ବକୁଳ ବନର ଚେହେରା ବଦଳିବ, ଖର୍ଚ୍ଚ ହେବ ୭ କୋଟି ଟଙ୍କା

ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ପଞ୍ଚଶଖାଙ୍କ କର୍ମସ୍ଥଳୀ ସତ୍ୟବାଦୀସ୍ଥିତ ବକୁଳବନର ଚେହେରା ବଦଳିବ। ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‌ରେ ଏହାର ଉନ୍ନୟନ ନିମନ୍ତେ ୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି କାମ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସଚିବାଳୟରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରାଯାଇଛି। ଏକ ଉଚ୍ଚସ୍ତରୀୟ କମିଟି ଆସନ୍ତା ୧୫ ଦିନ ଭିତରେ ସାକ୍ଷୀଗୋପାଳ ବକୁଳବନ ଯାଇ ସ୍ଥିତିର ଅନୁଧ୍ୟାନ କରିବ ବୋଲି ନିଷ୍ପତ୍ତି ହୋଇଛି।

ଜାତୀୟତା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କେନ୍ଦ୍ରସ୍ଥଳୀ ତଥା ପଞ୍ଚସଖାଙ୍କ ତ୍ୟାଗର ସାଧନାପୀଠର ଉନ୍ନତି ଏବଂ ପରବର୍ତ୍ତୀ ସମୟରେ ଏହାର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା। ଲୋକସେବକ ମଣ୍ଡଳ ସହିତ ଉତ୍କଳମଣି ଗୋପବନ୍ଧୁଙ୍କର ଦୀର୍ଘ ସମ୍ପର୍କ ପରିପ୍ରେକ୍ଷୀରେ ବକୁଳବନର ଉନ୍ନତି ତଥା ସୁରକ୍ଷା ଦିଗରେ ଲୋକସେବକ ମଣ୍ଡଳର ସକ୍ରିୟ ସହଯୋଗ ନିମନ୍ତେ ଅନୁରୋଧ କରାଯାଇଥିଲା। ଏହା ସହ ପର୍ଯ୍ୟଟନ, ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ, ଆଇନ୍‌ ବିଭାଗ ଓ ଦେବୋତ୍ତରର ସକ୍ରିୟ ସହଯୋଗରେ ବକୁଳବନର ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ବକୁଳ ବନ ଓ ବନ ବିଦ୍ୟାଳୟର ସ୍ମୃତିକୁ ଜନସାଧାରଣଙ୍କ ନିକଟରେ ତୋଳି ଧରିବା ପାଇଁ ଏହାର ସର୍ବାଙ୍ଗୀନ ଉନ୍ନତି କରାଯିବା ସହ ଏହାକୁ ଦେଶର ଏକ ଆକର୍ଷଣୀୟ ଐତିହାସିକ ସ୍ଥଳରେ ପରିଣତ କରାଯିବ। ବୈଠକରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପ୍ରକାଶକ ନିରଞ୍ଜନ ରଥ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ଚନ୍ଦ୍ରଶେଖର କୁମାର, ଆଇନ୍‌ ବିଭାଗର ପ୍ରମୁଖ ଶାସନ ସଚିବ ବିଭୁପ୍ରସାଦ ରାଉତରାୟ, ଦେବୋତ୍ତର କମିସନର୍‌, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର