ବଜେଟରେ ରାଜ୍ୟବାସୀଙ୍କ ପାଇଁ କିଛି ନାହିଁ
ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷ ବଜେଟରେ କିଛି ନୂତନତା ନାହିଁ। ଏଥିରେ ରାଜ୍ୟର ବାସ୍ତବ ଚିତ୍ର ଉପସ୍ଥାପନ କରାଯିବା ପରିବର୍ତ୍ତେ କିଛି ଭୂଲ ତଥ୍ୟ ଦିଆଯାଇ ନିର୍ବାଚନ ବୈତରଣୀ ପାର ହେବାକୁ ବିଜୁ ଜନତା ଦଳ ସରକାର ଚେଷ୍ଟା କରିଛନ୍ତି।
ନିଜ ପାଖରେ ଅର୍ଥ ନଥାଇ କାଳିଆ, ପିଠା ଭଳି ଯୋଜନା ସରକାର କାର୍ଯ୍ୟକାରୀ କରିଛନ୍ତି । ବେକାରୀ ଯୁବକଙ୍କୁ ନିଯୁକ୍ତି ନଦେଇ ବିଜୁ ଯୁବ ବାହିନୀ ଗଠନ କରି ସରକାରୀ ଅର୍ଥ ଅପଚୟ ସରକାର କରୁଛନ୍ତି। ବିଜୁ ଯୁବ ବାହିନୀ ପାଇଁ ଏହି ବଜେଟରେ ୧୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ପାଞ୍ଚଥର କୃଷି କର୍ମଣ ପାଇଥିବା ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି କାହିଁକି ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣ ରଖିବାବେଳେ କହିଲେନି। ଏସସି-ଏସଟି ପିଲାଙ୍କୁ ଆବାସିକ ବିଦ୍ୟାଳୟରେ ରଖି ଶିକ୍ଷା ଦିଆଯାଉଛି। ଅଥଚ ସେସବୁ ବିଦ୍ୟାଳୟରେ ଜଣକ ପରେ ଜଣେ ନାବାଳିକା ଗର୍ଭବତୀ ହେଉଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କ ସହାୟତା ଚାଷୀର ଆର୍ଥିକ ସ୍ଥିତି ସୁଧାରିବ କି ନାହିଁ ତାହା ସନ୍ଦେହ। ୨୦ ଲକ୍ଷ ଗୃହ ନିର୍ମାଣ କଥା ବଜେଟରେ କୁହାଯାଇଥିବାବେଳେ ଏବେ ବି ଶହଶହ ପରିବାର ଭଙ୍ଗା ଝାଟିମାଟି ଘର ଓ ପଲିଥିନ୍ ତଳେ ବାସ କରୁଛନ୍ତି।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବଜେଟ୍ ଅନ୍ତଃସାର ଶୂନ୍ୟ
ରାଜ୍ୟରେ ବଜେଟରେ ସରକାରଙ୍କ ସ୍ଥାଣୁତା, ଅପାରଗତା ପ୍ରତିଫଳିତ ହୋଇଛି।ବିଗତ ବଜେଟରେ ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନି।ଏଥିରେ କେନ୍ଦ୍ରୀୟ ଅନୁଦାନ ନ ହୋଇ ପଡ଼ିରହିଛି।
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ
ବଜେଟ ଅସତ୍ୟ ଉପରେ ଆଧାରିତ
ରାଜ୍ୟ ବଜେଟ ଅସତ୍ୟ ଉପରେ ଆଧାରିତ । ନିର୍ବାଚନ ବର୍ଷ ଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏପରି ବଜେଟ ଦିଆଯାଇଛି । ରାଜ୍ୟର ବିକାଶ ପାଇଁ ଏହି ଉଦ୍ଦିଷ୍ଟ ନୁହେଁ ।
ନରସିଂହ ମିଶ୍ର, ବିରୋଧୀ ଦଳ ନେତା
ରାଜ୍ୟ ସରକାରଙ୍କ ବଜେଟ ଅବାସ୍ତବ
ସରକାରଙ୍କ ଏହି ବଜେଟ ଲୋକଙ୍କ ବିକାଶ ନୁହେଁ ବାସ୍ତବତା ଠାରୁ ବହୁ ଦୁରରେ । ନିର୍ବାଚକୁ ଆଖି ଆଗରେ ରଖି ଏପରି ଅବାସ୍ତବ ବଜେଟ ରାଜ୍ୟବାସୀଙ୍କୁ ବିଜୁ ଜନତା ଦଳ ସରକାର ଦେଇଛନ୍ତି ।
କନକ ବର୍ଦ୍ଧନ ସିଂହଦେଓ, ବିଜେପି ବିଧାୟକ ଦଳ ନେତା
ନିଷ୍ଫଳା ବଜେଟ୍
ଏହା ଏକ ନିଷ୍ଫଳା ବଜେଟ୍ । ଏଥିରେ ଫୁଲ ନାହିଁ କି ଫଳ ନାହିଁ । ଏହା କେବଳ କାଳିଆ ଯୋଜନାକୁ ଅର୍ଥ ବରାଦ କରିବାକୁ ବଜେଟ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା କୃଷି ଓ କୃଷକର ବିକାଶ ହେବନାହିଁ । ଛତିଶଗଡ଼ ସରକାରଙ୍କ ଭଳି ୭୫୦ ଟଙ୍କା ବୋନସ ଦେଇ ଧାନ କୁଇଣ୍ଟାଲ ୨୬୦୦ ଟଙ୍କା ଧାର୍ଯ୍ୟ କରିଥିଲେ ଚାଷୀମାନେ ସ୍ଥାୟୀଭାବେ ଉପକୃତ ହୋଇଥାନ୍ତେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଦେଢ଼ଲକ୍ଷ ପଦବୀ ପୂରଣ ପାଇଁ କୌଣସି ବ୍ୟବସ୍ଥା କିମ୍ବା ଅନ୍ୟ କୌଣସି ଯୋଜନା ନାହିଁ।
ଦିବାକର ନାୟକ, କେନ୍ଦ୍ରୀୟ କମିଟି ସଭ୍ୟ, ସିପିଆଇ
ରାଜ୍ୟର ଅଭିବୃଦ୍ଧିରେ ବଜେଟ ସହାୟକ ହେବନାହିଁ
ରାଜ୍ୟ ବଜେଟରେ କେବଳ କାଳିଆ, ପିଠା, ମିସନ ଶକ୍ତି, ମୋବାଇଲ ଫୋନ, ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଭାତ, ଡାଲମା, କ୍ରିକେଟ ବ୍ୟାଟ, ପୋଷାକ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଏଥିରେ ଜୀବିକା ସୃଷ୍ଟି କରିବା ଭଳି ଭିତ୍ତିଭୂମି ନିର୍ମାଣ, ବୈଷୟିକ, ଜ୍ଞାନକୌଶଳ, ଶିକ୍ଷା, ଜଳସେଚନ, ନିଶାନିବାରଣ, ମହିଳା ସଶକ୍ତିକରଣ ଓ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ ଭବିଶ୍ୟତରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବଜେଟରେ କୁହାଯାଇଛି । ଏଥିରେ ରାଜ୍ୟର କିଛି ବି ଅଭିବୃଦ୍ଧି ହେବନାହିଁ ।
ମହାମେଘବାହନ ଐର ଖାରବେଳ ସ୍ବାଇଁ, ସଭାପତି ଉତ୍କଳ ଭାରତ