ଆଜି ଆସୁଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌, ଆଇଆଇଟିର ସମାବର୍ତନ ଉତ୍ସବରେ ଯୋଗଦେବେ

୩ ଜଣଙ୍କୁ ସ୍ବର୍ଣ୍ଣ ଓ ୧୫ ଜଣଙ୍କୁ ମିଳିବ ରୌପ୍ୟ ପଦକ, ଆଇଆଇଟିରେ ପି‌ଏଚ୍‌ଡି କରିପାରିବେ ବିଦେଶୀ ଛାତ୍ରଛାତ୍ରୀ

ଭୁବନେଶ୍ବର : ଚନ୍ଦ୍ରଯାନ-୨ ଅଭିଯାନର ମୁଖ୍ୟ ତଥା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ୍ ଶନିବାର ଓଡ଼ିଶା ଆସୁଛନ୍ତି। ଆସନ୍ତାକାଲି ହେବାକୁ ଥିବା ଭୁବନେଶ୍ବର ଆଇଆଇଟିର ୮ମ ସମାବର୍ତନ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ତେଣୁ ଏହାକୁ ନେଇ ଆଇଆଇଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟ‌ରେ ବିଶେଷ ଉତ୍ସାହ ପ୍ରକାଶ ପାଇଛି।

ଜଟଣୀ ଅରୁଗୁଳସ୍ଥିତ କ୍ୟାମ୍ପସରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ୩ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ। ବି.ଟେକ୍‌ ଛାତ୍ର ସୋହନ୍‌ ମହାପାତ୍ରଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇବେ। ଏମ୍‌ଟେକ୍‌ ଛାତ୍ର ରାହୁଲ ଦାଶ ଓ ଏମ୍‌.ଏସ୍‌ସି ଛାତ୍ର ଅନୁଭବ ନାଥଙ୍କୁ ଡାଇରେକ୍ଟରର୍ସ ଗୋଲ୍ଡ ମେଡାଲ ଦିଆଯିବ। ଏହାବ୍ୟତୀତ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ୧୫ ଜଣ ରୌପ୍ୟ ପଦକ ପାଇବେ। ବିଟେକ୍‌ ପାଠ୍ୟକ୍ରମର ବିଭିନ୍ନ ବିଭାଗରେ ସୋହନ୍‌ ମହାପାତ୍ର, ଗୋନୁଗୁନ୍‌ଟାଲ ନିହାରିକା, ଇନ୍ଦ୍ରା ସିଂହ ଧାକର, ଗୌରବ ବିଶାଲ, ଚୌଧୁରୀ ହୃଷୀକେଶ ଉମେଶ ଏବଂ ଏମ୍‌ଟେକ୍‌ ପାଠ୍ୟକ୍ରମରେ ରାହୁଲ ଦାଶ, ଅଭିଷେକ ପରିଡ଼ା, ଶ୍ରୀଜା ମୁଖା‌ର୍ଜୀ, ଅନନ୍ତ ଦତ୍ତ, ପି ଅଭିଷେକ, ସ୍ପନ୍ଦନ ଦେ, ଏମ୍‌ ଏସ୍‌ସିରେ ଅନୁଭବ ନାଥ, ଶର୍ମିଷ୍ଠା ଦେ, କୌଶିକ ନାଗେଶ୍ବର ଜୈସୱାଲ, ସୁଜୟ ନନ୍ଦୀଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ। ‌ସେହିପରି ଏହି ଅବସରରେ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି, ୧୦୫ ଜଣଙ୍କୁ ଏମ୍‌.ଟେକ୍‌, ୬୭ ଜଣଙ୍କୁ ଏମ୍‌.ଏସ୍‌ସି ଓ ୧୫୨ ଜଣ ଛାତ୍ରଛାତ୍ରୀଙ୍କୁ ବି.ଟେକ୍‌ ଡିଗ୍ରି ପ୍ରଦାନ କରାଯିବ ବୋଲି ଆଇଆଇଟି ନିର୍ଦେଶକ ପ୍ରଫେସର ଆର ଭି ରାଜା କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଚଳିତ ବର୍ଷର ସମାବର୍ତନ ଉତ୍ସବରେ ଛାତ୍ରମାନେ କୁର୍ତ୍ତା ଓ ପାଇଜାମା ଓ ଛାତ୍ରୀମାନେ ସାଲୱାର୍ ଓ କମିଜ୍ ପିନ୍ଧିବେ। ସମସ୍ତ ଛାତ୍ରଛାତ୍ରୀ ସମ୍ବଲପୁରୀ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲ ପକାଇବେ। ବି.ଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ଖଇରିଆ, ଏମ୍ଏସ୍‌ସି ପିଲାଙ୍କର ନୀଳ, ଏମ୍.ଟେକ୍ ପିଲାଙ୍କ ପାଇଁ ସବୁଜ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ଲାଗି ହଳଦିଆ ରଙ୍ଗର ଷ୍ଟୋଲ କରାଯାଇଛି। ଏଥିରେ ଆଇଆଇଟିର ଲୋଗୋ ରହିଛି। ପ୍ରଫେସର ରାଜାକୁମାର ଆହୁରି କହିଛନ୍ତି ଯେ ଏଣିକି ବିଦେଶୀ ଛାତ୍ରଛାତ୍ରୀ ଆଇଆଇଟିରେ ପିଏଚ୍‌ଡି କରିପାରିବେ। ଆସିଆନ୍ ଦେଶଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ଦେଶରେ ଥିବା ଆଇଆଇଟିଗୁଡ଼ିକରେ ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମ୍ୟାଁମାର, ଫିଲିପାଇନ୍‌ସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମର ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ପିଏଚ୍‌ଡି ଫେଲୋସିପ୍ ମିଳିବ। ଏଥିପାଇଁ ୩ଶହ କୋଟି ଟଙ୍କା ଖର୍ଚ ହେବ। ବିଦେଶୀ ଛାତ୍ରଛାତ୍ରୀ ପିଏଚ୍‌ଡିର ସୁବିଧା ପାଇବା ଦ୍ବାରା ଗବେଷଣା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ। ବି.ଟେକ୍‌ ପାଠ୍ୟକ୍ରମରେ ସ୍କୁଲ ଅଫ୍‌ ପ୍ଲାନିଂ ଆଣ୍ଡ ଆର୍କିଟେକଚର ବିଭାଗ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିକଟରେ ଆବେଦନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର