ଅକାଳରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ, ସାମ୍ବାଦିକତା ଜଗତରେ ଶୋକର ଛାୟା
ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ‘ବିଜ୍ନେସ୍ ଷ୍ଟାଣ୍ଡାର୍ଡ’ର ଆବାସିକ ସମ୍ପାଦକ ଦିଲ୍ଲୀପ ଶତପଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତକାଲି ସନ୍ଧ୍ୟାରେ ହୃଦ୍ଘାତ ହେବାରୁ ପରିବାର ସଦସ୍ୟମାନେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ତେବେ ମଧ୍ୟରାତ୍ରିରେ ତାଙ୍କର ପରଲୋକ ହୋଇଯାଇଥିଲା। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ଏଭଳି ଅକାଳ ବିୟୋଗ ଖବର ଓଡ଼ିଶାର ସାମ୍ବାଦିକ ଜଗତକୁ ସ୍ତବ୍ଧ କରିଦେଇଛି। ଚାରିଆଡ଼େ ଶୋକର ଛାୟା ଖେଳି ଯାଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ତାଙ୍କ ମରଶରୀରକୁ ସତ୍ୟନଗରସ୍ଥିତ ବାସଭବନକୁ ଅଣାଯାଇଥିଲା। ତାଙ୍କର ପରଲୋକ ଖବର ପାଇ ବହୁ ରାଜନୈତିକ ବ୍ୟକ୍ତି, ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକଙ୍କ ସୁଅ ଛୁଟିଥିଲା। ସମସ୍ତେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମନ୍ତ୍ରୀ ଅରୁଣ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପ୍ରଶାସକ ପି କେ ଜେନା, ଆର୍ କେ ଶର୍ମା, ମୋନା ଶର୍ମା ଓ ଅଶୋକ ମୀନା ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ। ଅପରାହ୍ନରେ ସତ୍ୟନଗର ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି। ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି। ବିଜେପି, ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।
ଓଡ଼ିଆ ସାମ୍ବାଦିକତା ଜଗତରେ ଦିଲ୍ଲୀପ ଶତପଥୀ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ଶେଷ କଲା ପରେ ସେ ସାମ୍ବାଦିକତା ଜଗତରେ ପାଦ ଦେଇ ‘ସମ୍ବାଦ’ରୁ କ୍ୟାରିୟର୍ ଆରମ୍ଭ କରିଥିେଲ। ତାହା ପରେ ‘ବିଜ୍ନେସ୍ ଷ୍ଟାଣ୍ଡାର୍ଡ’ରେ ଯୋଗ ଦେଇ ଦୀର୍ଘ ଦୁଇ ଦଶନ୍ଧି ଧରି ସେଥିରେ କାର୍ଯ୍ୟ କରି ଆସୁଥିଲେ। ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧିତ ସାମ୍ବାଦିକତାରେ ତାଙ୍କର ବିଶେଷ ଦକ୍ଷତା ଥିଲା। କେବଳ ସେତିକି ନୁହେଁ, ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ତାଙ୍କର ସାରଗର୍ଭକ ସମୀକ୍ଷା ପାଠକମାନଙ୍କୁ ଆକୃଷ୍ଟ କରୁଥିଲା। ଗତ କିଛି ବର୍ଷ ଧରି ସେ ବିଭିନ୍ନ ଟିଭି ଚ୍ୟାନେଲ୍ର ବିତର୍କରେ ଭାଗ େନଇ ନିରପେକ୍ଷ ଓ ନିର୍ଭୀକ ଭାବେ ନିଜ ମତାମତ ରଖି ଚର୍ଚ୍ଚିତ ହୋଇପାରିଥିଲେ। ଜଣେ ଭଲ ମଣିଷ ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ସ୍ବର୍ଗତ ଶତପଥୀ ଅବିବାହିତ ଥିଲେ। ୫ ଭଉଣୀ ଓ ୨ ଭାଇରେ ସେ ଥିେଲ ସବୁଠାରୁ ସାନ। ଦୀର୍ଘ ଦୁଇ ଦଶନ୍ଧି ତଳେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସୁସ୍ଥ ହୋଇ ଯାଇଥିଲେ। କିନ୍ତୁ ଗତ କିଛି ମାସ ହେଲା ପୁନର୍ବାର ସେହି ରୋଗ ଫେରିଥିଲା। ତଥାପି ସେ ନିୟମିତ ଚିକିତ୍ସାରେ ରହି ସ୍ବାଭାବିକ ଭାବେ ନିଜ କାର୍ଯ୍ୟ କରୁଥିଲେ।