ହସ୍ପିଟାଲ୍‌ରେ ମିଳିବ ସାପକାମୁଡ଼ା ପ୍ରତିକାରର ବାର୍ତା

ଭୁବନେଶ୍ୱର : ସର୍ପ ଦଂଶନରେ ପ୍ରତିବର୍ଷ ଶହଶହ ଲୋକଙ୍କର ଅକାଳ ମୃତ୍ୟୁ ହୁଏ। ତେବେ ସାପ କାମୁଡ଼ିବା ଯୋଗୁଁ ଯେତିକି ଲୋକଙ୍କ ମୃତ୍ୟୁ ହୁଏନି, ସାପ କାମୁଡ଼ିବା ପରେ ତୃଟିପୂର୍ଣ୍ଣ ପ୍ରାଥମିକ ଚିକିତ୍ସା ପାଇଁ ତା’ଠୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ। ତେଣୁ ଲୋକଙ୍କୁ ଏ ସମ୍ବନ୍ଧରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଏକ ଅଭିନବ ଅଭିଯାନ। ସାପ ଏବଂ ସାପ କାମୁଡ଼ା ପରେ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ  ସଚେତନ କରାଯିବ। ଏଣିକି ସମସ୍ତ ବଡ଼ବଡ଼ ସରକାରୀ ମେଡିକାଲ୍‌ଠୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାନ୍ଥରେ ଏହିଭଳି ପ୍ରଚାର ଅଭିଯାନ ଆରମ୍ଭ କରିଛି ସ୍ନେକ୍‌ ହେଲ୍‌ପ ଲାଇନ୍‌।

ବର୍ତମାନ ସୁଦ୍ଧା ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌, ଏମ୍‌ସ ମେଡିକାଲ୍‌ କଲେଜ୍‌, କଟକର ଏସ୍‌ସିବି ମେଡିକାଲ୍‌ କଲେଜ୍‌, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ରେ ଏହି ସୂଚନା ପୋଷ୍ଟର ଲାଗିସାରିଛି। ସେହିଭଳି ଅନୁଗୁଳ ଓ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପୁରୀର ଗୋପ ଓ ନିମାପଡ଼ା ଏବଂ ଯାଜପୁର ରୋଡ୍‌ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସୂଚନା ପୋଷ୍ଟର ଲଗାଯାଇଛି। ଅଳ୍ପ କିଛିଦିନ ମଧ୍ୟରେ ରଣପୁର, ନୟାଗଡ଼, ବାଲେଶ୍ୱର, ବରଗଡ଼, ସମ୍ବଲପୁର ଓ ବୁର୍ଲାରେ ମଧ୍ୟ ଏହି ସୂଚନା ପୋଷ୍ଟର ଲଗାଯିବା ସହ ଆଗାମୀ ଦିନରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ଅଭିଯାନ କରାଯିବ। କେବଳ ସୂଚନା ପୋଷ୍ଟର୍‌ ନୁହେଁ ସାପ କାମୁଡ଼ା ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ସୋସିଆଲ୍‌ ମିଡିଆରେ ମଧ୍ୟ ଏହାର ବହୁଳ ପ୍ରଚାର ପ୍ରସାର କରାଯାଇଛି।

ସୂଚନା ପୋଷ୍ଟର୍‌ରେ ଓଡ଼ିଶାରେ ଦେଖାଯାଉଥିବା ବିଷଧର ସାପ, ବିଷହୀନ ସାପ ଏବଂ ଅଳ୍ପ ବିଷଧର ସାପଙ୍କର ଚିତ୍ର ସହ ସୂଚନା ରହିଛି। ସେହିଭଳି ସାପ କାମୁଡ଼ା ପରେ କି ପ୍ରାଥମିକ ଚିକିତ୍ସା ଆପଣାଇବେ ସେ ବାବଦରେ ସବିଶେଷ ସୂଚନା ରହିଛି। ସାପ କାମୁଡ଼ିବା ପରେ କ’ଣ କରିବା ଅନୁଚିତ ସେ ସମ୍ପର୍କରେ ମଧ୍ୟ ସତର୍କ ସୂଚନା ରହିଛି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସୂଚନା ରହିଛି। ଏନେଇ ସରକାରୀ ହସ୍ପିଟାଲ୍‌ର ମୁଖ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।  କେବଳ ହସ୍ପିଟାଲ୍‌ ନୁହେଁ ଲୋକଙ୍କ ଘରକୁ ସାପ ଧରିବା ପାଇଁ ଯାଉଥିବା ସ୍ନେକ୍‌ ହେଲ୍‌ପଲାଇନ୍‌ର ସଦସ୍ୟମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଏହି ସୂଚନା ବାର୍ତାର ପୋଷ୍ଟର୍‌କୁ ସୋସିଆଲ୍‌ ମିଡିଆରେ ସେୟାର କରିବା ପାଇଁ ନିବେଦନ କରିବେ।

ସମ୍ବନ୍ଧିତ ଖବର