ଓଡ଼ିଶାର ଶାସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ମଡ଼େଲ: ସଞ୍ଜୟ ଦାସବର୍ମା

ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ସଫଳତା କହିଲେ

ଭୁବନେଶ୍ବର : ନବୀନ ପଟ୍ଟନାୟକ ସରକାର ଗତ ବର୍ଷକ ମଧ୍ୟରେ ବହୁ ବାଧାବିଘ୍ନ ସହିତ ସବୁ ପରିସ୍ଥିତିର ଉତ୍ତମ ମୁକାବିଲା କରିଛନ୍ତି। ରାଜ୍ୟର ଶାସନ ବ୍ୟବସ୍ଥା ଓ ରାଜ୍ୟବାସୀଙ୍କ ଧୈର୍ଯ୍ୟକୁ ସାରା ଦେଶ ଏବଂ ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପିତ କରାଯାଇପାରିଛି। ସବୁ କ୍ଷେତ୍ରରେ ରାଜ୍ୟକୁ ଚାରିଆଡୁ ପ୍ରଶଂସା ମିଳିଛି। ରାଜ୍ୟବାସୀଙ୍କ ସ୍ଵାର୍ଥ ଓ ଜୀବନ ରକ୍ଷା ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ନବୀନ ସରକାର ଘୋଷଣା କରିଛନ୍ତି। ଏବେ କରୋନା ମୁକାବିଲା ଭଳି କଠିନ ସମୟରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି, ନବୀନ ସରକାରଙ୍କୁ ୫ମ ଥର ପାଇଁ ବିପୁଳ ଭୋଟରେ ବିଜୟୀ କରିବା ସହିତ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ ଯଥା, ଫନି, ବୁଲବୁଲ, କରୋନା ଏବଂ ନିକଟରେ ସଂଗଠିତ ହୋଇଥିବା ଅମ୍ଫାନର ସଫଳ ମୁକାବିଲା କରିଛନ୍ତି। ଏହି ବିପର୍ୟ୍ୟୟକୁ ଅତ୍ୟନ୍ତ ସଫଳତାର ସହ ମୁକାବିଲା କରି ନବୀନ ସରକାର ରାଜ୍ୟ ପାଇଁ ପ୍ରଶଂସା ଆଣି ପାରିଛନ୍ତି। ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଚଳିତ କରି ନିଜର ଉତ୍ତରଦାୟିତ୍ୱକୁ ପ୍ରମାଣିତ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବ ଜୀଉ,ସମ୍ବଲପୁର ସମଲେଶ୍ଵରୀ , ଗଞ୍ଜାମର ତାରାତାରିଣୀ, ବାରିପଦାର ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସରକାର ସବୁଠାରୁ ଆହ୍ୱାନର ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସେବାକୁ ଉତ୍ତର ଦାୟିତ୍ୱର ସହ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଜିଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ସର୍ବପୁରାତନ ଏସିବି ମେଡିକାଲ କଲେଜର ନବୀକରଣ ଓ ଉଚ୍ଚତର ସ୍ୱାସ୍ଥ୍ୟସେବା ପାଇଁ ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର