ଭୁବନେଶ୍ୱର-ଦିଲ୍ଲୀ ଉଡ଼ାଣ ବାଧାପ୍ରାପ୍ତ

ଦିଲ୍ଲୀରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଆଜି ସଂଧ୍ୟାରେ ଦିଲ୍ଲୀରେ କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ସଂଧ୍ୟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବାକୁ ଥିବା ତିନିଟି ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଏଥିରେ ଗୋଟିଏ ବିମାନର ଉଡ଼ାଣ ବାତିଲ୍‌ ହୋଇଥିବାବେଳେ ଆଉ ଦୁଇଟି ବିମାନ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂଧ୍ୟାରେ ଦିଲ୍ଲୀ ବିମାନବନ୍ଦରରେ ପ୍ରବଳ ଝଡ଼ତୋଫାନ ସହ ବଜ୍ରପାତ ହେଉଥିବାରୁ ସମସ୍ତ ଉଡ଼ାଣ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା। ଏଥିରେ ରାତି ୮ଟା ୨୦ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯିବାକୁ ଥିବା ଭିସ୍ତାରାର ୟୁକେ-୭୮୨ ବିମାନ, ଏୟାର ଇଣ୍ଡିଆର ରାତି ୯ଟା ୨୦ରେ ଯିବାକୁ ଥିବା ଏଆଇ ୪୭୪ ବିମାନ ଏବଂ ଇଣ୍ଡିଗୋର ରାତି ୯ଟା ୫୦ରେ ଯିବାକୁ ଥିବା ୬ଇ ୨୪୦୫ ବିମାନ ପ୍ରଭାବିତ ହୋଇଥିଲା।

ରାତି ପ୍ରାୟ ୧୧ଟାରେ ଦିଲ୍ଲୀରେ ପାଗ ସ୍ୱାଭାବିକ ହେବାରୁ ଭୁବନେଶ୍ୱରରୁ ବିମାନ ଉଡ଼ାଣ ପାଇଁ ଏଟିଆର୍‌ ଅନୁମତି ଦେଇଥିଲା। ଏହାପରେ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପାଇଁ ଯାତ୍ରୀଙ୍କ ବୋର୍ଡିଂ କରିଥିଲେ। କିନ୍ତୁ ଭିସ୍ତାରା ବିମାନର ପାଇଲଟ୍‌ ବିମାନ ଉଡ଼ାଣ କରିବେନି ବୋଲି ମନା କରିଦେଇଥିଲେ। ପାଇଲଟ୍‌ କହିଥିଲେ ଯେ, ତାଙ୍କ ଡ୍ୟୁଟି ସମୟ ଶେଷ ହୋଇଯାଇଥିବାରୁ ସେ ବିମାନ ଉଡ଼ାଣ କରିପାରିବେନି। ଭିସ୍ତାରା କର୍ତ୍ତୃପକ୍ଷ ପାଇଲଟ୍‌ଙ୍କୁ ଅନୁରୋଧ କରିଥିଲେ ହେଁ ସେ ରୋକଠୋକ୍‌ ମନା କରିଦେଇଥିଲେ। ଏହାପରେ ଭିସ୍ତାରା କର୍ତ୍ତୃପକ୍ଷ ଉଡ଼ାଣ ବାତିଲ୍‌ ହେଲା ବୋଲି ଘୋଷଣା କରିଥିଲେ। ଭିସ୍ତାରା କର୍ତ୍ତୃପକ୍ଷଙ୍କ ଘୋଷଣା ପରେ ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ହୋହଲ୍ଲା କରିବାରୁ ଯେଉଁ ଯାତ୍ରୀଙ୍କର ଦିଲ୍ଲୀରୁ ବିଳମ୍ବିତ ରାତିରେ ବିଭିନ୍ନ ଦେଶକୁ ଯିବାର ଥିଲା ସେମାନଙ୍କୁ ଇଣ୍ଡିଗୋ ବିମାନରେ ନୂଆଦିଲ୍ଲୀ ପଠାଇଥିଲେ। ବାକି ଯାତ୍ରୀଙ୍କୁ ଗୁରୁବାର ସକାଳ ବିମାନରେ ପଠାଯିବ ବୋଲି କହି ହୋଟେଲରେ ରାତ୍ରିଯାପନ କରିବାକୁ କହିଥିଲେ। କିନ୍ତୁ କେତେକ ଯାତ୍ରୀ ଆଜି ରାତିରେ ଦିଲ୍ଲୀ ଯିବେ ବୋଲି ଜିଦ୍‌ କରିବାରୁ ବିମାନବନ୍ଦରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ କିଛି କହିପାରିବେନି ବୋଲି କହିଛନ୍ତି। ଅପରପକ୍ଷେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୪ଟା ୨୩ରେ ଇଣ୍ଡିଗୋ ବିମାନ ୬ଇ ୨୬୧୬ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଛି। ବିମାନଟି ୧୮୮ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରୁଥିବାବେଳେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ୍‌ ରନେଓ୍ଵରେ ଜାଣିବାକୁ ପାଇଥିଲେ। ପାଇଲଟ୍‌ ସଙ୍ଗେସଙ୍ଗେ ବିମାନକୁ ପାର୍କିଂ ଷ୍ଟାଣ୍ଡକୁ ନେଇ ଆସିଥିଲେ। ଏହାପରେ ଇଞ୍ଜିନିୟରିଂ ଟିମ୍‌ ବିମାନର ଯାଞ୍ଚ କରିବା ପରେ ଅପରାହ୍ନ ୫ଟା ୨୩ରେ ବିମାନଟି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା।

ସମ୍ବନ୍ଧିତ ଖବର