‘ସମ୍ବାଦ’ ପ୍ରତିନିଧିଙ୍କୁ ହତ୍ୟା : ପତ୍ନୀ, ଦେଢ ଶାଶୂଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା

ମାଣିଆବନ୍ଧ : ତିଗିରିଆର ସାମ୍ବାଦିକ ଅମୂଲ୍ୟ କୁମାର ରାଉତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ତାଙ୍କ ପତ୍ନୀ, ଦେଢ ଶାଶୂ, ସେମାନଙ୍କ ସଂପର୍କୀୟ ତଥା ସହଯୋଗୀମାନେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତ ଅମୂଲ୍ୟ କୁମାର ରାଉତଙ୍କ ବାପା ୬୫ ବର୍ଷୀୟ ବୃଦ୍ଧ ରାମଚନ୍ଦ୍ର ରାଉତ ମାଣିଆ ବନ୍ଧ ଫାଣ୍ଡିରେ ମାମଲା ଦାୟର କରିଛନ୍ତି। ରାମଚନ୍ଦ୍ର ତାଙ୍କର ଏକମାତ୍ର ପୁତ୍ରର ହତ୍ୟା ଘଟଣାରେ ନିର୍ଦ୍ଦିଷ୍ଟ ଭାବେ ୯ ଜଣଙ୍କ ସଂପୃକ୍ତି ସନ୍ଦେହ କରି ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ତିଗିରିଆରେ ‘ସମ୍ବାଦ’ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଅମୂଲ୍ୟ କୁମାର ରାଉତଙ୍କ ମୃତଦେହ ଅତ୍ୟନ୍ତ ସନ୍ଦେହଜନକ ଭାବେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଦେଢଶାଶୂ ଝୁନୁବାଳା ପରିଡାଙ୍କ ମାଣିଆବନ୍ଧ ସନ୍ତରାବାଳୀସ୍ଥିତ ଘରୁ ଉଦ୍ଧାର କରାଯାଇଥିଲା। ମୃତଦେହର ଦୁଇ ଗୋଡ଼ ଖଟ ଉପରେ ସଂପୂର୍ଣ୍ଣ ବଙ୍କା ହୋଇ ରହିଥିଲା। ଖଟ ଉପରେ ଛିଡ଼ା ହେଲେ ସେହି ପଙ୍ଖାରେ କିନ୍ତୁ ମୁଣ୍ଡ ବାଜୁଥିଲା। ଅମୂଲ୍ୟଙ୍କ ମୂତ୍ରାଶୟରେ ଆଘାତ ଲାଗି ରକ୍ତ ବାହାରି ଶୁଖି ଯାଇଥିବା ବେଳେ ପଛରେ ମଧ୍ୟ ରକ୍ତ ବାହାରି ଶୁଖି ଯାଇଥିବା ଦେଖିବାକୁ ମିଳିଥିଲା। ଆତ୍ମହତ୍ୟା କରିଥିବା ଘରଟି ସଂପୂର୍ଣ୍ଣ ଖୋଲା ଥିଲା ଏବଂ ସେହି ସମୟରେ ଘରେ ଏକାଧିକ ବ୍ୟକ୍ତି ଥିଲେ ବୋଲି ବି କୁହାଯାଉଛି। ଅମୂଲ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଦେଢ ଶାଶୂ ଝୁନୁବାଳା ପରିଡ଼ା ପ୍ରଥମେ ଫାଣ୍ଡିରେ ସୂଚନା ଦେଇଥିଲେ। କିନ୍ତୁ ସେହି ଘରକୁ ଲାଗି ରହିଥିବା ଅନ୍ୟ ଘରର ବ୍ୟକ୍ତି ଏ ସଂପର୍କରେ ବହୁ ବିଳମ୍ବରେ ସୂଚନା ପାଇଥିବା କହିଥିଲେ।

ଝୁନୁବାଳାଙ୍କ ଏଭଳି ବୟାନକୁ କିନ୍ତୁ ଅମୂଲ୍ୟଙ୍କ ବାପା ରାମଚନ୍ଦ୍ର ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଦିନକ ପୂର୍ବରୁ ବୋହୂ ରେଣୁବାଳା କାହାକୁ ନଜଣାଇ ଘରୁ ଲୁଚି ପଳାଇଥିଲେ। ଅମୂଲ୍ୟ ବିଭିନ୍ନ ଆଡେ ଖୋଜାଖୋଜି କରି ବି ତାଙ୍କୁ ପାଇ ନଥିଲେ। ଆଜି ସେ ସକାଳେ ଘରେ ଖାଇ ବସିଥିବା ବେଳେ ସେହି ଗାଁର ଜଣେ ଯୁବକ କହିଥିଲେ ଯେ ସେ ରେଣୁବାଳାଙ୍କୁ ନେଇ ମାଣିଆବନ୍ଧ ସନ୍ତରାବାଳୀରେ ଥିବା ତାଙ୍କ ଭଉଣୀ ଘରେ ଛାଡିଛି। ଅମୂଲ୍ୟ ପୁଅକୁ ଆଣିବାକୁ ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ଦିନ ପ୍ରାୟ ୧ଟା ବେଳେ ସେ ଖବର ପାଇଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ପୁଅ ଘରୁ ଖାଇପିଇ ସେଠାକୁ ଯାଇ ହଠାତ ଏଭଳି ଢଙ୍ଗରେ ଆତ୍ମହତ୍ୟା କାହିଁକି କଲା ବୋଲି ରାମଚନ୍ଦ୍ର ଓଲଟା ପ୍ରଶ୍ନ କରିଛନ୍ତି। ଆଜି ସଂଧ୍ୟାରେ ମୃତଦେହକୁ ବଡ଼ମ୍ବା ମେଡିକାଲକୁ ନିଆଯାଇଛି। ଆସନ୍ତାକାଲି ସେଠାରେ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟରୁ ଅନେକ କିଛି ସ୍ପଷ୍ଟ ହେବ ବୋଲି ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି।

ସମ୍ବନ୍ଧିତ ଖବର