ନିମାପଡ଼ା-କାକଟପୁର ରାସ୍ତାରେ ଡକାୟତି : ବ୍ୟାଙ୍କ୍‌ ଗାଡ଼ିରୁ ଲୁଟିନେଲେ ୨୦ ଲକ୍ଷ

୩ଟି ବାଇକ୍‌ରେ ଆସିଥିଲେ ୬ ଦୁର୍ବୃତ୍ତ, ଫାଙ୍କା ଗୁଳି ଚଳାଇ ଟଙ୍କା ବାକ୍ସ ନେଇଗଲେ

ନିମାପଡ଼ା/ଚାରିଛକ : ନିମାପଡ଼ା-କାକଟପୁର ରାସ୍ତାର ଗୋପାଳପୁର ଗ୍ରାମ ନିକଟରେ ଆଜି ଦୁର୍ବୃତ୍ତମାନେ ଏକ ଘରୋଇ ବ୍ୟାଙ୍କ୍‌ର ଟଙ୍କା ନେଇ ଯାଉଥିବା ଗୋଟିଏ କାର୍‌କୁ ଅଟକାଇ ୧୯ ଲକ୍ଷ ୯୪ ହଜାର ଟଙ୍କା ଲୁଟି ନେଇଛନ୍ତି। ୩ଟି ବାଇକ୍‌ରେ ୬ ଜଣ ଲୁଟେରା କାର୍‌କୁ ପିଛା କରି ଟଙ୍କା ଲୁଟ୍‌ କରିବା ପରେ ଫାଙ୍କା ଗୁଳିଚାଳନା କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଖବର ପାଇ ନିମାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାଏ ଲୁଟେରାଙ୍କ ସନ୍ଧାନ ପାଇନ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ଗୋପ ଥାନା ଅନ୍ତର୍ଗତ ନୟାହାଟସ୍ଥିତ ବନ୍ଧନ ବ୍ୟାଙ୍କରୁ ଫିଲ୍‌ଡ ଅଫିସର ଅସିତ କୁମାର କର୍ମକାର, ଚିନ୍ମୟ କୁମାର ମୁଖାର୍ଜୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏକ କାର୍‌ରେ ୧୯ ଲକ୍ଷ ୯୪ ହଜାର ଟଙ୍କା ନେଇ ନିମାପଡ଼ାସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ‌ଦିନ ପ୍ରାୟ ୩ଟା ସମୟରେ ସେମାନେ ଚାରିଛକ ନିକଟସ୍ଥ ଗୋପାଳପୁର ଗ୍ରାମ ନିକଟରେ ଯାଉଥିବାବେଳେ ୬ ଜଣ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ବାଟ ଓଗାଳିଥିଲେ ଏବଂ କାର୍‌ ଡ୍ରାଇଭର୍‌ ଦେବେନ୍ଦ୍ର ପାତ୍ରଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଭୟଭୀତ କରିବା ସହ ଚାବି ଛଡ଼ାଇ ନେଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଡିକି ଖୋଲି ଏଥିରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କ୍‌କୁ ନେଇ ନିମାପଡ଼ା ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ।

ଏ ସଂପର୍କରେ ଶ୍ରୀ କର୍ମକାର ଓ ଶ୍ରୀ ମୁଖାର୍ଜୀ ନିମାପଡ଼ା ଥାନାରେ ଅଭିଯୋଗ କରିବାରୁ ଆଇଆଇସି ଜନାର୍ଦ୍ଦନ ପାଢ଼ୀ ଓ ଚାରିଛକ ଫାଣ୍ତି ଅଧିକାରୀ ପ୍ରମୋଦ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁରୀ ଏସ୍‌ପି ଉମାଶଙ୍କର ଦାଶ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଲୁଟେରାମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍‌ ଚାଳକ ଦେବେନ୍ଦ୍ରଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର