ରଙ୍ଗାଲି ସମବାୟ ସମିତିରେ ଜାଲିଆତି : ଜାଲ୍‌ ଦସ୍ତଖତରେ ଚାଷୀଙ୍କ ନାଁରେ ଋଣ

ସମ୍ବଲପୁର : ରେଙ୍ଗାଲି ବ୍ଲକ ସାଲଡ଼ ଗାଁର ଚିନ୍ତାମଣି ସାହୁ। କର୍କଟ ରୋଗରେ ଆକ୍ରାନ୍ତ ଏହି ଚାଷୀ ଚିକିତ୍ସା ପାଇଁ କଟକ ଯାଇଥିଲେ। କିଛି ଦିନ ସେଠାରେ ରହି ଫେରିବା ବେଳକୁ ଜାଣିବାକୁ ପାଇଲେ ଯେ ତାଙ୍କ ନାଁରେ ୫୦ ହଜାର ଟଙ୍କାର ଋଣ ଉଠାଯାଇଛି। ରେଙ୍ଗାଲି ବ୍ଲକ ପଣ୍ଡଲୋଇର ଅନ୍ୟ ଜଣେ ଚାଷୀ ପ୍ରଶାନ୍ତ ମରେଇ। ତାଙ୍କ ନାଁରେ ବି ତାଙ୍କ ଅଜାଣତରେ ୭୦ ହଜାର ଟଙ୍କାର ଋଣ ଉଠାଣ ହୋଇଛି। ସେହିପରି ସାଲେପଡ଼ାର ବିଜୟ ଓରାମଙ୍କ ନାଁରେ ବି ୪୦ ହଜାର ଟଙ୍କା ଋଣ ଉଠାଣ ହୋଇ ଏହାକୁ ପରିଶୋଧ କରାଯାଇଛି। କିନ୍ତୁ ଋଣ ଉଠାଣ କି ପରିଶୋଧ ବିଷୟରେ କିଛି ଜାଣି ନଥିବା କହିଛନ୍ତି ବିଜୟ।

ଏହା ହେଉଛି ରେଙ୍ଗାଲି ସମବାୟ ସମିତିରେ ହୋଇଥିବା ବ୍ୟାପକ ଋଣ ଜାଲିଆତିର ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଅବସ୍ଥା। ସମିତିରେ ରଖା ଯାଇଥିବା ଚାଷୀଙ୍କ ପାସ୍‌ବୁକ୍‌ ଆଧାରରେ ସେମାନ ଅଜାଣତରେ ଜାଲ ଦସ୍ତଖତ କରାଯାଇ ଋଣ ଉଠାଯାଉଛି ଓ କେତେକଙ୍କର ପରିଶୋଧ ମଧ୍ୟ କରାଯାଉଛି। ହଡ଼ପ ହୋଇଯାଉଛି ରିହାତି ଅର୍ଥ। ଅଧିକାଂଶ ମଳିମୁଣ୍ଡିଆ ଗରିବ ଓ ନିରକ୍ଷର ଚାଷୀ ଏହାର ଟେର ପାଉନାହାନ୍ତି। କିଏ ଅଭିଯୋଗ କଲେ ବି କିଛି ଲାଭ ହେଉନି। ବର୍ଷ ବର୍ଷ ଧରି ଚାଲିଛି ଏମିତି ଜାଲିଆତି। କିଛି ଚାଷୀ ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ସ୍ଥାନୀୟ ଚାଷୀ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି, ଜଣଙ୍କର ଅଭିଯୋଗ ପାଇଛି। ତଦନ୍ତ କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାରେ ସମବାୟ ସମିତି ସମ୍ପାଦକ ଶୁକଦେବ ବିଶ୍ୱାଳ ଏବଂ ସହସମ୍ପାଦକ ରମେଶ ଚନ୍ଦ୍ର ରହନାଙ୍କୁ ଗିରଫ ପରେ ନିଲମ୍ବିତ କରାଯାଇଛି ବୋଲି ସମ୍ବଲପୁର ଜିଲ୍ଲା ଏଆରସିଏସ ବୃନ୍ଦାବନ ଛତିଆ କହିଛନ୍ତି।

ସମ୍ବନ୍ଧିତ ଖବର