ଶ୍ରୀରାମଚନ୍ଦ୍ର ଦାଶ ଓଡ଼ିଶାରେ ରାଜନୀତି ବିଜ୍ଞାନର ଜେଜେ: ସୋୖମ୍ୟ
ଶିକ୍ଷାରେ ଧାରାର ପ୍ରବର୍ତ୍ତକ ଥିଲେ
ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ଶନିବାର ପ୍ରଜ୍ଞାପୁରୁଷ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି କରାଯାଇଛି। ସଭାକୁ ଉଦଘାଟନ କରି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୋୖମେନ୍ଦ୍ର ପଟ୍ଟନାୟକ, ଅସଂଖ୍ୟ ମାନବ ଚରିତ୍ର ଗଠନ କରିଥିବା ଶିଳ୍ପର ଦକ୍ଷ ସିଇଓ ଭାବେ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କୁ ବର୍ଣ୍ଣନା କରିଥିଲେ। ଯଦି ବହୁ ସଂଖ୍ୟାରେ ବିଦ୍ବାନ ତିଆରି କରି ଦେଶବିଦେଶରେ ସେମାନଙ୍କୁ ପ୍ରତିଷ୍ଠିତ କରାଇବା ଜଣେ ଶିକ୍ଷାବିତଙ୍କ ସଂଜ୍ଞା ହୁଏ, ପ୍ରଫେସର ଯଥାର୍ଥରେ ଜଣେ ଉଚ୍ଚକୋଟୀର ଶିକ୍ଷାବିତ ଥିଲେ ବୋଲି ସେ ମତ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ତଥା ସାଂସଦ ସୋୖମ୍ୟରଂଜନ ପଟ୍ଟନାୟକ କହିଥିଲେ, ସାଧାରଣତଃ ଅନୁଷ୍ଠାନକୁ ନେଇ ବ୍ୟକ୍ତି ପରିଚୟ ପାଇଥାଏ। ହେଲେ ପ୍ରଫେସର ଦାଶଙ୍କ କ୍ଷେତ୍ରରେ ଓଲଟା। ତାଙ୍କ ପାଇଁ ଓଡ଼ିଶାରେ ରାଜନୀତି ବିଜ୍ଞାନ ବିଭାଗ ଓ ବିଷୟକୁ ପରିଚୟ ମିଳିଲା। ୬୦ ଦଶକ ପୂର୍ବେ ଓଡ଼ିଶାରେ ଏହି ବିଷୟରେ ଉପାଧ୍ୟୁତ୍ତର ଶିକ୍ଷାର ସୁଯୋଗ ନଥିବାରୁ ଓଡ଼ିଆ ପିଲାମାନେ ପ୍ରଥମେ ଆହ୍ଲାବାଦ ଓ ପରେ ପରେ ଦିଲ୍ଲୀମୁହାଁ ହେଉଥିଲେ। ପ୍ରଫେସର ଦାଶଙ୍କ ପ୍ରତି ଆକର୍ଷଣ ଯୋଗୁଁ ଏହି ଧାରା ବଦଳିଲା। ତାଙ୍କ ଜନ୍ମ ଶତବାର୍ଷିକୀ ପାଳନରୁ ଗୋଟିଏ କଥା ସୂଚନା ମିଳୁଛି, ସେ ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟର ରାଜନୀତି ବିଜ୍ଞାନ ବିଷୟର ଜେଜେ। ଜଗତସିଂହପୁରର ଏକ ମଫସଲ ଅଞ୍ଚଳ ମାଛଗାଁର ଏକ ଗରିବ ବ୍ରାହ୍ମଣ ପରିବାରରୁ ଆସିଥିବା ଶ୍ରୀରାମବାବୁ ଏପରି ଜଣେ ବିଦ୍ବାନ ଥିଲେ ଯାହାଙ୍କୁ ନେଇ ଓଡ଼ିଶାର ଶିକ୍ଷିତ ସମାଜରେ କାହାଣୀମାନ କୁହାଯାଉଥିଲା। ‘କାର୍ବନ ପଛେ ଭୁଲ ହେଇଯିବ, ଶ୍ରୀରାମ ଦାଶ କହିଛନ୍ତି ମାନେ ସେଇଟା ହିଁ େବଦର ଗାର’ ଭଳି ତାଙ୍କ ପ୍ରତି ଏକାଧିକ ମତମନ୍ତବ୍ୟ ତାଙ୍କୁ ଜଣେ କିମ୍ବଦନ୍ତୀ ପୁରୁଷ କରିଛି। ଆମ ରାଜ୍ୟର ସମକାଳୀନ ଇତିହାସ ଅପେକ୍ଷାକୃତ ଦୁର୍ବଳ। ତେଣୁ ଆମେ କଥାକଥାକେ କୋଣାର୍କରେ ଅଟକିଯାଇଥାଉ। ତେବେ ନିକଟ ଅତୀତର ଶ୍ରୀରାମ ଦାଶ ଓ ଗୋଦାବରୀଶ ମିଶ୍ରଙ୍କ ଭଳି ପ୍ରଚଣ୍ଡ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଜୀବନାଦର୍ଶ ଯୁବସମାଜକୁ ପ୍ରେରିତ କରୁ ବୋଲି ସେ ଆହ୍ବାନ ଦେଇଥିଲେ।
ଅନ୍ୟତମ ଆଲୋଚକ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶୁକଦେବ ନନ୍ଦ କହିଥିଲେ, ଏହି ପ୍ରବାଦ ପୁରୁଷଙ୍କ ବିଷୟରେ ଆମେ ସ୍କୁଲରେ ପଢ଼ିବା ଦିନରୁ ତାଙ୍କୁ ଜଣେ ବୁଦ୍ଧିଆ ଓ ଦୁଃସାହସିକ ବ୍ୟକ୍ତି ଭାବେ ଶୁଣି ଆସୁଥିଲୁ। ପିଲାଙ୍କ ସହିତ ତାଙ୍କର ଏତେ ସଂପୃକ୍ତି ଥିଲା ଯେ ସେ ଏକରକମ ପ୍ରତ୍ୟେକଙ୍କ ଯୋଗ୍ୟତା ଅନୁସାରେ ତାଙ୍କ କ୍ୟାରିୟର ଚୟନର ପରାମର୍ଶ ରଖୁଥିଲେ। ମନସ୍ତତ୍ତ୍ବବିତ ପ୍ରଫେସର ଅଜିତ ମହାନ୍ତି କହିଥିଲେ, ସଫଳ ଶିକ୍ଷା ପରିଚାଳକମାନଙ୍କୁ ଯଦି ଶିକ୍ଷାବିତ ବୋଲାଯାଏ, ପ୍ରଫେସର ଦାଶ ସେହି ଅର୍ଥରେ ଶିକ୍ଷାବିତ ପଦବାଚ୍ୟ ନଥିଲେ। ତାଙ୍କ ସମୟରେ ଉଚ୍ଚଶିକ୍ଷା ସଂକୁଚିତ ଥିଲା, ଏହି ବିସ୍ମୟ ପୁରୁଷ ଏହାର ପ୍ରସାରଣ କରିଥିଲେ। ଶିକ୍ଷାକ୍ଷେତ୍ରରେ ନେତୃତ୍ବ କଥା ଉଠିଲେ ଅଧିକାଂଶ ବିଫଳ। ଏହି ବ୍ୟତିକ୍ରମଜଣକ ନିଜ ସମୟଠାରୁ ଆଗୁଆ ଥିଲେ। ବିଡ଼ମ୍ବନା, ସେହି ସମୟ ହିଁ ତାଙ୍କୁ ଟାଣିନେଲା। ଅଧ୍ୟାପକ ବିଶ୍ବରଂଜନ କହିଥିଲେ, ପ୍ରଫେସର ଦାଶ ୧୯୭୩ରେ ପ୍ରଥମ ଓଡ଼ିଆ ଭାବେ କୋଲକାତା ଅଧିବେଶନରେ ଅଖିଳ ଭାରତୀୟ ରାଜନୀତି ବିଜ୍ଞାନ ସଂସଦର ସଭାପତି ମନୋନୀତ ହୋଇଥିଲେ। ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଆଜିର ବ୍ୟବସ୍ଥାରେ ପ୍ରଫେସର ଦାଶଙ୍କ ବାଧ୍ୟତାମୂଳକ ଅବସର ସମ୍ଭବ ହୋଇନଥା’ନ୍ତା ବୋଲି କହିଥିଲେ। ଆଜି ବି ରାଜନୀତି ବିଜ୍ଞାନ ବିଷୟ ଭଲ ଭାବେ ପଢ଼ିଲେ ସିଭିଲ ସର୍ଭିସ ପରୀକ୍ଷା ଓ ଗଣମାଧ୍ୟମରେ ଭଲ କରିବା ସମ୍ଭାବନା ଅଧିକ।
