ଆଉ ଜଣେ ଦାଦନ ଶ୍ରମିକଙ୍କ କରୁଣ କାହାଣୀ : ୧୩ ବର୍ଷ ପରେ ଫେରିଲେ, କେହି ଆପଣେଇଲେନି

ଚନ୍ଦ୍ର ପରେ ମାୟା

ବଲାଙ୍ଗୀର/ସଇନ୍ତଲା : ଗରିବ ଘରର ଝିଅ। ବାପା, ମା’ଙ୍କ ଚିକିତ୍ସା ବୋଝ ସହ ପରିବାର ଚଳାଇବା ଦାୟିତ୍ବ ମୁଣ୍ଡରେ ଥିଲା। କୁଲି ମଜୁରି କରି ଯେତେ ରୋଜଗାର କରୁଥିଲେ ସେତିକି ପର୍ଯ୍ୟାପ୍ତ ନଥିଲା। ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଘରୁ ଗୋଡ଼ କାଢ଼ିଥିଲେ ସଇଁନ୍ତଲା ବ୍ଲକ ଘଂଟମାଲ ଗ୍ରାମର ମାୟା ହରପାଲ। ୧୩ ବର୍ଷ ପରେ ଘରକୁ ସେ ଫେରିଥିଲେ ସିନା, ସବୁକିଛି ବଦଳି ଯାଇଥିଲା। ବାପାମା’ ତ ନଥିଲେ, ସଂପର୍କୀୟ କି ଗାଁ ଲୋକ କେହି ଆପଣେଇନଥିଲେ।

ବଲାଙ୍ଗୀର ଜିଲ୍ଲା ଆମ୍ବପାଲି ପଂଚାୟତ ଘଂଟମାଲ ଏକ ଦାଦନପ୍ରବଣ ଗାଁ। ଗାଁର ବହୁ ପରିବାର ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଇଥାନ୍ତି। ମାୟା ତାଙ୍କ ସଂପର୍କୀୟଙ୍କ ସହ ଝାଡ଼ଖଣ୍ଡ ରାଜ୍ୟର ବୋକାରୋ ଅଂଚଳକୁ ଦାଦନ ଖଟିବା ପାଇଁ ୧୩ ବର୍ଷ ତଳେ ଯାଇଥିଲେ। ସେବେଠାରୁ ଆଉ ଘରକୁ ଫେରି ନଥିଲେ। ବାପା ମା’ଙ୍କୁ ମଝିରେ ମଝିରେ କିଛି ଟଙ୍କା ପଠାଇଥିଲେ। କିନ୍ତୁ ପରେ ଆଉ ତାଙ୍କର କିଛି ଖୋଜଖବର ମିଳି ନଥିଲା। ଗତ ଏପ୍ରିଲ ୧୦ ତାରିଖରେ ତାମିଲନାଡୁ ରାଜ୍ୟ ଚେନ୍ନାଇ ଇଷ୍ଟକୋଷ୍ଟ ରୋଡ୍‌, ନିଲେଙ୍ଗେରେଇଠାରୁ ମାୟାଙ୍କୁ ସେଠାକାର ଲିଟିଲ ହାର୍ଟ ସେଲଟର ହୋମ୍‌ର ସ୍ୱେଚ୍ଛାସେବୀ ଭେଙ୍କଟେଶ ଓ ତାଙ୍କ ପତ୍ନୀ ବଲରମତୀ ଉଦ୍ଧାର କରିଥିଲେ। ମାୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। ମାୟାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେ ନିଜ ବିଷୟରେ କିଛି କହିପାରୁ ନଥି‌ଲେ। ମାନସିକ ସ୍ଥିତିରେ ସୁଧାର ଆସିବା ପରେ ନିଜ ଗ୍ରାମ ଘଂଟମାଲ, ବ୍ଲକ ସଇଁନ୍ତଲା, ଜିଲ୍ଲା ବଲାଙ୍ଗୀର ବୋଲି କହିଥିଲେ।

ଏହାପରେ ଚେନ୍ନାଇର ରୋଟାରି କ୍ଲବ ଚିଫ୍‌ ଏଡ଼ମିନ ସାଇନାଥ ଟିଟିଲାଗଡ଼ସ୍ଥିତ ରୋଟାରି କ୍ଲବର ସଦସ୍ୟଙ୍କୁ ଏ ବିଷୟରେ ଅବଗତ କରିଥିଲେ। ସବୁ କଥା ପଚରାଉଚୁରା ପରେ ମାୟା ଠିକ କହୁଥିବା ଜଣାପଡ଼ିଥିଲା। ଆଜି ସ୍ୱେଚ୍ଛାସେବୀ ଭେଙ୍କଟେଶ ତାଙ୍କ ପତ୍ନୀଙ୍କ ସହ ମାୟାଙ୍କୁ ଧରି ଟିଟିଲାଗଡ଼ ପହଞ୍ଚିଥିଲେ। ପରେ ମାୟାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ପୁଲିସ ଉପସ୍ଥିତିରେ ତାଙ୍କ ଗ୍ରାମ ଘଂଟମାଲକୁ ନିଆଯାଇଥିଲା।

ଗାଁରେ ପହଞ୍ଚିବା ପରେ ମାୟାଙ୍କ କାକା ପୁଅ ଭାଇ ରଘୁ ହରପାଲଙ୍କ ସ୍ତ୍ରୀ ଯଶୋବନ୍ତୀ ହରପାଲ ମାୟାଙ୍କୁ ଚିହ୍ନି ପାରିଥିଲେ। କିନ୍ତୁ ମାୟାଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ତାଙ୍କୁ ଘରେ ରଖିବା ପାଇଁ ମନା କରି ଦେଇଥିଲେ। ସେହିଭଳି ଗ୍ରାମର କିଛି ବୟସ୍କ ଲୋକ ମାୟାଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ସହାୟତାର ହାତ ବଢ଼ାଇ ନଥିଲେ।

ମାୟା କିନ୍ତୁ ସମସ୍ତଙ୍କୁ ଚିହ୍ନି ବେଶ୍‌ ଖୁସି ଜଣାପଡୁଥିଲେ। ନିଜେ ରହୁଥିବା ଘର ସ୍ଥାନକୁ ପହଞ୍ଚିବା ପରେ ଆଖିରୁ ଲୁହ ଝରାଇଥିଲେ। ଗାଁର କେତେ ଜଣ ଲୋକଙ୍କ ସହ ବି କଥାବାର୍ତ୍ତା କରିଥିଲେ। ହେଲେ ଗାଁରେ ମାୟାଙ୍କୁ କେହି ରଖିବାକୁ ମନା କରିବା ପରେ ସ୍ୱେଚ୍ଛାସେବୀମାନେ ହସ୍ତକ୍ଷେପ କରିବା ପରେ ପ୍ରଶାସନ ପକ୍ଷରୁ ମାୟାଙ୍କୁ ସ୍ୱାଧାର ଗୃହରେ ରଖିବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ଆମ୍ବପାଲି ଅଞ୍ଚଳରେ ଦାଦନ ଶ୍ରମିକଙ୍କ ସମସ୍ୟା ଏବେ ଉଦ୍‌ବେଗଜନ ଘଟଣାରେ ପରିଣତ ହୋଇଛି। ବର୍ଷବର୍ଷ ଧରି ଦାଦନ ଖଟିବାକୁ ବାହାରକୁ ଯାଉଥିବା ଉଭୟ ପୁରୁଷ ଓ ମହିଳା ଶ୍ରମିକ ବି ଆଉ ଫେରୁନଥିବା ଦେଖିବାକୁ ମିଳୁଛି।

ଚନ୍ଦ୍ର ପରେ ମାୟା

ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଗୋତି ଶ୍ରମିକ ଚନ୍ଦ୍ରଙ୍କ କାହାଣୀ କାହା ମନରୁ ଲିଭି ନାହିଁ। ୨୮ ଅଗଷ୍ଟ ୨୦୧୨ରେ ଦାଦନ ଶ୍ରମିକ ଚନ୍ଦ୍ର ଗାଁକୁ ଫେରିଥିଲେ। ୨୨ ବର୍ଷ ଧରି ଇଟାଭାଟିରେ ନିର୍ଯାତିତ ଚନ୍ଦ୍ର ଶେଷରେ ଉଦ୍ଧାର ହୋଇ ଗାଁକୁ ଫେରିଥିଲେ। ଜାତୀୟ ଗଣମାଧ୍ୟମର ବି ଶିରୋନାମାରେ ଚନ୍ଦ୍ର ରହିଥିଲେ। ମାୟାଙ୍କ ଭଳି ଚନ୍ଦ୍ରଙ୍କୁ ମଧ୍ୟ ଏକ ସ୍ୱେଚ୍ଛାସେବୀ ସଂସ୍ଥା ତେଲେଙ୍ଗାନାର ଏକ ଇଟାଭାଟିରୁ ଉଦ୍ଧାର କରିଥିଲା।

ଆଖିରେ ଲଙ୍କାଗୁଣ୍ଡ ଦେଇ ଚନ୍ଦ୍ରଙ୍କୁ ପ୍ରତ୍ୟହ ନିର୍ଯାତନା ଦିଆଯାଉଥିଲା। ଫେରିଲା ପରେ ପ୍ରଶାସନ ଥଇଥାନ କରିବାକୁ ଅନେକ ପ୍ରତିଶ୍ରୁତି ବି ଦେଇଥିଲା। କିନ୍ତୁ ଚନ୍ଦ୍ରଙ୍କୁ କୌଣସି ସହାୟତା ମିଳି ନଥିଲା। ଚନ୍ଦ୍ର ପୁଣି ଏବେ ଦାଦନ ଶ୍ରମିକ ସାଜିଛନ୍ତି। ଚନ୍ଦ୍ରଙ୍କ ପରିବାର ଏବେ କେଉଁଠି ଗାଁ ଲୋକ ବି ଆଉ ଜାଣି ନାହାନ୍ତି। ବାହାର ରାଜ୍ୟର ଇଟାଭାଟିରେ ଖଟୁଥିବା କେବଳ କହୁଛନ୍ତି। ଏବେ ମହିଳା ଦାଦନ ଶ୍ରମିକ ମାୟାଙ୍କ କାହାଣୀ ବି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର