓପ୍ୟାଥି କଲେଜରୁ ଅବସର ଗ୍ରହଣ କରିଥିବା ପ୍ରଫେସର କିମ୍ବା ରିଡରଙ୍କ ଅତିକମ୍ରେ ୪ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଥିବା ଜରୁରୀ ବୋଲି କୁହାଯାଇଛି। ଯଦି ଏହିସବୁ ବିଭାଗରେ କୌଣସି ସରକାରୀ ଶିକ୍ଷକ ଉପଲବ୍ଧ ନ ହୁଅନ୍ତି ତେବେ ବେସରକାରୀ କଲେଜରୁ ଅବସର ନେଇଥିବା ଶିକ୍ଷକ ଏଥିରେ ଆବେଦନ କରିପାରିବେ।
ସେହିପରି ରିଡରଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିର୍ଦେଶନାମା ରହିଛି। ମାଟେରିଆ ମେଡିକାରେ ୫, ରିପେରଟୋରିରେ ୪, ଅର୍ଗାନନ ଅଫ ମେଡିସିନ୍ସରେ ୮, ହୋମିଓପ୍ୟାଥିକ ଫାର୍ମାସିରେ ୩, ଫିଜିଓଲୋଜି ଏବଂ ବାଇଓକେମିଷ୍ଟ୍ରିରେ ୨, ଏଫ୍ଏମ୍ଟିରେ ୨, ଏସ୍ପିଏମ୍ରେ ୩, ପ୍ରାକ୍ଟିସ୍ ଅଫ ମେଡିସନ୍ରେ ୭, ପାଥୋଲୋଜି ଏବଂ ମାଇକ୍ରୋବାଇଓଲୋଜିରେ ୨, ସର୍ଜରିରେ ୩, ଆନାଟୋମିରେ ୧ ଓ ଓବେଷ୍ଟ୍ରିକ୍ସ ଏବଂ ଗାଇନୋକୋଲୋଜିରେ ୧ ରିଡର ପଦବି ନିଯୁକ୍ତି କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ସମସ୍ତ ପ୍ରଫେସର ଓ ରିଡରଙ୍କୁ ଠିକାରେ ନିଯୁକ୍ତି ଦିଆଯିବ। ନିଯୁକ୍ତି ତାରିଖଠାରୁ ଆସନ୍ତା ଆର୍ଥିକ ବର୍ଷର ଫେବ୍ରୁଆରି ମାସ କିମ୍ବା ସରକାର ଏହି ପଦବି ପୂରଣ କରିବା ପର୍ଯ୍ୟନ୍ତ ସେମାନେ ଏଥିରେ ରହିବେ। ଆବଶ୍ୟକ ପଡ଼ିଲେ ଏହି ନିଯୁକ୍ତିକୁ ମଧ୍ୟ ବଢ଼ାଇ ଦିଆଯାଇପାରେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୪ଟି ହୋମିଓପ୍ୟାଥିକ କଲେଜରେ ଏକ ନିର୍ଦ୍ଦିଷ୍ଟ ବିଭାଗରେ ସ୍ନାତକୋତ୍ତର ଡିଗ୍ରି ଥିବା ଅବସର ନେଇଥିବା ପ୍ରଫେସର ଓ ରିଡର ନାହାନ୍ତି। ତେଣୁ ଘରୋଇ କଲେଜର କିଛି ନିର୍ଦ୍ଦିଷ୍ଟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଏଥିରେ ନିଯୁକ୍ତି ଦେବା ପାଇଁ ଏହି ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏହିସବୁ କଲେଜରେ ନିଯୁକ୍ତି ପାଇଁ ଦୁଇ ଦୁଇ ଥର ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ ହୋଇଥିଲେ ହେଁ ବେସରକାରୀ କଲେଜରୁ ଆବେଦନ ସଂପର୍କରେ ବିଜ୍ଞପ୍ତିରେ ଉଲ୍ଲେଖ ନ ଥିବା ବିଭାଗର କିଛି ଅଧିକାରୀ ସୂଚନା ଦେଇଛନ୍ତି।