ବାଲେଶ୍ୱର : ଓଡ଼ିଶା ବିହନ ନିଗମ ବାଲେଶ୍ୱର ଆଞ୍ଚଳିକ ଶାଖାରେ ମହାଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ଚଢ଼ଉ ଭୟରେ ରାଜଘାଟରେ ଥିବା ଘରୋଇ ପ୍ଲାଣ୍ଟରେ ସରକାରୀ ବସ୍ତାରେ ଜମା ହୋଇ ରହିଥିବା ନକଲି ବିହନକୁ କିପରି ଶୀଘ୍ର ହଟାଯିବ ତା’କୁ ନେଇ ତତ୍ପରତା ପ୍ରକାଶ ପାଇଥିବାବେଳେ ବହିନ ନିଗମର ଶାଖା କାର୍ଯ୍ୟାଳୟରେ କାଗଜପତ୍ର ସଜାଡ଼ିବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଏହି ମହାଦୁର୍ନୀତିର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଆଜି ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଜିଲ୍ଲା କୃଷି ଉପନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବାରୁ ଅସାଧୁ ଅଧିକାରୀ ଓ ନକଲି ବହିନ ଚାଷୀଙ୍କ ମଧ୍ୟରେ ଛନକା ପଶି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏପଟେ ନିଗମର ଅସାଧୁ ଅଧିକାରୀ ଓ ଘରୋଇ ପ୍ଲାଣ୍ଟ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ କିିପରି ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଚଳୁ କରାଯାଉଛି, ‘ସମ୍ବାଦ’ର ସ୍ୱତନ୍ତ୍ର ଅନୁସନ୍ଧାନବେଳେ ତାହା ପଦାକୁ ଆସିଛି। ରାଜଘାଟରେ ନିଗମ ଦ୍ୱାରା ଭଡ଼ାରେ ନିଆଯାଇଥିବା ଗୋଦାମରେ ‘ଓଡ଼ିଶା ସିଡ୍ସ’ ନାମକ ଘରୋଇ ପ୍ଲାଣ୍ଟ୍ ବସାଇ ଖୋଲାବଜାରରୁ ବିହନ ସଂଗ୍ରହ କରି ପ୍ରସେସିଂ ଓ ପରେ ସେଗୁଡ଼ିକୁ ସରକାରୀ ବସ୍ତାରେ ପ୍ୟାକେଟ୍ କରୁଥିବା ଲକ୍ଷ୍ମୀଧର ନାୟକଙ୍କୁ ନିଗମ କର୍ତ୍ତୃପକ୍ଷ ଅସାଧୁ ଉପାୟରେ ଅନୁକମ୍ପା ଦେଖାଇଥିବା ଜଣାପଡ଼ିଛି। ଲକ୍ଷ୍ମୀଧରଙ୍କ ଘର ବାଲିଆପାଳ ଲଙ୍ଗଳେଶ୍ୱର ଅଞ୍ଚଳରେ। ତାଙ୍କର ୫୮ଡେସିମିଲ ଚାଷଜମି ରହିଥିବା ବେଳେ ନିଗମ ତାଙ୍କୁ ଗ୍ରୋୟର(ବିହନ ଚାଷୀ) ଭାବେ ବିବେଚିତ କରି ଚଳିତ ଖରିଫ୍ ଋତୁରେ ୧୫୦ କ୍ୟୁଣ୍ଟାଲ ଏଫ୍-୧ ବିହନ ପ୍ରଡକ୍ସନ ପ୍ରୋଗ୍ରାମ୍ ପାଇଁ ପ୍ରଦାନ କରିଥିଲା। ହେଲେ ଲକ୍ଷ୍ମୀଧର ଉକ୍ତ ବିହନ ନେଇ ଆଦୌ ଚାଷ କରିନଥିବା କୁହାଯାଇଛି। ନିଗମର କେଳେଙ୍କାରୀ ଖବର ପ୍ରକାଶ ପାଇବା ପରେ ଉକ୍ତ ଅଞ୍ଚଳର ଚାଷୀ ଲକ୍ଷ୍ମୀଧରଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ କରିଛନ୍ତି। ସେ ଇଣ୍ଟରନେଟ୍ରେ ଉପଲବ୍ଧ ବିଭିନ୍ନ ଚାଷୀଙ୍କ ପଟ୍ଟା ଡାଉନଲୋଡ୍ କରିବା ପରେ ଏସବୁ ଜମି ଲିଜ୍ ନେଇଛନ୍ତି ବୋଲି ଦର୍ଶାଇ ନିଗମର କିଛି ଅଧିକାରୀଙ୍କ ସହାୟତାରେ ଟନ୍ ଟନ୍ ବିହନ ହାତେଇଥିବା କୁହାଯାଉଛି। ଯଦି ଲକ୍ଷ୍ମୀଧର ଲିଜ୍ ଆକାରରେ ଅନ୍ୟମାନଙ୍କଠାରୁ ଜମି ଲିଜ୍ ନେଇଛନ୍ତି, ତା’ହେଲେ କାହା ଠାରୁ ନେଇଥିଲେ ଓ ସେନେଇ ନିଗମରେ ଯେଉଁ କାଗଜପତ୍ର ଦାଖଲ କରିଛନ୍ତି ତାହା ପ୍ରକୃତରେ ଅସଲି କି ନୁହେଁ ତାହା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ବୋଲି ବାଲିଆପାଳ ଅଞ୍ଚଳର କିଛି ଚାଷୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଏସ୍ପିଓ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ପଚାରିବାରୁ ଲକ୍ଷ୍ମୀଧରଙ୍କୁ ବିହନ ପ୍ରଦାନ କରାଯାଇଥିବା ସ୍ୱୀକାର କରିଥିଲେ। କିନ୍ତୁ ସେନେଇ ତାଙ୍କଠାରୁ କୌଣସି କାଗଜପତ୍ର ଅଣା ଯାଇପାରିନାହିଁ। ଏବେ ସେଗୁଡ଼ିକ ମାଗି ଦେଖିବୁ ବୋଲି କହି ଶ୍ରୀ ପାଢ଼ୀ ଅଭିଯୋଗକୁ ଅତି ହାଲୁକା ଭାବେ ନେଇଥିଲେ। ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ ଯେ ଏତେ ପରିମାଣରେ ନିଗମ ନାଁ ପ୍ରିଣ୍ଟ ହୋଇଥିବା ବ୍ୟାଗ୍ ରାଜଘାଟର ଘରୋଇ ପ୍ଲାଣ୍ଟକୁ କିପରି ଗଲା ସେ ଜାଣିନାହାନ୍ତି। ଯେଉଁଠି ଗୋଦାମ ସେଇଠି ଘରୋଇ ପ୍ଲାଣ୍ଟ ରହିବା ଓ ସେଠାରେ ସରକାରୀ ବିହନ ପ୍ରସେସିଂ କିପରି ଚାଲିଥିଲା ତାହା ସେ ଜାଣିନାହାନ୍ତି ବୋଲି କହି ଅସଲ ପ୍ରସଙ୍ଗକୁ ଫାଙ୍କି ଦେବାକୁ ଚେଷ୍ଟା କରିଛନ୍ତି।