ସାହିତ୍ୟିକ ଦାଶ ବେନହୁର କହିଥିଲେ, ପ୍ରଫେସର ଦାଶ ଓଡ଼ିଶାରେ ଏକ ଶୈକ୍ଷିକ ପରିମଣ୍ଡଳ ତିଆରି କରିଥିଲେ। ଭାରତୀୟ ସମ୍ବିଧାନ ପ୍ରତି ରାଜ୍ୟର କୋଣ ଅନୁକୋଣରେ ଧାରଣା ସୃଷ୍ଟିକରିବା କାମରେ ଲାଗିପଡ଼ିଥିଲେ ସେ। ଏହି ଓଜସ୍ବିନୀ ବକ୍ତାଙ୍କ ଅବର୍ତ୍ତମାନରେ ଏବକାର ପିଲାଏ ଦରିଦ୍ର। ଓଡ଼ିଶାରୁ କିପରି ଅଧିକ ପିଲା ଆଇଏଏସ ପାଇବେ ସେ ଦିଗରେ ବ୍ରତୀ ଥିଲେ। ଶିକ୍ଷାକ୍ଷେତ୍ରରେ ଧାରା ସୃଷ୍ଟିକାରୀ ଏହି ଶିକ୍ଷାବିଜ୍ଞାନୀ ହିଁ ପ୍ରଥମେ ସିଭିକ୍ସକୁ ‘ନଗର ବିଜ୍ଞାନ’, ଜୁଡିସିଆଲ ରିଭ୍ୟୁକୁ ‘ନ୍ୟାୟିକ ପୁନରାବଲୋକନ’ ତଥା ଇମ୍ପିଚମେଣ୍ଟ ପରି ଶବ୍ଦକୁ ‘ମହାଭିଯୋଗ’ ବୋଲି କହିବା ଆରମ୍ଭ କରିଥିଲେ। ବିଡ଼ମ୍ବନା, ତାଙ୍କ ସ୍ପଷ୍ଟବାଦିତା ତାଙ୍କୁ ଶେଷଯାଏ ଅସୁର ହୋଇ ଗୋଡ଼ାଇଲା। ଉଚ୍ଚଶିକ୍ଷାକୁ ସାଧାରଣ ସ୍ତରକୁ ନେଇଥିବା ଏହି ସମାଜ ବିଜ୍ଞାନୀଙ୍କ ଯୁବସମାଜ ଉପରେ ପ୍ରଭାବ ଓ ସମକାଳୀନ ସମସ୍ୟା ସହ ସଂପୃକ୍ତି କେତେ ଥିଲା, ତାଙ୍କ ପୁରୀ ଅବସ୍ଥାନ ବେଳର ଉଦାହରଣରୁ ଜଣାପଡ଼େ। ଗାନ୍ଧୀ ହତ୍ୟାକାଣ୍ଡ ଭିଆଇଥିବା ଯୁବକର ଧର୍ମକୁ ନେଇ ବିଭ୍ରାନ୍ତି ଦୂର କରିବା ପାଇଁ ସେ ବୁଲିବୁଲି ମାଇକରେ ପ୍ରଚାର କରିଥିଲେ। ଶ୍ରୀେକ୍ଷତ୍ରରେ ସାଂପ୍ରଦାୟିକ ସଦ୍ଭାବ କ୍ଷୁଣ୍ଣ ହେବାକୁ ଦେଇନଥିଲେ।
ସଭାପତିଙ୍କ ଅଭିଭାଷଣରେ ରାଜ୍ୟ ଯୋଜନା ବୋର୍ଡ଼ ଉପଦେଷ୍ଟା ରବିନାରାୟଣ ଦାସ ଏବର ପିଲାମାନେ ‘ପ୍ରଫେସର ଦାଶଙ୍କ ଛାତ୍ରଙ୍କ ଛାତ୍ର’ ବୋଲି ନିଜକୁ ଗର୍ବ କରିବାକୁ ପରାମର୍ଶ ଦେଇଥିଲେ। ସ୍ବାବଲମ୍ବୀ ହେବାକୁ ହେଲେ ଶ୍ରୀରାମ ଦାଶଙ୍କ ଅକୁହା କାହାଣୀ ପଢ଼ିବାକୁ ପଡ଼ିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲେ। ବିଭାଗୀୟ ମୁଖ୍ୟା ସ୍ମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶତବାର୍ଷିକୀ ସମାରୋହର ମୁଖ୍ୟ ଉତ୍ସବ ଆସନ୍ତା ୧୭ ନଭେମ୍ବର ପାଳନ ହେବ େବାଲି ସେ ସୂଚନା ଦେଇଥିଲେ।