ପୁଣି ଘୁଞ୍ଚିଲା ପରୀକ୍ଷାମୂଳକ ଅବଢ଼ା ରୋଷେଇ

ପୁରୀ : ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲଗାଇବା ପୂର୍ବରୁ ପରୀକ୍ଷାମୂଳକ ଅବଢ଼ା ରୋଷେଇ ପାଇଁ ଦିନ ଧାର୍ଯ୍ୟ କରିଥିବା ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ନିଷ୍ପତ୍ତି ବଦଳାଇଛି। ଆଜି କୋଠଭୋଗରେ ଅବଢ଼ା ରୋଷେଇ କରି ଖର୍ଚ୍ଚ ଅନୁସାରେ ଦର ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପୂର୍ବରୁ ବି ଦୁଇଥର ଦିନ ଓ ସ୍ଥାନ ଧାର୍ଯ୍ୟ କରି ପରୀକ୍ଷାମୂଳକ ରୋଷେଇ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ସୁଆର ମହାସୁଆର ନିଯୋଗର ଅସହଯୋଗ ଯୋଗୁ ଶ୍ରୀମନ୍ଦିର ପ୍ରଶାସନ ଅବଢ଼ା ରୋଷେଇରେ ବିଫଳ ହୋଇଥିବା ଆଲୋଚନା ହେଉଛି।

ଜଷ୍ଟିସ ବି.ପି ଦାଶ କମିଶନଙ୍କ ରିପୋର୍ଟରେ ଆନନ୍ଦ ବଜାର ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅବଢ଼ା ବିକ୍ରିକୁ ନେଇ ବାରମ୍ବାର ବିବାଦ ମୁଣ୍ଡ ଟେକିବା ପରେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପରୀକ୍ଷାମୂଳକ ଭାବେ ଅବଢ଼ା ରୋଷେଇ, ଆନନ୍ଦବଜାରରେ ପିଣ୍ଡି ନିର୍ମାଣ, କ୍ରେତା ଓ ସହଯୋଗୀଙ୍କ ତାଲିକା ପ୍ରସ୍ତୁତି, ଅଭିଯୋଗ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛି। ଅବଢ଼ା ଦର ତାଲିକା ଏଥିରେ ପ୍ରମୁଖ ନିଷ୍ପତ୍ତି ହୋଇଥିବା ଓ ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ସହମତି ପ୍ରକାଶ କରିଥିବାରୁ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିରରେ ପରୀକ୍ଷାମୂଳକ ଅବଢ଼ା ରୋଷେଇ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଦିନଧାର୍ଯ୍ୟ ବି ହୋଇ ସାରିଥିଲା। କିନ୍ତୁ କ’ଣ ହେଲା କେଜାଣି ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାର କିଛି ଦିନ ପରେ ପୁନର୍ବାର ବୈଠକ ଡାକି କୋଠଭୋଗରେ ଅବଢ଼ା ରୋଷେଇ ପାଇଁ ନିଷ୍ପତ୍ତି ହେବା ସହ ଆବଶ୍ୟକ ଚାଉଳ, ଡାଲି, ପନିପରିବା, ଘିଅ ଆଦି ଶ୍ରୀମନ୍ଦିର ପ୍ରଶାସନ ନିଜେ ଯୋଗାଇ ଦେବ ବୋଲି ସ୍ଥିର ହୋଇଥିଲା। ଏହି ନିଷ୍ପତ୍ତି ବି ଅଟକି ରହିଥିଲା। ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ପରେ ଆଜି ପରୀକ୍ଷାମୂଳକ ରୋଷେଇ ନିଷ୍ପତ୍ତି ନିଆଯାଇଥିଲା। ତାହା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ଆନନ୍ଦ ବଜାରରେ ଦର ତାଲିକା ଲାଗିବା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର