ସରକାରୀ ତଥ୍ୟ ମେଳ ଖାଉନି : କୁଆଡ଼େ ଗଲେ ସାଢ଼େ ୫ ଲକ୍ଷ ପିଲା?

ୟୁଡିଆଇଏସ୍‌ଇ ରିପୋର୍ଟରେ ୭୨ ଲକ୍ଷ ପିଲା
ଏସ୍‌ଡିଏମ୍‌ଆଇଏସ୍‌ ପୋର୍ଟାଲରେ ୬୬ ଲକ୍ଷ
୫୩ ଲକ୍ଷ ପିଲାଙ୍କର ଆଧାର ପଞ୍ଜୀକୃତ ହୋଇଛି

ଭୁବନେଶ୍ୱର : ସରକାରୀ ସ୍କୁଲରେ କେତେ ପିଲା ପଢ଼ୁଛନ୍ତି? ପ୍ରଥମରୁ ୧୦ମ ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ? କେତେ ଲକ୍ଷ ପିଲା ମଧ୍ୟାହ୍ନଭୋଜନ ଖାଉଛନ୍ତି? କେତେ ପିଲା ମାଗଣା ପୁସ୍ତକ ପାଉଛନ୍ତି? କେଉଁ ଶ୍ରେଣୀର କେତେ ଛାତ୍ରଛାତ୍ରୀଙ୍କୁ ସାଇକେଲ୍‌ ଓ ଡ୍ରେସ୍‌ ବଣ୍ଟନ ହେଉଛି? ଏହାର ପ୍ରକୃତ ତଥ୍ୟ ଏବେ ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟରେ ନାହିଁ। କେଉଁ ରିପୋର୍ଟରେ ୭୨ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଥିବା କୁହାଯାଉଛି ତ ଆଉ କେଉଁଠି ସାଢ଼େ ୬୬ ଲକ୍ଷ ପଢ଼ୁଥିବା ଉଲ୍ଲେଖ କରାଯାଇଛି। ଏମିତି ତଥ୍ୟ ପ୍ରସ୍ତୁତ ହୋଇଛି ଯେ, ଆଧାର ପଞ୍ଜୀକରଣ ପରେ ପିଲାଙ୍କ ସଂଖ୍ୟା ୫୪ ଲକ୍ଷରୁ କମ୍‌କୁ ଖସି ଆସୁଛି। କେଉଁ ତଥ୍ୟକୁ ନେଇ ପିଲାଙ୍କ ସଂଖ୍ୟା ଆକଳନ କରାଯାଉଛି ତାହାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ଏଭଳି ତଥ୍ୟ ମେଳ ନ ଖାଇବା ପଛରେ ବଡ଼ଧରଣର ଘୋଟାଲାର ବାସ୍ନା ବାରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ପର୍ଦ୍ଦାଫାସ କରିବା ପାଇଁ ପୁଣି ତଥ୍ୟ ମାଗିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ୨୦୧୭-୧୮ ଶିକ୍ଷାବର୍ଷ ପରେ ୟୁଡିଆଇଏସ୍‌ଇ(ୟୁନିଫାଏଡ୍‌ ଡିଷ୍ଟି୍ରକ୍ଟ ଇନ୍‌ଫରମେସନ ସିଷ୍ଟମ ଫର୍‌ ଏଜୁକେସନ) ରିପୋର୍ଟରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୭୨,୧୭,୦୮୩ ଜଣ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫,୬୮,୩୪୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମୟୂରଭଞ୍ଜରେ ୪,୭୯,୩୦୫, ଖୋର୍ଧାରେ ୩,୬୬,୮୨୧, କଟକରେ ୩,୬୨,୦୪୪, ସୁନ୍ଦରଗଡ଼ରେ ୩,୬୧,୭୨୧, କେନ୍ଦୁଝରରେ ୩,୪୧,୯୨୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯୋଗ୍ୟତା ଅନୁଯାୟୀ ପିଲାଙ୍କୁ ମଧ୍ୟାହ୍ନଭୋଜନ, ମାଗଣା ପାଠ୍ୟପୁସ୍ତକ, ସାଇକେଲ୍‌, ଡ୍ରେସ୍‌ ଆଦି ବଣ୍ଟନ କରାଯାଇଛି। ରାଜ୍ୟ ରାଜକୋଷରୁ ଏମାନଙ୍କ ଲାଗି ଅର୍ଥ ବି ବରାଦ ହେଉଛି। କିନ୍ତୁ ଯେଉଁ ତଥ୍ୟ ଦିଆଯାଉଛି ସେହି ଅନୁଯାୟୀ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ତଥ୍ୟ କେନ୍ଦ୍ର ସରକାରଙ୍କୁ ବି ପ୍ରଦାନ କରାଯାଉଛି।

ଅନ୍ୟପକ୍ଷରେ ତଥ୍ୟ ସଂଗ୍ରହକାରୀ ସଂସ୍ଥା ଏସ୍‌ଡିଏମ୍‌ଆଇଏସ୍‌(ସ୍କୁଲ ଡିଷ୍ଟ୍ରିକ୍ଟ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେସନ ସିଷ୍ଟମ)ର ରିପୋର୍ଟ କିନ୍ତୁ ଅଲଗା କିଛି କହୁଛି। ଏସ୍‌ଡିଏମ୍‌ଆଇଏସ୍‌ ପୋଟାର୍ଲର ତଥ୍ୟ ଅନୁଯାୟୀ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୬୬,୬୯,୨୦୮ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୟୁଡିଆଇଏସ୍‌ଇ ତଥ୍ୟଠାରୁ ଏସ୍‌ଡିଏମ୍‌ଆଇଏସ୍‌ ତଥ୍ୟରେ ୫,୪୭,୮୭୫ ପିଲା ଅର୍ଥାତ୍‌ ୮ ପ୍ରତିଶତ କମ୍‌ ଛାତ୍ରଛାତ୍ରୀ ରହିଛନ୍ତି। ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ କୁଆଡ଼େ ଗଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏସ୍‌ଡିଏମ୍‌ଆଇଏସ୍‌ ତଥ୍ୟ ଅନୁଯାୟୀ ଗଞ୍ଜାମରେ ୫,୨୧,୧୦୯, ମୟୂରଭଞ୍ଜରେ ୪,୬୩,୮୦୬, ଖୋର୍ଧାରେ ୩,୨୬,୭୦୩, କଟକରେ ୨,୮୮,୦୦୩, ସୁନ୍ଦରଗଡ଼ରେ ୩,୩୦,୨୧୭, କେନ୍ଦୁଝରରେ ୩,୨୨,୬୫୬ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଦୁଇଟି ରିପୋର୍ଟ ତଥ୍ୟରେ ପ୍ରତି ଜିଲ୍ଲାରେ ପ୍ରାୟ ୨୦ରୁ ୭୦ ହଜାର ପର୍ଯ୍ୟନ୍ତ ପିଲା ଫରକ୍‌ ରହୁଥିବା ଦେଖିବାକୁ ମିଳିଛି।

ଅନ୍ୟ ଏକ ତଥ୍ୟ ମଧ୍ୟ ପଦାକୁ ଆସିଛି। ଦୁଇ ବର୍ଷ ହେଲା ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ କରାଯାଉଛି। ବିଦ୍ୟାଳୟ ପ୍ରଧାନଶିକ୍ଷକମାନେ ଏଦିଗରେ ପଦକ୍ଷେପ ନେଉଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ସମସ୍ତଙ୍କର ଆଧାର ପଞ୍ଜୀକରଣ ହୋଇପାରିଲାନି। ଗତ ୫ ତାରିଖ ସୁଦ୍ଧା ୫୩,୪୬,୩୧୮ ଜଣ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ ହୋଇଛି। ଯାହାକି ଏସ୍‌ଡିଏମ୍‌ଆଇଏସ୍‌ ତଥ୍ୟଠାରୁ ପ୍ରାୟ ୨୦ ପ୍ରତିଶତ କମ୍‌। ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆଧାର ପଞ୍ଜୀକରଣ କାହିଁକି ହୋଇପାରି ନାହିଁ। ଏତେ ସଂଖ୍ୟାରେ ପିଲା ସତରେ ଅଛନ୍ତି ନା ନାହିଁ ତାହାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ତିନୋଟି ରିପୋର୍ଟ ମଧ୍ୟରେ ମେଳ ଖାଉ ନ ଥିବାରୁ ସରକାରଙ୍କ ଯୋଜନା ହଡ଼ପ ଲାଗି ବଡ଼ଧରଣର ଚକ୍ରାନ୍ତ କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଏଭଳି ଅମେଳ ତଥ୍ୟକୁ ନେଇ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) କର୍ତୃପକ୍ଷ ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରକୃତ ପିଲାଙ୍କ ସଂଖ୍ୟା କେତେ ତାହାର ସଠିକ୍‌ ତଥ୍ୟ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି। ଓପେପା ପକଳ୍ପ ନିର୍ଦେଶକ କହିଛନ୍ତି ଯେ ସର୍ବଶିକ୍ଷା ଅଭିଯାନ ଓ ରାମ୍‌ସାର ବିଭିନ୍ନ କାର୍ଯ୍ୟକଳାପ ଲାଗି ପିଲାଙ୍କ ତଥ୍ୟ ଆବଶ୍ୟକ। ପ୍ରକୃତ ତଥ୍ୟ ଦେବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କେହି ବି ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ। ତାହାକୁ ଦୃଷ୍ଟିରେ ରଖି ଦୁଇ ତଥ୍ୟ ମଧ୍ୟରେ କେତେ ତଫାତ୍‌ ରହୁଛି ଏମ୍‌ଆଇଏସ୍‌ ପୋଗ୍ରାମର ସ୍କୁଲସ୍ତରରେ ସର୍ଭେ କରି ରିପୋର୍ଟ ଦେବେ। ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେତେକ ସ୍କୁଲରେ ବହୁତ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିବାରୁ ସ୍କୁଲ ବନ୍ଦ ହୋଇଯିବା ଭୟରେ ଶିକ୍ଷକମାନେ ବିଭାଗକୁ ଭୁଲ୍‌ ତଥ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର