ଧିରେ ଧିରେ ଖୋଲୁଛି ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ! ଦୃଶ୍ୟମ ଫିଲ୍ମରୁ ପ୍ରେରଣା ପାଇ ଅପରାଧ ଘଟାଇଥିଲା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମାରାଥନ ଜେରା ଚଳାଇଥିବା ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦିନକୁ ଦିନ ମିଳୁଛି ଅନେକ ଚାଞ୍ଚଲ୍ୟକର ତଥ୍ୟ। କ୍ରାଇମବ୍ରାଞ୍ଚ ଜେରା ଯେତିକି ଆଗକୁ ଯାଉଛି, ପଦାକୁ ଆସୁଛି ସମସ୍ତଙ୍କୁ ଚକିତ କରିଦେବା ଭଳି କାହାଣୀ।

ଅଧ୍ୟକ୍ଷ ପଦ ଯିବା ପରେ ପ୍ରତିଶୋଧର ନିଆଁରେ ଜଳୁଥିବା ପୁଞ୍ଜିଲାଲ କରିଥିଲା ପାର୍ସଲ ବୋମାର ଷଡଯନ୍ତ୍ର । ଏଥିପାଇଁ ଦୃଶ୍ୟମ ଫିଲ୍ମରୁ ଅନେକ ପ୍ରେରଣା ପାଇଥିଲା ପାର୍ସଲ ବୋମାର ଖଳନାୟକ। ଏହି ଫିଲ୍ମରୁ ପ୍ରେରଣା ପାଇଥିଲା, କିଭଳି ପ୍ରମାଣକୁ ନଷ୍ଟ କରିଦେବ, ଆଉ ପୁଲିସର ତଦନ୍ତକୁ ଭିନ୍ନ ଦିଗକୁ ବଦଳାଇଦେବ। ଏହି ଫିଲ୍ମକୁ ବାରମ୍ବାର ଦେଖି ପୁଲିସକୁ ଭୁଆଁ ବୁଲାଇବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲା। ଜେରା ଚାଲିଥିବା ବେଳେ ପୁଞ୍ଜିଲାଲ ସମ୍ପର୍କରେ ଏହିପରି ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ।

ଦୃଶ୍ୟମ ଫିଲ୍ମର କିଛି ଦୃଶ୍ୟ ଦେଖିଲେ, ଆପଣ ମଧ୍ୟ ଜାଣିପାରିବେ କିପରି ପ୍ରଭାବିତ ହୋଇଥିଲା ଏହି ହତ୍ୟାକାରୀ। କ୍ରାଇମବ୍ରାଞ୍ଚ୍‌ ହାତରେ ଧରାପଡ଼ିବା ପରେ ଧୀରେ ଧୀରେ ସାମ୍ନାକୁ ଆସୁଛି ଷଡଯନ୍ତ୍ରର ରହସ୍ୟ । ବୋମା ଭର୍ତ୍ତି ପାର୍ସଲ ଧରି କଣ୍ଟାବାଞ୍ଜିରୁ ରାୟପୁର ଅଭିମୁଖେ ବାହାରିଥିଲା ପୁଞ୍ଜିଲାଲ। ମୁଣ୍ଡରେ ଟୋପି ଏବଂ ବ୍ଲାକ୍‌ ଜାକେଟ୍‌ ପିନ୍ଧି ସିସିଟିଭି କ୍ୟାମେରାଠାରୁ ଲୁଚି ଛପି ପହଞ୍ଚିଥିଲା ରାୟପୁରରେ। ଏପରିକି ରାୟପୁର ଯିବା ପାଇଁ ପୁଞ୍ଜିଲାଲ୍‌ ଟିକେଟ ବି କରିନଥିଲା। ବିନା ଟିକେଟରେ ରାୟପୁର ଯାଇ ପାର୍ସଲ କରିବା ପରେ ବିନା ଟିକେଟରେ ପାଟଣାଗଡ଼ ଫେରିଥିଲା। ପୁଲିସ ଆଖିରେ ଧୂଳି ଦେବା ପାଇଁ ଷଡଯନ୍ତ୍ରର ଫୁଲ-ପ୍ରୁଫ୍‌ ପ୍ଲାନ କରିଥିଲା ପଞ୍ଜିଲାଲ। ଠିକ୍‌ ଯେମିତି, ପୋଲିସକୁ ବାଟବଣା କରିବା ପାଇଁ ଦୃଶ୍ୟମ ଫିଲ୍ମରେ କରିଥିଲା ନାୟକ। ଅପରାଧର ସବୁ ପ୍ରମାଣ ନଷ୍ଟ ପାଇଁ ଯୋଜନା କରିଥିଲା ପୁଞ୍ଜିିଲାଲ। କଲେଜରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଥିବା ଜଣେ ଅଧ୍ୟାପକ ଯେ ଏପରି ଅପରାଧର ଷଡଯନ୍ତ୍ର କରିପାରନ୍ତି ଏହା ଆଶ୍ଚର୍ଯ୍ୟ କରିଛି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ।

ୟୁ-ଟ୍ୟୁବରୁ ବୋମା ତିଆରି କୌଶଳ ଶିଖିବା ଠାରୁ ପାର୍ସଲ ପଠାଇବା ପର୍ଯ୍ୟନ୍ତ ସବୁକିଛି ଥିଲା ଚଳଚ୍ଚିତ୍ରର କାହାଣୀ ପରି। ରାୟପୁରରେ ନିଜେ କୋରିୟର ବୁକିଂ କରିବା ବଦଳରେ ରେଲୱେ ଷ୍ଟେସନରୁ ଯାଇଥିବା ଅଟୋ ଡ୍ରାଇଭର ହାତରେ ପାର୍ସଲ ପଠାଇଥିଲା ପୁଂଜିଲାଲ। ଅପରାଧର ସବୁ ପ୍ରମାଣକୁ ନଷ୍ଟ କରିବା ପାଇଁ ରାୟପୁରକୁ ପିନ୍ଧିକି ଯାଇଥିବା କୋଟ୍‌ ଏବଂ ଟୋପିକୁ ମଧ୍ୟ ପୋଡ଼ି ଦେଇଥିଲା।

ଦୃଶ୍ୟମ ଫିଲ୍ମ ଓ ପୁଞ୍ଜିଲାଲର ଷଡଯନ୍ତ୍ର ଭିତରେ ଏତିକି ପ୍ରଭେଦ ଥିଲା ଜଣେ ପରିବାରକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିଲା, ଆଉ ଜଣେ କରୁଥିଲା ଅନ୍ୟ ଏକ ପରିବାରକୁ ବୋମାରେ ଉଡାଇ ଦେବାର ଷଡଯନ୍ତ୍ର। ଦୃଶ୍ୟମ ସିନେମାରେ ଶେଷ ପର୍ଯ୍ୟନ୍ତ ପୁଲିସକୁ ସୁରାକ ମିଳିନଥିଲା, ହେଲେ ପୁଞ୍ଜିଲାଲର ପାପ ପେଡି ଖୋଲିଯାଇଥିଲା। ପୁଲିସକୁ ଦିଗହରା କରିବା ପାଇଁ ପୁଞ୍ଜିିଲାଲ ଦେଇଥିବା ଶେଷ ଚିଠି ହିଁ ଷଡଯନ୍ତ୍ରର ପୂରା ପୃଷ୍ଠା ଖୋଲି ଦେଇଥିଲା।

ସମ୍ବନ୍ଧିତ ଖବର